ରାଇରଙ୍ଗପୁର,୧/୧୦ : ବନ ବିଭାଗରେ ମହାଦୁର୍ନୀତି ନେଇ ଅଭିଯୋଗ ଆଣିଲେ ବନସୁରକ୍ଷା ସମିତିର ସଭାପତି ଓ କୋଷାଧ୍ୟକ୍ଷ । ଅକ୍ଟୋବର ୨୭ରୁ ନଭେମ୍ବର ୨ପର୍ଯ୍ୟନ୍ତ ସାରା ରାଜ୍ୟରେ ସରକାରୀ କାର୍ଯ୍ଯାଳୟରେ ଦୁର୍ନୀତି ବିରୋଧରେ ଦୁର୍ନୀତି ନିବାରଣ ସପ୍ତାହ ଚାଲିଛି । ମୁଖ୍ଯମନ୍ତ୍ରୀ ଏହି ଉଦ୍ଦେଶ୍ୟରେ ଦୁର୍ନୀତିଖୋର ସରକାରୀ କର୍ମଚାରୀମାନଙ୍କୁ କୌଣସି ପ୍ରକାର ଛଡ଼ାଯିବ ନାହିଁ, ଘୋଷଣା କରିଛନ୍ତି ।

ଅପରପକ୍ଷରେ ରାଜ୍ଯ‌ ଜଙ୍ଗଲ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ବନ କର୍ମଚାରୀମାନଙ୍କୁ ଦୁର୍ନୀତିଠାରୁ ଦୂରେଇ ରହିବା ପାଇଁ ବିଭାଗୀୟ‌ ‌କର୍ମଚାରୀମାନଙ୍କୁ ତାଗିଦ୍ କରିଛନ୍ତି । ଯଦି କେହି ଦୁର୍ନୀତିରେ ଲିପ୍ତ ରୁହନ୍ତି ତଥ୍ୟ ମିଳିଲେ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । କିନ୍ତୁ ବନ ବିଭାଗର ଦୁର୍ନୀତିର ଚେର ବହୁତ ତଳକୁ ଯାଇଛି । ଯାହାକି ଉପାଡ଼ିଲେ ବି ଛିଡ଼ିବ ନାହିଁ । ଏଭଳି ଦୁର୍ନୀତିର ଚେର ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବହଳଦା ବନାଞ୍ଚଳ ଅନ୍ତର୍ଗତ ଯାମଦା ବ୍ଲକର ତେଣ୍ଡରା ପଞ୍ଚାୟତର ହରଗଡ଼ା ବନ ସୁରକ୍ଷା ସମିତିରେ ଘଟିଥିବା ଖୋଦ୍ ବନ ସୁରକ୍ଷା ସମିତିର‌ ସଭାପତି ଶୀତଳ ସୋରେନ ଏବଂ କୋଷାଧ୍ୟକ୍ଷ ଗଣମାଧ୍ୟମ ସମ୍ମୁଖରେ ଦୁଃଖର ସହ କହିଛନ୍ତି ।ପାହାଡ଼ ସନ୍ନିକଟ ଗ୍ରାମ ଗୁଡ଼ିକରେ ବନ ସୁରକ୍ଷା ସମିତି ବନ ବିଭାଗ ତରଫରୁ କରାଯାଇଛି । ସେମାନଙ୍କର କାମ ହେଲା ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁ ରକ୍ଷା, ଵନପୋଡ଼ି ରକ୍ଷା କରିବା। ସେମାନଙ୍କ ଆର୍ଥିକ ବିକାଶ ତଥା ଜୀବନ ଜୀବିକାର ଉନ୍ନତି ପାଇଁ ବନ ସୁରକ୍ଷା ସମିତି ଗଢା ଯାଇଛି । ସେଥିରେ ଗ୍ରାମର ଲୋକେ ସଭାପତି, ସଂପାଦକ, କୋଷାଧ୍ୟକ୍ଷ, ଵନପାଳ ଏବଂ ଅନ୍ୟ ସଦସ୍ୟ ବୃନ୍ଦ ରୁହନ୍ତି । ପାଶବୁକ୍ ଆକାଉଣ୍ଟ ବନପାଳ ଏବଂ କୋଷାଧ୍ୟକ୍ଷ ନାମରେ ଖୋଲା ହୋଇଥାଏ । ବନବିଭାଗ ତରଫରୁ ବନ ସୁରକ୍ଷା ସମିତି ଜରିଆରେ ବିଭିନ୍ନ ଉନ୍ନୟନ, ଜୀବନ ଜୀବିକା ପାଇଁ ସରକାର ଟଙ୍କା ଦେଇଥାନ୍ତି । ବନ ସୁରକ୍ଷା ମାଧ୍ୟମରେ ରିଜୋଲ୍ଯୁସନ କରାଯାଇ କାମ କରାଯାଇଥାଏ । କିନ୍ତୁ ବହଳଦା ବନାଞ୍ଚଳ ଅନ୍ତର୍ଗତ ଜାମଦା ବ୍ଲକର ତେଣ୍ଡାରା ପଞ୍ଚାୟତର ହରଗଡ଼ା ଗ୍ରାମର ବନ ସୁରକ୍ଷା ସମିତି ନାମରେ  ୯୭ହଜାର ଟଙ୍କାରୁ ଊର୍ଦ୍ଧ୍ଵ ଟଙ୍କା ବନ ସୁରକ୍ଷା ସମିତିକୁ ନ ଜଣାଇ ବନପାଳ ମନୋରଞ୍ଜନ ମହାନ୍ତ ନିଜ ସମ୍ପର୍କୀୟ ନାମରେ ଉଠାଇ ନେଇଛନ୍ତି । କୌଣସି କାମ କରାଯାଇନାହିଁ । ରିଜୋଲ୍ଯୁସନ ଖାତାରେ କରି ତକର୍ମା ବନପାଳ ବନ ସୁରକ୍ଷା ସମିତିର ସଭାପତି, ସଂପାଦକ ଏବଂ କୋଷାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ମିଥ୍ୟା ଦସ୍ତଖତ କରି ଟଙ୍କା ଚଳୁ କରି ଦେଇଛନ୍ତି ।

