ବ୍ରହ୍ମପୁର, ୦୯/୧୦: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣା ।  ନିଜେ ବ୍ରହ୍ମପୁର ଏସ୍‌ପି ଡା.ସର୍‌ବଣା ବିବେକ  ଏମ୍‌ ସମସ୍ତ ଜୋର୍‌ ଲଗାଇ ତଦନ୍ତର ନେତୃତ୍ୱ ନେଇଛନ୍ତି । ଛଅଟି ଟିମ୍‌ ଅନୁସନ୍ଧାନରେ ଅଛନ୍ତି ।  ବ୍ୟକ୍ତିଗତ, ରାଜନୈତିକ, ପେସାଗତ ଦିଗ  ପ୍ରତି ଧ୍ୟାନ ଦେଇ ଛାନ୍‌ଭିନ୍‌ ହେଉଛି । ହେଲେ  ହତ୍ୟା ପଛର କାରଣ ନେଇ ପୁଲିସ ଏବେ ବି ଅନ୍ଧାରରେ । ତେବେ ସିସିଟିଭି ଫୁଟେଜ  ଆଧାରରେ ଚାରି ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଏହି ସନ୍ଦିଗ୍ଧମାନେ ବ୍ରହ୍ମପୁର ବାହାରର ବାସିନ୍ଦା ବୋଲି କୁହାଯାଉଛି ।

ଏସ୍‌ପି ଓ ବୈଦ୍ୟନାଥପୁର ଥାନା ଆଇଆଇସି ସୁଚିତ୍ରା ପରିଡ଼ା ବୁଧବାର ସକାଳୁ ଏସ୍‌ଏନ୍‌ଟି ରୋଡ଼ରେ ଥିବା ପୀତବାସ ପଣ୍ଡାଙ୍କ  ବ୍ୟକ୍ତିଗତ ଚାମ୍ବରରେ ପହଞ୍ଚି ସେଠାରେ  ଥିବା କେସ୍‌ ରେକର୍ଡ ଯାଞ୍ଚ କରିଥିଲେ । ପୀତବାସଙ୍କ ଦୁଇଜଣ ସହଯୋଗୀଙ୍କୁ ଥାନାକୁ ଡାକି ବିଭିନ୍ନ ପଚରାଉଚରା ହୋଇଛି । ସହରର ପ୍ରାୟ ୨୦ଜଣ ଅପରାଧୀଙ୍କୁ ଥାନାକୁ ଡାକି ଜେରା ପରେ ଛାଡ଼ିଛ । ଆଉ କିଛି ଜଣଙ୍କୁ ଅଟକ ରଖି  ଜେରା ଚାଲିଥିବା କୁହାଯାଉଛି । ବିଶେଷ ଭାବେ  ମାଉଜର କାରବାରରେ ସଂପୃକ୍ତ ଅପରାଧୀଙ୍କ  ଉପରେ ନଜର ରଖାଯାଇଛି । ସେପଟେ ରାଜ୍ୟ  ସରକାର ଶୀଘ୍ର ଅପରାଧୀଙ୍କୁ ଗିରଫ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି ।

