ମୁମ୍ବାଇ,୦୮/୧୦: ବଡ଼ ପରଦାରେ ପୁଣି ଥରେ ପ୍ରେମ କାହାଣୀର ମ୍ୟାଜିକ୍‌ ଦେଖାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି କରନ ଜୋହର । ୨୦୨୩ ମସିହାରେ ମୁକ୍ତିପ୍ରାପ୍ତ ‘ରକି ଔର୍‌ ରାନୀ କି ପ୍ରେମ୍‌ କାହାନୀ’ର ସଫଳତା ପରେ ସେ ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ତାଙ୍କର ଅତି ପ୍ରିୟ ନାୟିକା ଆଲିୟା ଭଟ୍ଟ । ରିପୋର୍ଟ ଅନୁସାରେ, କରନ ଏହି ଫିଲ୍ମରେ ପ୍ରଥମେ ଆଲିୟାଙ୍କୁ ଫିମେଲ ଲିଡ୍‌ ଭାବେ କାଷ୍ଟ୍‌ କରିଛନ୍ତି । ରଣବୀର କପୁର ଓ ଭିକି କୌଶଲଙ୍କୁ ମେଲ୍‌ ଲିଡ୍‌ ଭାବେ କାଷ୍ଟ୍‌ କରିବା ପାଇଁ ଆଲୋଚନା ଚାଲିଛି ।

‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର’ ଓ ‘ରକି ଔର୍‌ ରାନୀ କି ପ୍ରେମ୍‌ କାହାନୀ’ ପରେ ଏହା କରନଙ୍କର ଆଲିୟାଙ୍କ ସହ ୩ୟ ପ୍ରୋଜେକ୍ଟ ହେବ । ତେବେ ପ୍ରୋଜେକ୍ଟକୁ ନେଇ ଏପର୍ଯ୍ୟନ୍ତ ଔପଚାରିକ ଘୋଷଣା ହୋଇନାହିଁ । କିନ୍ତୁ ଆଲିୟାଙ୍କୁ ଫିଲ୍ମରେ କାଷ୍ଟ୍‌ କରିବା କଥା ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚାର ବିଷୟ ହୋଇଛି । ଉଭୟ ରଣବୀର ଓ ଭିକି ଫିଲ୍ମ ପାଇଁ ରାଜି ହୋଇଥିବା ଚର୍ଚ୍ଚା ମଧ୍ୟ ଜୋର ଧରିଛି । ଆୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ରଣବୀରଙ୍କ ଅପୋଜିଟ୍‌ରେ ଆଲିୟା ସ୍କ୍ରିନ୍‌ ଶେୟାର କରିଥିଲେ । ଫିଲ୍ମ ‘ସଞ୍ଜୁ’ରେ ରଣବୀର ଓ ଭିକି ଏକାଠି କାମ କରିଥିଲେ । ସେହିପରି ଫିଲ୍ମ ‘ରାଜି’ରେ ଆଲିୟା ଓ ଭିକିଙ୍କ ଭୂମିକାକୁ ଦର୍ଶକ ପସନ୍ଦ କରିଥିଲେ । ଏବେ ଏହି ୩ କଳାକାର ସଞ୍ଜୟ ଲୀଲା ଭଂସାଲିଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଲଭ୍‌ ଆଣ୍ଡ୍‌ ୱାର୍‌’ରେ ଏକାଠି କାମ କରୁଛନ୍ତି । ଇଟାଲିରେ ଫିଲ୍ମର ଶେଷ ଭାଗର ସୁଟିଂ ହେବ । ମୁମ୍ବାଇରେ ଗୁରୁତ୍ୱପୂର୍ଣ୍ଣ ସିନ୍‌ର ସୁଟ୍‌ ସମେତ ୧୨୦ ଦିନରୁ ଅଧିକ ସୁଟିଂ ସରିଛି । ଫିଲ୍ମଟି ଆସନ୍ତା ବର୍ଷ ମାର୍ଚ୍ଚରେ ମୁକ୍ତିଲାଭ କରିବ ।