ବ୍ରହ୍ମପୁର,୧୩/୧୧: ବିଜେପି ନେତା  ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା  ହତ୍ୟା ମାମଲାକୁ ନେଇ ପ୍ରତ୍ୟେକ ଦିନ ନୂଆ  ଖୁଲାସା ହେବାରେ ଲାଗିଛି । ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଥିବାବେଳେ ହତ୍ୟା  ପଛରେ ବାଲିଘାଟ ବିବାଦ ରହିଥିବା ପୁଲିସର ଏବେ ପ୍ରମୁଖ ସନ୍ଦେହ ରହିଛି । ସେ ଦିଗରେ  ପୁଲିସ ତଦନ୍ତ ଆଗେଇଛି । ହତ୍ୟାକାଣ୍ଡରେ ପୁରୀର ଦୁଇ ଜଣାଶୁଣା ଅପରାଧୀଙ୍କ ସମ୍ପୃକ୍ତି  ଥିବା ପୁଲିସ ସନ୍ଦେହ କରୁଛି । ସେମାନଙ୍କର  ପୁରୁଣା ଅପରାଧ ତଥ୍ୟ ପୁଲିସ ସଂଗ୍ରହ କରିବା  ପରେ ଜଣକୁ ଉଠାଇ ପଚରାଉଚରା କରୁଥିବା  ସୂଚନା ମିଳିଛି । ଏହି ଦୁଇ ଅପରାଧୀ ପୂର୍ବରୁ  ବ୍ରହ୍ମପୁରରେ ହୋଇଥିବା ଏକ ହାଇପ୍ରୋଫାଇଲ୍‌  ହତ୍ୟାକାଣ୍ଡରେ ଜଡ଼ିତ ଥିଲେ । ତେଣୁ ସେମାନଙ୍କ ଉପରେ ପୁଲିସ ସନ୍ଦେହ ଘନେଇଛି ।  

ବ୍ରହ୍ମପୁରର କିଛି ବ୍ୟବସାୟୀଙ୍କୁ ମଧ୍ୟ ପୁଲିସ ସନ୍ଦେହ ଘେରରେ ରଖିଥିବା ବେଳେ  ସେମାନେ ଘଟଣା ସମୟରେ କେଉଁଠି ଥିଲେ ଏବଂ କାହା ସହ ଫୋନ୍‌ରେ କଥା ହେଉଥିଲେ ତାହାର ତନାଘନା ଚାଲିଛି । କିଛିଦିନ ହେଲା ଗଞ୍ଜାମ ଜିଲ୍ଲାର ଗୋଟିଏ ବାଲିଘାଟ ବନ୍ଦ ହୋଇଥିବା ବେଳେ ଏହି ଘାଟକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ଚଳାଉଥିଲେ । ବନ୍ଦ  ପଛରେ ପୀତବାସଙ୍କ ଭୂମିକା ଥିବା ସନ୍ଦେହରେ  ବି ଏଭଳି କାଣ୍ଡ ହୋଇଥାଇପାରେ ବୋଲି  ସେ ଦିଗରେ ଅଧିକ ତଦନ୍ତ ଜାରି ରହିଛି ।  ଟୋଲ୍‌ଗେଟ୍‌ମାନଙ୍କରେ ଲାଗିଥିବା ସିସିଟିଭି  ଫୁଟେଜ୍‌ ମଧ୍ୟ ପୁଲିସ ଯାଞ୍ଚ୍‌ କରିଛି । ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ୱରେ ୬ଟି ଟିମ୍‌ ବିଭିନ୍ନ  ଦିଗରୁ ଖୋଳତାଡ଼ ଜାରି ରଖିଛନ୍ତି । ତଦନ୍ତ  ବେଳେ ପୁଲିସ ହାତରେ କିଛି ପ୍ରମାଣ ଲାଗି  ସାରିଲାଣି । ତେବେ ବାଲିଘାଟ ବିବାଦକୁ ନେଇ  ପୁଲିସ ଆଜି ତଦନ୍ତ କରିଥିଲା । ପୀତବାସଙ୍କ  ସହ କାହାର ବିବାଦ ଥିଲା, ସେ ଦିଗରେ  ପୁଲିସ ପ୍ରତିପକ୍ଷଙ୍କୁ ପଚରାଉଚରା କରିଛି । ବାଲିଘାଟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି  ହେବାରୁ ପୀତବାସଙ୍କୁ ହତ୍ୟା କରାଯାଇଥିବା  ସନ୍ଦେହ କରାଯାଉଛି । ବାଲିଘାଟ ଲିଜ୍‌ଧାରୀ ଓ  ତାଙ୍କ ସହଯୋଗୀଙ୍କ ଉପରେ ପୁଲିସ ନଜର  ପକାଇଥିବା ବେଳେ ସନ୍ଦେହରେ କେତେକ  ଲୋକଙ୍କୁ ଜେରା ପାଇଁ ଡାକିଥିବା ସୂଚନା  ମିଳିଛି । ଦିଗପହଣ୍ଡି ଅଞ୍ଚଳର ଆଉ ଜଣେ  ଅପରାଧୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୁଲିସ  ଖୋଳତାଡ଼ କରୁଛି । ସଂପୃକ୍ତ ଅପରାଧୀଙ୍କ  ଘଟଣା ରାତିରେ ଖଲ୍ଲିକୋଟ ଟୋଲ୍‌ ଗେଟ୍‌ରେ  ଦେଖିବାକୁ ମିଳିଥିଲା । ଆଜି ପୀତବାସଙ୍କର  ଦୁଇ ଶଳାଙ୍କୁ ମଧ୍ୟ ପୁଲିସ ଥାନାକୁ ଡାକି  କଥା ହୋଇଥିବା ଜଣାଯାଇଛି ।

ସୂଚନାଯୋଗ୍ୟ  ୧୫ବର୍ଷ ପୂର୍ବରୁ ପୀତବାସଙ୍କ ବିଜିପୁର ସ୍ଥିତ  ଘରକୁ ବୋମାମାଡ଼ ହୋଇଥିଲା । ସେହି  ଘଟଣାର ଫାଇଲ୍‌ ମଧ୍ୟ ପୁଲିସ ଓଲଟାଇଛି । ସେପଟେ ବିଜେପି ରାଷ୍ଟ୍ରୀୟ ପରିଷଦ  ସଦସ୍ୟ କାହ୍ନୁ ଚରଣ ପତି ପୀତବାସଙ୍କ  ହତ୍ୟାକାରୀଙ୍କୁ ପ୍ରାୟ ଧରାହୋଇସାରିଲାଣି  ବୋଲି ଗଣମାଧ୍ୟମରେ ବୟାନ ଦେଇଛନ୍ତି ।  ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପୀତବାସ ପଣ୍ଡାଙ୍କ  ସ୍ମୃତିସଭାରେ ସେ ଏଭଳି କହିଥିଲେ । ସେ  କହିଛନ୍ତି ଯେ, ନଭେମ୍ବର ୨୬ ତାରିଖରୁ  ଆଇନଜୀବୀ ପୀତବାସ ପଣ୍ଡାଙ୍କ ପିଛା  କରୁଥିଲେ । ୧୦ ଦିନ ପରେ ୬ ତାରିଖରେ  କୁମାର ପୂର୍ଣ୍ଣିମାରେ ପୀତବାସଙ୍କୁ ଟାର୍ଗେଟ୍‌  କରିଥିଲେ ହତ୍ୟାକାରୀ । ଘରଠାରୁ କିଛି ଦୂରରେ  ଅତି ନିକଟରୁ ଗୁଳି କରି ହତ୍ୟା କଲେ । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ଆନ୍ଧ୍ର ତିଆରି  ବୋଲି ପୁଲିସ ସୁରାକ୍‌ ପାଇଥିବା କାହ୍ନୁୁ କହିଛନ୍ତି ।  ସେଠାରୁ ସିଙ୍ଗଲ୍‌ ରାଉଣ୍ଡ ପିସ୍ତଲ୍‌ ଅଣାଯାଇଥିଲା ।  ଶ୍ରୀକାକୁଲମ୍‌ଠାରୁ ବିଜୟନଗରମ୍‌ ଭିତରେ ସେହି  ବନ୍ଧୁକ ପ୍ରସ୍ତୁତ ହୋଇଥିବା ପୁଲିସ ସନ୍ଦେହ  କରୁଛି । କାହ୍ନୁ ପୁଣି କହିଛନ୍ତି, ହତ୍ୟା ପଛରେ  ରହିଛି ବଡ଼ ଷଡ଼ଯନ୍ତ୍ର । ସମ୍ପୂର୍ଣ୍ଣ ଘଟଣା ପ୍ରି-ପ୍ଲାନ୍‌ । ପୁଲିସ ତଦନ୍ତ ଠିକ୍‌ ଦିଗରେ ଯାଉଛି । ଖୁବ୍‌ଶୀଘ୍ର  ହତ୍ୟା ପଛର କାରଣ ସହ ଷଡ଼ଯନ୍ତ୍ରକାରୀ  ଧରାପଡ଼ିବେ । ପୁଲିସ ଏହି ଘଟଣାକୁ ନେଇ  ବିଶେଷ ତଥ୍ୟ ଦେଇ ନ ଥିବାବେଳେ ବିଜେପି  ନେତାଙ୍କ ଏଭଳି ବୟାନ ଏବେ ଚର୍ଚ୍ଚାର ବିଷୟ  ହୋଇଛି । ସେ ହତ୍ୟା ପଛରେ ଥିବା ଏତେ  ଘଟଣା କିଭଳି ଜାଣିଲେ ବୋଲି ସାଧାରଣରେ  ଆଲୋଚନା ହେଉଛି।