ନୂଆଦିଲ୍ଲୀ ୨୮/୧୦: ଚଳିତବର୍ଷ ସେପ୍ଟେମ୍ବରରେ ଆଲ୍ବାନିଆ ବିଶ୍ୱର ପ୍ରଥମ ଦେଶ ଭାବେ ନିଜ କ୍ୟାବିନେଟ୍ରେ ଜଣେ ଏଆଇ ମନ୍ତ୍ରୀଙ୍କୁ ସାମିଲ କରିଥିଲା । ଦେଶର ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ କରିବା ଉଦ୍ଦେଶ୍ୟରେ ନିଯୁକ୍ତ ହୋଇଥିବା ସେହି ମନ୍ତ୍ରୀଙ୍କ ନାମ ଡିଏଲା ରଖାଯାଇଥିଲା । ସେହି ଖବର ସେତେବେଳେ ଖୁବ୍ ଚର୍ଚ୍ଚାରେ ରହିଥିଲା । ଏବେ ଡିଏଲା ଗର୍ଭବତୀ ଥିବା ଏବଂ ଏକସଙ୍ଗରେ ୮୩ ସନ୍ତାନ ଜନ୍ମ ଦେବାକୁ ଯାଉଥିବା ସୂଚନା ମିଳିଛି । ବର୍ଲିନ୍ରେ ଅନୁଷ୍ଠିତ ଗ୍ଲୋବାଲ୍ ଡାଇଲଗ୍ରେ ଆଲ୍ବାନିଆ ପ୍ରଧାନମନ୍ତ୍ରୀ ଏଡି ରାମା ନିଜେ ଏହି ଘୋଷଣା କରିଛନ୍ତି ।
ପ୍ରକୃତ କଥା ହେଲା, ଆଲ୍ବାନିଆ ସରକାର ସବୁ ସାଂସଦଙ୍କ ଲାଗି ଜଣେ ଜଣେ ଏଆଇ ଆସିଷ୍ଟାଣ୍ଟ ବନାଇବା ଉପରେ ବିଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଡିଏଲା ଗର୍ଭବତୀ ଥିବା ଏବଂ ୮୩ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ରାମା କହିଛନ୍ତି । ସମ୍ମିଳନୀରେ ସେ ଦର୍ଶାଇଛନ୍ତି ଯେ, ଡିଏଲାଙ୍କ ସହ ସେମାନେ ଏକ ରିସ୍କ ନେଇଥିଲେ । ସେଥିରେ ସଫଳ ହୋଇଛନ୍ତି । ତେଣୁ ଏବେ ଡିଏଲା ୮୩ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ପ୍ରତି ପିଲା ବା ସହଯୋଗୀ ସଂସଦରେ ଘଟୁଥିବା ଟିକିନିଖି କଥାକୁ ରେକର୍ଡ କରିବେ । ସାଂସଦମାନେ ଅନୁପସ୍ଥିତ ରହିବା କ୍ଷେତ୍ରରେ ଏହି ସହଯୋଗୀମାନେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା ସଂପର୍କରେ ତଥ୍ୟ ପ୍ରଦାନ କରିବେ । ଆବଶ୍ୟକସ୍ଥଳେ ପରାମର୍ଶ ମଧ୍ୟ ଦେବେ । ସହଯୋଗୀଙ୍କ ନିକଟରେ ନିଜ ମା’ ଡିଏଲାଙ୍କ ସଂପର୍କରେ ବି ତଥ୍ୟ ରହିବ ।
ଆସନ୍ତା ବର୍ଷ ଶେଷସୁଦ୍ଧା ଏହି ବ୍ୟବସ୍ଥା ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବ ବୋଲି ଏଡି ରାମା ଆଶା ପ୍ରକାଶ କରିଛନ୍ତି । ଏଆଇ ଆସିଷ୍ଟାଣ୍ଟମାନଙ୍କ କାର୍ଯ୍ୟ ସଂପର୍କରେ ରାମା ଆହୁରି କହିଛନ୍ତି, ଯଦି ଜଣେ ସାଂସଦ କଫି ପିଇବାକୁ ଯାଇ ଫେରିବାକୁ ଭୁଲିଯାଆନ୍ତି ତେବେ ତାଙ୍କ ଅନୁପସ୍ଥିତିରେ ହଲ୍ରେ କିଏ କ’ଣ କହୁଥିଲା ତାହା ଏହି ପିଲାମାନେ ଜଣାଇ ଦେବେ । ସେତିକି ନୁହେଁ, କାହାକୁ ଟାର୍ଗେଟ୍ କରିବାକୁ ହେବ ତାହା ବି କହିବେ । ‘ଡିଏଲା’ ଶବ୍ଦର ଅର୍ଥ ହେଲା ସୂର୍ଯ୍ୟ । ଏଆଇ ଦ୍ୱାରା ସଞ୍ଚାଳିତ ଏହି ମନ୍ତ୍ରୀଙ୍କୁ ପାରମ୍ପରିକ ଆଲ୍ବାନୀୟ ପୋଷାକ ପରିହିତା ମହିଳା ଭାବେ ପ୍ରଦର୍ଶିତ କରାଯାଇଛି ।