ଫିରିଙ୍ଗିଆ,୩୧/୧୦ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଉପାନ୍ତ ଅଞ୍ଚଳ ସୁମେରୁ ବନ୍ଧ ପଞ୍ଚାୟତରେ ଦୀର୍ଘ ଦିନ ହେବ ନିଶାମୁକ୍ତ ମଦ ବିରୋଧୀ ଆନ୍ଦୋଳନ ଜାରି ରହିଛି । ପୂର୍ବରୁ ସୁମେରୁ ବନ୍ଧ ପଞ୍ଚାୟତର ସରପଞ୍ଚ ସୁଶୀଳା କହଁର ଏବଂ ପଞ୍ଚାୟତର ୩୦ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ନେଇ ମଦ ବିରୋଧୀ ଆନ୍ଦୋଳନ ସହ ଗାଁଗାଁରେ ସଚେତନତା ରାଲି କରାଯାଇଛି । ଗାଁ ଗାଁରେ ଦେଶୀ ବିଦେଶୀ ମଦ ବିକ୍ରି କରୁଥିବା ଲୋକଙ୍କୁ ମଦ ବିକ୍ରି ବନ୍ଦ କରିବା ପାଇଁ ତାଗିଦ କରିବା ସହ ମହିଳାମାନେ ଘରେ ପଶି ମଦ ବୋତଲ ଭାଙ୍ଗିବା ସହ ମଦ ବିକ୍ରି ନ କରିବାକୁ କଡ଼ା ଚେତାବନୀ ଦେଇଥିଲେ l
କିଛିଦିନ ପରେ ପୁଣି ଅଞ୍ଚଳରେ ମଦ ବିକ୍ରି ବଢିବା ସହ ଘରେ ଘରେ ନିଶାସକ୍ତ ଅବସ୍ଥାରେ ଝଗଡ଼ା ବଢିବା ସହ କମ୍ ବୟସର ନାବାଳକ ସହ ଯୁବକମାନେ ମଦ ପିଇ ଦୁର୍ଘଟଣାରେ ମୃତ୍ୟୁ ଘଟିବା ଏବଂ ପରିବାରରେ ଅଶାନ୍ତି ବଢିବା ପରେ ପୁଣି ଥରେ ଅଞ୍ଚଳର ମହିଳାମାନେ ମଦ ବିରୋଧୀ ଆନ୍ଦୋଳନକୁ ତୀବ୍ରତର କରିବା ସହ ନିଶାମୁକ୍ତ ପାଇଁ ପ୍ଲା କାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇ ଘରେ ଘରେ ପଶି ଦେଶୀ ଓ ବିଦେଶୀ ମଦ ଜବତ କରିଥିଲେ l ୫୦ଲିଟରରୁ ଅଧିକ ଦେଶୀ ମଦ, ବିଦେଶୀ ମଦ ସହ ମଦ ରନ୍ଧାରେ ବ୍ୟବହୃତ ସରଞ୍ଜାମ, ମହୁଲ ପୋଚ ପ୍ଲାଷ୍ଟିକ ଜାର, ମାଠିଆ ଭଳି ଜିନିଷ ଜବତ କରିଥିଲେ ଅଞ୍ଚଳର ମହିଳାମାନେ l
ସୁମେରୁ ବନ୍ଧ ପଞ୍ଚାୟତର ଗାଜୁର ପାଙ୍ଗା, ଲଦା ପଦର, କନ୍ଦେଲି ପାଙ୍ଗା, ସୁଲକା ପାଙ୍ଗା, ରାତାମାସ୍କା, ସାଉଲି ପାଡା, କିଲେରୀ ପାଙ୍ଗା, ମାଦି ପଡ଼ା, ବୃଡ଼ି ଗୁଡା, ବାଇଡ଼ି ପଦର, ଗାଗଡ଼ ପଦର, ଡମାଙ୍ଗ ପଦର, ଡିଗୁରି ଗୁଡା, ସୁମେରୁ ବନ୍ଧ ଭଳି ପଞ୍ଚାୟତର ୧୦ରୁ ଅଧିକ ଗାଁର ମହିଳାମାନେ ଏହି ମଦ ବିରୋଧ ନିଶାମୁକ୍ତ ଆନ୍ଦୋଳନରେ ସାମିଲ ହୋଇଥିଲେ l ପୁଲିସ କିମ୍ବା ଅବକାରୀ ବିଭାଗ ମଦ ବିକ୍ରି କରୁଥିବା ଲୋକଙ୍କ ବିରୁଦ୍ଧରେ କୌଣସି ଗୁରୁତ୍ବ ଦେଉନଥିବାରୁ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି । ଅବକାରୀ ବିଭାଗ କିମ୍ବା ପୋଲିସ ଏ ବିଷୟରେ ଗୁରୁତ୍ୱ ନ ଦେଲେ ଆଗାମୀ ଦିନରେ ଅଞ୍ଚଳରେ କେହି ମଦ ବିକ୍ରି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ସୁଶୀଳା କହଁରଙ୍କ ସହ ମହିଳାମାନେ l