ମୁମ୍ବାଇ,୧୬/୧୦: ଚଳିତ ବର୍ଷ ‘ସୈୟାରା’ ଜରିଆରେ ବଲିଉଡ୍‌ରେ ପଦାର୍ପଣ କରିଛନ୍ତି ଆହାନ ପାଣ୍ଡେ । ଫିଲ୍ମଟି ବକ୍ସ ଅଫିସ୍‌ ରେକର୍ଡ ଭାଙ୍ଗି ବ୍ଲକ୍‌ବଷ୍ଟର ହେଲା । ପ୍ରଥମ ଫିଲ୍ମରେ ରାତାରାତି ଷ୍ଟାର୍‌ ପାଲଟିଗଲେ ଆହାନ । ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ‘ସୈୟାରା’ରେ ସେ ଜଣେ ମ୍ୟୁଜିସିଆନ୍‌ ଭାବେ ପରଦାକୁ ଆସିଥିଲେ । ଏବେ ଆଉ ଏକ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅପ୍‌କମିଙ୍ଗ ଫିଲ୍ମ ପାଇଁ ଆହାନ ନିଜର ନୂଆ ଲୁକ୍‌ ଜାରି କରିଛନ୍ତି । ୟଶରାଜ ଫିଲ୍ମସ ଅଧୀନରେ ଅଲି ଅବ୍ୱାସ ଜଫରଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ପ୍ରସ୍ତୁତ ହେବ ।

ଏହି ଆକ୍ସନ୍‌-ରୋମାନ୍ସ ଫିଲ୍ମରେ ଆହାନଙ୍କ ଅପୋଜିଟ୍‌ରେ ସ୍କ୍ରିନ୍‌ ଶେୟାର କରିବେ ଶର୍ଭରୀ ୱାଗ । ବୁଧବାର ଇନ୍‌ଷ୍ଟା ପୋଷ୍ଟ୍‌ରେ ଆହାନ ନିଜର ନୂଆ ଲୁକ୍‌ ଶେୟାର କରିବା ପରଠୁ ଚର୍ଚ୍ଚାର ବିଷୟ ହୋଇଛନ୍ତି । ତାଙ୍କର ଲମ୍ବା କେଶ ଓ ଦାଢ଼ି ଲୁକ୍‌ ଆଉ ନାହିଁ । କେଶକୁ ଛୋଟ କରି ଦାଢ଼ି କାଟି ଦେଇଛନ୍ତି । ‘ସୈୟାରା’ରେ ସେ ଲଭର୍‌ ବୟ ଭାବେ ପରଦାକୁ ଆସିଥିଲେ । ଏଥର କିନ୍ତୁ ତାଙ୍କର ଦମ୍‌ଦାର ଓ କଠୋର ଲୁକ୍‌ ଦେଖିବାକୁ ମିଳିବ । ଫଟୋ ସହିତ କ୍ୟାପ୍‌ସନରେ ସେ ଲେଖିଛନ୍ତି ‘କେଶ କଟିଗଲା ।’ ୨୦୨୬ ଆରମ୍ଭରେ ଫିଲ୍ମର ସୁଟିଂ ଆରମ୍ଭ ହେବ । ନିର୍ମାତା ଅଦ୍ୟାବଧି ଫିଲ୍ମର ଟାଇଟଲ ଘୋଷଣା କରିନାହାନ୍ତି ।