ନୂଆଦିଲ୍ଲୀ ୧୨/୧୦: ‘ସୈୟାରା’ ଫେମ୍ ଅନୀତ ପଡ୍ଡା ନିଜର ଏକ ପୁରୁଣା ଭିଡିଓ ପାଇଁ ଅଡୁଆରେ ଛନ୍ଦି ହୋଇଛନ୍ତି । ପ୍ରସିଦ୍ଧ ଉର୍ଦ୍ଦୂ କବିତା ‘ଲବ୍ ପେ ଆତୀ ହୈ ଦୁଆ’ ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଭାଇରାଲ ହେଉଥିବା ପୁରୁଣା ଭିଡିଓରେ ଅନୀତ ପ୍ରସିଦ୍ଧ କବି ମହମ୍ମଦ ଇକବାଲଙ୍କର ଏହି କବିତାକୁ ରାପ୍ ଷ୍ଟାଇଲ୍ରେ ଗାଇଛନ୍ତି । ଏହାକୁ ନେଇ ସୋସିଆଲ ମିଡିଆ ୟୁଜର୍ ତାଙ୍କ ବିରୋଧରେ ମୁସଲମାନଙ୍କ ଭାବନାକୁ ଆଘାତ ପହଞ୍ଚାଇବାର ଅଭିଯୋଗ କରିଛନ୍ତି । ନିଜର ସାଦାସିଧା ଲୁକ୍ ପାଇଁ ଚର୍ଚ୍ଚାର ଶିଖରରେ ଥିବା ଅନୀତ ପ୍ରଥମ ଥର ଟ୍ରୋଲର୍ଙ୍କ ଟାର୍ଗେଟ୍କୁ ଆସିଛନ୍ତି । ଅନୀତ ନିରାଶ କଲେ ବୋଲି ଜଣେ ୟୁଜର୍ ଲେଖିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ଏ ପ୍ରକାର ବ୍ୟବହାର ଆପଣଙ୍କୁ ଶୋଭା ପାଉନାହିଁ ।
ଫିଲ୍ମ ‘ସୈୟାରା’ରୁ ରାତାରାତି ଷ୍ଟାର୍ ବନିଥିବା ଅନୀତ ଖୁବ୍ଶୀଘ୍ର ଏକ ଲଭ୍ଷ୍ଟୋରୀରେ ଆସିବେ । ‘ବ୍ୟାଣ୍ଡ୍ ବାଜା ବାରାତ୍’ ଫେମ୍ ନିର୍ଦ୍ଦେଶକ ମନୀଷ ଶର୍ମା ତାଙ୍କୁ ନେଇ ଏକ ରୋମାଣ୍ଟିକ୍ ଫିଲ୍ମ ନିର୍ମାଣ କରିବେ । ୟଶରାଜ ଫିଲ୍ମସ ଏହାର ପ୍ରଯୋଜନା ଦାୟିତ୍ୱ ନିର୍ବାହ କରିବ । ଫିଲ୍ମର ପ୍ରାକ୍-ପ୍ରଯୋଜନା କାମ ଆରମ୍ଭ ହୋଇଛି । ଏହା ପଞ୍ଜାବ ପୃଷ୍ଠଭୂମି ଉପରେ ଆଧାରିତ ହେବ । ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ସୁଟିଂ ଆରମ୍ଭ ହେବ । ଅନୀତଙ୍କ ଅପୋଜିଟ୍ରେ ନାୟକ କିଏ ହେବେ, ସେ ନେଇ ନିର୍ମାତା ଘୋଷଣା କରିନାହାନ୍ତି ।