ଅପରାଧୀମାନେ ଆସିଥିବା ବାଇକ୍‌ର  ନମ୍ବର ନକଲି ଥିବା ଜଣାପଡ଼ିଛି । ନମ୍ବର ଟ୍ରାକ୍‌  କରି ଆଙ୍କୁଲି ନିଗମ ନଗରରେ ପୁଲିସ ଚଢ଼ଉ  କରିଥିଲା । କିନ୍ତୁ ସିସିଟିଭି ଫୁଟେଜ୍‌ରେ ଥିବା  ବାଇକ୍‌ ଏବଂ ଆଙ୍କୁଲିରେ ଥିବା ବାଇକ୍‌ ଭିନ୍ନ  ଭିନ୍ନ । ପ୍ରାଥମିକ ତଦନ୍ତରୁ ଅପରାଧୀମାନଙ୍କ  ସୁରାକ ମିଳିଛି । ସେମାନଙ୍କୁ ଖୁବ ଶୀଘ୍ର  ଧରାଯିବ । ୬ଟି ଟିମ୍‌ ଭିତରୁ ଗୋଟିଏ ଟିମ୍‌  ଘଟଣା ଦିନ ସନ୍ଧ୍ୟାଠାରୁ ରାତି ପର୍ଯ୍ୟନ୍ତ  ପୀତବାସ କେଉଁ ରାସ୍ତାରେ ଯାଉଥିଲେ  ତାହାର ତଥ୍ୟ ସଂଗ୍ରହ କରି ଯାଞ୍ଚ କରୁଛନ୍ତି ।  ଆଉ ଗୋଟିଏ ଟିମ୍‌ ସାଇଣ୍ଟିଫିକ ରିପୋର୍ଟ ଓ  ଅଞ୍ଚଳବାସୀଙ୍କୁ ପଚରାଉଚରା କରି ବୟାନ  ରେକର୍ଡ କରୁଛନ୍ତି । ଅପରାଧୀଙ୍କ ଗତିବିଧି  ଉପରେ ନଜର ରଖିଛନ୍ତି । ଆଉ ଗୋଟିଏ  ଟିମ୍‌ ପୀତବାସ ପଣ୍ଡାଙ୍କ କଲ୍‌ ରେକର୍ଡ ଏବଂ  ସେହି ଅଞ୍ଚଳର ମୋବାଇଲ କଲ୍‌ଗୁଡିକର  ରେକର୍ଡ ଯାଞ୍ଚ କରୁଛନ୍ତି । ଆଉ ଏକ ଟିମ୍‌  ତାଙ୍କ ସହ କାହାର ଶତ୍ରୁତା ଥିଲା ସେ ଦିଗରେ  ତଦନ୍ତ ଜାରି ରଖିଛି ।

ସହରରେ ୬୦ରୁ ୭୦  ଜାଗାର ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି ।  ଅପରାଧୀ ଖସିପାରିବେ ନାହିଁ ସେମାନଙ୍କୁ  ଧରିବାକୁ ଉଦ୍ୟମ କରାଯାଉଥିବା ଏସ୍‌ପି  କହିଛନ୍ତି । ସହରରେ ସିସିଟିଭି ଫୁଟେଜ୍‌ ଯାଞ୍ଚ  ସମୟରେ କିଛି ତଥ୍ୟ ପୁଲିସ ହାତ ଲାଗିଥିବା  ସୂଚନା ମିଳିଛି । ଅପରାଧୀମାନେ ପୀତବାସଙ୍କୁ  ପିଛା କରିଥିଲେ । ସେ ନୂଆ ବସ୍‌ଷ୍ଟାଣ୍ଡ ରୋଡ୍‌  ହୋଟେଲ୍‌ ଭୁପତିରୁ ଖାଦ୍ୟ ସାମଗ୍ରୀ କିଣି  ଘରକୁ ଫେରୁଥିବା ସମୟରେ ପିଛା କରିଥିଲେ ।  ହତ୍ୟାକାରୀ ଯୋଜନାବଦ୍ଧ ଭାବେ ସିଙ୍ଗଲ୍‌  ରାଉଣ୍ଡ ପିସ୍ତଲ ବ୍ୟବହାର କରିଥିଲେ । ଘଟଣା  ପରେ ଅପରାଧୀଦ୍ୱୟ ଗୋକର୍ଣ୍ଣେଶ୍ୱର ମନ୍ଦିର  ପାଶ୍ୱର୍ ରାସ୍ତା ହୋଇ ଲୋଚପଡ଼ା ହୋଇ ସହର  ବାହାରକୁ ଯାଇଥିବା ଜଣାପଡ଼ିଛି ।  

