କଟକ,୪।୧୦ : ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ ଦ୍ୱାରା ପରିଚାଳିତ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ତଦନ୍ତରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଚାକିରି ଦେବା ଠକେଇ ରାକେଟରେ ସମ୍ପୃକ୍ତି ଅଭିଯୋଗରେ ଆଉ ଜଣକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଉଛନ୍ତି କଟକ ବାରଙ୍ଗ ଥାନା ବିଦ୍ୟାଧରପୁର ଗାଁର ବିଶ୍ୱରଞ୍ଜନ ବେହେରା (୨୯)।
କ୍ରାଇମବ୍ରାଞ୍ଚ ସୂଚନା ଅନୁସାରେ ବିଶ୍ୱରଂଜନ ଜାଲିଆତି ସିଣ୍ଡିକେଟର ଏକ ଅଂଶ। ସେ ଚାକିରି ଜାଲିଆତି ସିଣ୍ଡିକେଟ ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ଆଶାୟୀ ପ୍ରାର୍ଥୀଙ୍କ ସହିତ ଯୋଗାଯୋଗ କରିଥାଏ। ପରୀକ୍ଷା ପାଇଁ ଆଗୁଆ ପ୍ରଶ୍ନପତ୍ର ଯୋଗାଇବା ବଦଳରେ ଆଶାୟୀଙ୍କଠାରୁ ମୂଳ ପ୍ରମାଣପତ୍ର ଏବଂ ଖାଲି ଚେକ୍ ସଂଗ୍ରହ କରିଥାଏ। ଏଗୁଡିକ ନେଇ ରାକେଟ ମୁଖ୍ୟଙ୍କ ପାଖରେ ପହଞ୍ଚାଇଥାଏ। ବିଶ୍ୱରଞ୍ଜନ ବେହେରାଙ୍କ ବିରୁଦ୍ଧରେ ମିଳିଥିବା ପ୍ରମାଣକୁ ଆଧାର କରି ଶନିବାର ଗିରଫ କରାଯାଇ ବ୍ରହ୍ମପୁର ଜେଏମଏଫସି କୋର୍ଟକୁ ଚାଲାଣ କରାଯାଇଛି। ଉଲ୍ଲେଖଯୋଗ୍ୟ ପୂର୍ବରୁ ଏହି ମାମଲାରେ ୧୧୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।