ଦୁବାଇ, ୨୮/୦୯: ସୁପର ସନ୍‌ଡେ'ରେ  ଏସିଆ କପ୍‌ ଫାଇନାଲ୍‌ ଫାଇଟ୍ ।  ସାମ୍ନା ସାମ୍ନି ହେବେ ଦୁଇ ପାରମ୍ପରିକ  ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ।  ଉଭୟ ଦଳ ମଧ୍ୟରେ ସର୍ବଦା ହାଇ ଭୋଲଟେଜ ମୁକାବିଲା ହୋଇ ଆସୁଥିବାବେଳେ ଏଥର ପରିସ୍ଥିତି  ସମ୍ପୂର୍ଣ୍ଣ ଅଲଗା । ବିବାଦ ପରେ ବିବାଦ  ଲାଗି ରହିଛି । ଭାରତ ମଧ୍ୟ ଆଧିପତ୍ୟ ବଜାୟ ରଖିଛି। ପରାଜୟ ଜର୍ଜରିତ ପାକିସ୍ତାନ ରକ୍ତ ଚାଉଳ ଚୋବାଉଛି । ଉଭୟ ଦଳ ମଧ୍ୟରେ ତୃତୀୟ  ମୁକାବିଲା ସମ୍ପୂର୍ଣ୍ଣ କ୍ରିକେଟ୍‌ ଜଗତକୁ  ଆକର୍ଷିତ କରି ରଖିଛି ।

ଏସିଆ କପ୍‌ ଇତିହାସରେ ଉଭୟ ଦଳ ପ୍ରଥମ କରି ଫାଇନାଲରେ ସାମ୍ନା  ସାମ୍ନି ହେବାକୁ ଯାଉଛନ୍ତି । ଭାରତ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଅପରାଜେୟ ରହିଛି । ଲିଗ୍‌ ଓ ସୁପର-୪ ରାଉଣ୍ଡରେ  ପାକିସ୍ତାନକୁ ହରାଇ ସାରିଛି । ଆଜି ମଧ୍ୟ ଭାରତ ଆଧିପତ୍ୟ  ଜାରି ରଖି ନବମ ଟାଇଟଲ ହାସଲ  କରିବାକୁ ପ୍ରସ୍ତୁତ । ଅଭିଷେକ ଶର୍ମା, ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ  ନିର୍ଭର କରିବା ଆଶା କରାଯାଉଛି । ଅଭିଷେକ  ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ଓ କୁଲଦୀପ  ସର୍ବାଧିକ ୧୩ଟି ୱିକେଟ୍‌ ଅର୍ଜନ କରିସାରିଛନ୍ତି ।  ବୁମରା ଲୟରେ ରହିଲେ ପ୍ରତିପକ୍ଷର କୌଣସି  ବ୍ୟାଟର ତାଙ୍କ ମୁକାବିଲା କରିପାରିବେ ନାହିଁ ।  ଏମାନଙ୍କ ବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ମଧ୍ୟ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।

ଅନେକ ଉତ୍‌ଥାନ ଓ ପତନ ମଧ୍ୟରେ  ପାକିସ୍ତାନ ସଂଘର୍ଷ କରି ଫାଇନାଲ୍‌ରେ ପହଞ୍ଚିଛି ।  ଭାରତକୁ ହରାଇବାର କ୍ଷମତା ମଧ୍ୟ ଦଳ ନିକଟରେ  ରହିଛି । ଦୁଇ ପେସ୍‌ ବୋଲର ସହିନ ଆଫ୍ରିଦି ଓ  ହ୍ୟାରିସ ରୌଫଙ୍କ ଉପରେ ଦଳର ଭାଗ୍ୟ ନିର୍ଭର  କରିବ । ବ୍ୟାଟିଂରେ ଫଖାର ଜମାନ, ସାହିବଜାଦା  ଫରହାନ, ମହମ୍ମଦ ନୱାଜ ଓ ସଲମାନ ଆଘା  ବଡ଼ ସ୍କୋର ସଂଗ୍ରହ କଲେ ପାକିସ୍ତାନର ପରାଜୟ  ଧାରାରେ ବ୍ରେକ୍‌ ଲାଗି ପାରିବ ।

ଆଜି ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ  ରହିବ । ଅଭିଷେକ ଶର୍ମାଙ୍କୁ ସହଳ  ଆଉଟ କରିବା ପାକିସ୍ତାନ ବୋଲରଙ୍କ  ମୁଖ୍ୟ ଦାୟିତ୍ୱ ରହିବ । କ୍ରମାନ୍ୱୟରେ  ୩ଟି ଅର୍ଦ୍ଧଶତକ ଅର୍ଜନ କରିସାରିଥିବା  ଅଭିଷେକ ମୁଖ୍ୟ ଆକର୍ଷଣ  ସାଜିବେ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ  ବିଶ୍ରାମ ନେଇଥିବା ଯଶପ୍ରୀତ ବୁମରା ପୁଣି  ଥରେ ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ । ପାକିସ୍ତାନକୁ ଜିତିବାକୁ ହେଲେ  ପ୍ରଥମେ ବ୍ୟାଟିଂ ବିଭାଗକୁ ବଡ଼ ସ୍କୋର  ସଂଗ୍ରହ କରିବାକୁ ହେବ । ଫର୍ମ  ହରାଇଥିବା ସାଏମ ଆୟୁବ, ଫଖାର  ଜମାନ, ସାହିବଜାଦ ଫରହାନଙ୍କ ବ୍ୟାଟ୍‌ରୁ  ଉପଯୋଗୀ ସ୍କୋର ଆଶା କରାଯାଉଛି ।

ଦୁବାଇ ପିଚ୍‌ ମନ୍ଥର ରହିଥିବାରୁ  ସ୍ପିନରମାନେ ପ୍ରମୁଖ ଭୂମିକା ଗ୍ରହଣ  କରିବେ । ରାତ୍ରିରେ କାକର ପଡ଼ିବାର  ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଟସ  ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର  ନିଶ୍ଚିତ । ପ୍ରାରମ୍ଭରୁ ପିଚ୍‌ ନୂଆ ବଲ୍‌ରେ  ପେସ୍‌ ବୋଲରଙ୍କୁ ସହାୟତା କରିବ ।

ସମ୍ଭାବ୍ୟ ଦଳ

ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ୍‌,  ସୂର୍ଯ୍ୟକୁମାର ଯାଦବ (ଅଧିନାୟକ),  ତିଳକ ବର୍ମା, ସଞ୍ଜୁ ସାମସନ, ହାର୍ଦ୍ଦିକ  ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ,  କୁଲଦୀପ ଯାଦବ, ଯଶପ୍ରୀତ ବୁମରା,  ବରୁଣ ଚକ୍ରବର୍ତ୍ତୀ ।

ପାକିସ୍ତାନ: ସାହିବଜାଦା ଫରହାନ, ଫଖାର  ଜମାନ, ସାଏମ ଆୟୁବ, ସଲମାନ ଅଲି  ଆଘା (ଅଧିନାୟକ), ହୁସେନ ତଲତ,  ମହମ୍ମଦ ନୱାଜ, ମହମ୍ମଦ ହାରିସ,  ଫହିମ ଅଶ୍ରଫ, ସହିନ ଆଫ୍ରିଦି,  ହ୍ୟାରିସ ରୌଫ, ଅବରାର ଅହମ୍ମଦ ।