ଏସ୍‌ପି ଓ ଆଇଆଇସି ଆଜି ପୀତବାସଙ୍କ  ବ୍ୟକ୍ତିଗତ ଚାମ୍ବରରେ କିଛି ତଥ୍ୟ ସଂଗ୍ରହ  କରିଥିବା ସୂଚନା ମିଳିଛି । ପୀତବାସ ଅନେକ  ଘଟଣା, ଲିଜ୍‌ ଓ ଟେଣ୍ଡର ସମ୍ପର୍କରେ ସୂଚନା  ଅଧିକାର ଆଇନ୍‌ ବଳରେ ତଥ୍ୟ ମାଗିଥିବା  ବେଳେ ସେ କୋର୍ଟ ବାହାରେ ମଧ୍ୟ କିଛି  ଘଟଣାର ସମାଧାନ କରୁଥିଲେ । ଯାହାର ତଥ୍ୟ  ପାଇଛି ପୁଲିସ । ରାଜନୈତିକ କ୍ଷେତ୍ରରେ ମଧ୍ୟ  ସେ ଅନେକ ଲୋକଙ୍କ ବାଟରେ କଣ୍ଟା ଥିଲେ ।  କିଛି ଅପରାଧୀକ ମାମଲାର ଅଭିଯୁକ୍ତଙ୍କ ସେ  ମାମଲା ପରିଚାଳନା କରୁଥିଲେ । କିଛି ପ୍ରତିଷ୍ଠିତ  ବ୍ୟବସାୟୀଙ୍କୁ ମଧ୍ୟ ସେ ସହଯୋଗର ହାତ  ବଢ଼ାଉଥିଲେ ।  

ସେହିଭଳି ରାଜନୈତିକ ଦୃଷ୍ଟିରୁ ମଧ୍ୟ  ବିଭିନ୍ନ ବିଷୟ ଚର୍ଚ୍ଚା ହେଉଛି । ଗତବର୍ଷ ଜଣେ  ନେତାଙ୍କ ଉପରକୁ ବୋମାମାଡ଼ ହୋଇଥିଲା ।  ଏନେଇ ଗୋସାଇଁନୂଆଗାଁ ଥାନାରେ ଏତଲା  ହୋଇଥିଲା । ଏତଲାରେ ପୀତବାସଙ୍କ ନାମ  ମଧ୍ୟ ଲେଖାଯାଇଥିଲା । କିନ୍ତୁ ତାଙ୍କର ସଂପୃକ୍ତି  ନପାଇବାରୁ ପୁଲିସ ତାଙ୍କ ନାମରେ ଏତଲା  କରିନଥିଲା । ପୁଣି ଗୋପାଳପୁର ଗଣବଳାତ୍କାର  ମାମଲାକୁ ନେଇ ସାମାଜିକ ଗଣମାଧ୍ୟମରେ  ଜଣେ ବିଧାୟକଙ୍କ ସହ ପୀତବାସଙ୍କ ତୁ  ତୁ ମେମେ ହୋଇଥିଲା । ତଦନ୍ତରେ ପୁଲିସ  ରାଜନୈତିକ ଦିଗ ପ୍ରତି ମଧ୍ୟ ଅଖି ରଖିଛି ।  ଖୁବ୍‌ ଶୀଘ୍ର ଘଟଣାର ପର୍ଦ୍ଦାଫାସ୍‌ ହେବ ବୋଲି  ଏସ୍‌ପି ଗଣମାଧ୍ୟମକୁ କହିଛନ୍ତି । ତଦନ୍ତ  କରୁଥିବା ଛଅଟି ଟିମ୍‌ରେ ୨ ଜଣ ଡିଏସ୍‌ପି, ୨  ଜଣ ଏସଡିପିଓ ଓ ୩ ଜଣ ସବ୍‌ ଇନ୍‌ସପେକ୍ଟର  ଅଛନ୍ତି । ବ୍ରହ୍ମପୁର ଏସଡିପିଓଙ୍କ ନେତୃତ୍ୱରେ  ଏମାନେ ତଦନ୍ତ କରିବେ ବୋଲି କୁହାଯାଇଛି ।