କୌଣସି ସୂତ୍ରରୁ ତଦନ୍ତ କରି ବନ ସୁରକ୍ଷା ସମିତିର ସଦସ୍ୟମାନେ ବ୍ୟାଙ୍କ ଷ୍ଟେଟମେଣ୍ଟ କାଢି ଏହି ବିଷୟରେ ଅବଗତ ହେଲେ । ଏହାକୁ ନେଇ ବନପାଳ ମନୋରଞ୍ଜନ ମହାନ୍ତଙ୍କୁ ଫୋନରେ ପଚାରିବାରୁ ସେ କହିଲେ ବନାଞ୍ଚଳ ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତି, ଏସିଏଫ ଏବଂ ଡିଏଫଓଙ୍କୁ ଶତକଡ଼ା ୪୦ପର୍ସେଣ୍ଟ ପିସି ଦିଆଯାଉଛି । ଏଭଳି ପିସି କାରବାର ପୂର୍ତ୍ତ ବିଭାଗ, ଜଳସେଚନ ବିଭାଗ, ବ୍ଲକ, ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମୀଣ ପାନୀୟ‌ ଜଳ ବିଭାଗର ହୁଏ ନାହିଁ । ଏହା ଏକ ରେକର୍ଡ଼ ଅଟେ । ଶିମିଳିପାଳ ଉନ୍ନୟନ ନାମରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଗଣ ମାଧ୍ୟମରେ ପ୍ରକାଶ ହୋଇଛି । ଯାହାକି ସେମାନେ ଫୋନ୍ କଲ୍ ରେକର୍ଡିଂ କରି ରଖିଛନ୍ତି । ଏହାକୁ ନେଇ ବନ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତାମାନେ ଡିଏଫଓ ସୁବ୍ରତ ପାତ୍ରଙ୍କୁ ମହା ଦୁର୍ନୀତିକୁ ନେଇ ସାକ୍ଷାତ କରିବା ସହ ଲିଖିତ ଅଭିଯୋଗ କରିବା ପରେ ସେ ଏହି ଘଟଣାକୁ ଏଡ଼ାଇ ଯାଇଥିଲେ । ସେ ଦୁର୍ନୀତିଖୋର କର୍ମଚାରୀଙ୍କୁ ସୁରକ୍ଷା ଦେଉଛନ୍ତି । ଦୁର୍ନୀତି ଖୋର‌ କର୍ମଚାରୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି । ବାଡ଼ ଯଦି କ୍ଷେତ ଖାଇବ ସେଠି କ'ଣ କରାଯିବ । ଏହି ଅଭିଯୋଗକୁ ନେଇ ରାଇରଙ୍ଗପୁର ମହତାବ ଭବନ ନିକଟରେ ହୋଇଥିବା ବନାଞ୍ଚଳ ସମୀକ୍ଷା ବୈଠକ ୨୦୨୫କୁ ହରଗଡ଼ା ବନ ସୁରକ୍ଷା ସମିତିର‌ ସଦସ୍ଯମାନଙ୍କୁ ଡକାଯାଇ ନ ଥିଲା । ଏହି ଘଟଣାକୁ ନେଇ ହରଗଡା ବନ ସୁରକ୍ଷା ସମିତିର ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ବିଷୟରେ ସେମାନେ ଜିଲ୍ଲାପାଳ, ଜଙ୍ଗଲ ପରିବେଶ ମନ୍ତ୍ରୀ ଇଂ‌ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିବା ସହ ସଠିକ ତଦନ୍ତ କରି ଦୁର୍ନୀତିଖୋର ବନ କର୍ମଚାରୀ ଏବଂ ଅଧିକାରୀଙ୍କ ଉପରେ କଠୋର‌କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଦାବିପତ୍ର ପ୍ରଦାନ କରିବେ ବୋଲି  ଗଣମାଧ୍ୟମକୁ କହିଛନ୍ତି । ଦୁର୍ନୀତିଖୋର‌ କର୍ମଚାରୀଙ୍କ ଯୋଗୁଁ ଦୁର୍ଗମ, ଜଙ୍ଗଲ, ବନ ପାହାଡ଼ ଘେରା ଲୋକଙ୍କର ଉନ୍ନତି ହୋଇପାରୁନାହିଁ । ଦେଖିବାକୁ ବାକି ରହିଲା ଏହି ଘଟଣାର ତଦନ୍ତ କେବେ ହେବ ।