ନୂଆଦିଲ୍ଲୀ: ବଡ ଧରଣର ରେଳ ଦୁର୍ଘଟଣାରୁ ବଞ୍ଚିଗଲା ଭାରତୀୟ ରେଳବାଇ। ଖବର ମୁତାବକ, ରବିବାର ପଶ୍ଚିମ ରେଳ ପଥରେ ବାନ୍ଦ୍ରା ଟର୍ମିନସ୍-ଅମୃତସର ପଶ୍ଚିମ ଏକ୍ସପ୍ରେସର ବଗି ଏକ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ଅଲଗା ହୋଇଥିବା ନେଇ ସୂଚନା ମିଳିଛି। ମହାରାଷ୍ଟ୍ର ଓ ଗୁଜୁରାଟ ମଧ୍ୟରେ ଚାଲୁଥିବା ଏହି ରେଳର ଏହି ଘଟଣା ଯାତ୍ରୀମାନଙ୍କ ସୁରକ୍ଷା ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।
ସୂଚନା ମୁତାବକ, ରବିବାର ରାତି ପ୍ରାୟ ୧ଟା ୧୯ ମିନିଟ ସମୟରେ ମହାରାଷ୍ଟ୍ରର ଭାଙ୍ଗୋନ୍ ଓ ଦହାନୁ ଷ୍ଟେସନ ମଧ୍ୟରେ ପ୍ରଥମ ଘଟଣା ଘଟିଥିଲା। ଏହାପରେ ଟ୍ରେନର ବଗିଗୁଡ଼ିକୁ କପଲିଂ କରିବା ପାଇଁ ଟ୍ରେନ୍କୁ ପ୍ରାୟ ୨୫ ମିନିଟ୍ ଅଟକାଯାଇଥିଲା। ସବୁକିଛି ଠିକ୍ ହେବା ପରେ ଏହି ଟ୍ରେନ ପୁଣି ରାତି ୧ଟା ୪୬ ମିନଟରେ ଯାତ୍ରା ଆରମ୍ଭ କରିଥିଲା।
ରାତି ପ୍ରାୟ ୨ଟା ୧୦ ମନିଟ ସମୟରେ ଗୁଜରାଟର ସନ୍ଜନ୍ ଷ୍ଟେସନ ନିକଟରେ ସମାନ ଘଟଣା ପୁଣି ଥରେ ଘଟିଥିଲା। ତେବେ ଏହି ସମସ୍ୟାର ସମାଧାନ ପାଇଁ ଭାଲସାଡ଼ରୁ କାରେଜ୍ ଏଣ୍ଡ୍ ୱାଗନ କର୍ମଚାରୀଙ୍କୁ ପଠାଯାଇଥିଲା। ପରେ ୩ଟା ୧୫ ସମୟରେ ଭାଲସାଡ଼ରୁ ଏକ ଲୋକୋମୋଟିଭ୍ ଇଞ୍ଜିନ୍ ଘଟଣାସ୍ଥଳକୁ ପଠାଯାଇଥିଲା। ଉକ୍ତ ଇଞ୍ଜିନ ଯୋଗେ ଟ୍ରେନଟି ନିଜ ଗନ୍ତବ୍ୟସ୍ଥଳିରେ ପହଞ୍ଚିଥିଲା।
ଏନେଇ ପଶ୍ଚିମ ରେଳବାଇର ଜଣେ ମୁଖପାତ୍ର କହିଛନ୍ତି ଯେ, “ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି କିମ୍ବା ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। ସମୁଦାୟ ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ତଥାପି, ଏହି ଘଟଣା ଯୋଗୁଁ ଟ୍ରେନର ଯାତ୍ରାରେ ବିଳମ୍ବ ହୋଇଥିଲା। ଟ୍ରେନ୍କୁ କୌଣସି ବିଶେଷ କ୍ଷତି ହୋଇନାହିଁ।”
ବାରମ୍ବାର ବଗି ଅଲଗା ହେବାର କାରଣ ଜାଣିବା ପାଇଁ ଟେକ୍ନିକାଲ ଯାଞ୍ଚ ଚାଲିଛି। ତେବେ ଏହି ଦୁର୍ଘଟଣାରେ କେତୋଟି ବଗି ପ୍ରଭାବିତ ହୋଇଛି ଏବଂ ଘଟଣାର ପରିସ୍ଥିତି ସମ୍ପର୍କରେ ଅଧିକ ବିବରଣୀ ଏଯାଏ ମିଳିପାରିନାହିଁ। ତେବେ ଆଗକୁ ପଶ୍ଚିମ ରେଲୱେ ଅଧିକାରୀ ଏହି ଘଟଣା ନେଇ ଅଧିକ ତଥ୍ୟ ପ୍ରଦାନ କରିବେ ବୋଲି ଅନୁମାନ କରାଯାଉଛି।