ଦୁବାଇ, ୨୯/୦୯: ଏସିଆ କପ୍ର ଚଳିତ ସଂସ୍କରଣ ବାଦ ବିବାଦ ମଧ୍ୟରେ ଶେଷ ହୋଇଛି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟ୍ରେ ହରାଇ ଡିଫେଣ୍ଡିଂ ଚାମ୍ପିଅନ ଭାରତ ନବମ ଥର ଏସିଆ କପ୍ ଚାମ୍ପିଅନ୍ ହୋଇଛି । ଏସିଆ କପ୍ ଚାମ୍ପିଅନ୍ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇ ୨୧କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଉଭୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ଏହି ପୁରସ୍କାର ପାଇଛନ୍ତି।
ବିସିସିଆଇ ତା’ର ଅଫିସିଆଲ୍ ସୋସିଆଲ୍ ମିଡିଆ ‘ଏକ୍ସ’ ପୃଷ୍ଠାରେ ଟ୍ୱିଟ୍ କରି ପୁରସ୍କାର ଘୋଷଣା କରିଥିଲା । ଏଥିରେ ଉଲ୍ଲେଖ ରହିଥିଲା ଯେ, ୩ଥର । ଶୂନ ପ୍ରତିକ୍ରିୟା । ଏସିଆ କପ୍ ଚାମ୍ପିଅନ୍ । ବାର୍ତ୍ତା ପହଞ୍ଚି ଯାଇଛି । ଟିମ୍ ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ୨୧ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ।
3 blows.
— BCCI (@BCCI) September 28, 2025
0 response.
Asia Cup Champions.
Message delivered. 🇮🇳
21 crores prize money for the team and support staff. #AsiaCup2025 #INDvPAK #TeamIndia pic.twitter.com/y4LzMv15ZC
ରବିବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଭୀଷଣ ଲଢ଼େଇ । ତିଳକ ବର୍ମା ପାକ୍ର ରଣନୀତିର ପ୍ରାଚୀରକୁ ଭେଦ କରି ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ, ଶେଷରେ ରିଙ୍କୁ ସିଂ ଆକର୍ଷଣୀୟ ଚୌକା ମାରି ଦଳକୁ ଏସିଆ କପ୍ ଚାମ୍ପିଅନ କରାଇଥିଲେ । ଶେଷ ୨ ଓଭରରେ ଭାରତ ୧୭ ରନ୍ ଆବଶ୍ୟକ କରୁଥିଲା । ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଫଇମ ଅସ୍ରଫ । ପ୍ରଥମ ୩ ବଲରେ ଏକ ରନ୍ ଲେଖାଏଁ ସେ ବ୍ୟୟ କରିଥିଲେ । ଚତୁର୍ଥ ବଲରେ ଶିବମ ଦୁବେ ଚୌକା ମାରିଥିଲେ । ପଞ୍ଚମ ବଲରେ କୌଣସି ରନ୍ ହୋଇନଥିଲା । ଅନ୍ତିମ ବଲରେ ଦୁବେ ଲଙ୍ଗ୍ ଅଫ୍ରେ ବିଶାଳ ଛକା ମାରିଥିଲେ । କିନ୍ତୁ ଛକାର ମଉଜ ମଧ୍ୟରେ ପ୍ରଶଂସକଙ୍କ ହୃଦ୍ସ୍ପନ୍ଦନ ଯେମିତି କିଛି ସେକେଣ୍ଡ ଅଟକି ଯାଇଥିଲା । ଦୁବେ ଆଉଟ୍ ହୋଇଥିଲେ । ସେ ୨୨ ବଲରୁ ୩୩ ରନ୍ (୨ ଚୌକା, ୨ ଛକା) କରିଥିଲେ ।
ଅନ୍ତିମ ଓଭରରେ ଲୋଡ଼ା ଥିଲା ୧୦ ରନ୍ । ହ୍ୟାରିସ୍ ରୌଫଙ୍କ ପ୍ରଥମ ବଲରେ ତିଳକ ବର୍ମା ୨ ରନ୍ ନେଇଥିଲେ । ପୁଣି ଦ୍ୱିତୀୟ ବଲରେ ଛକା ମାରିବା ପରେ ଭାରତୀୟ ଘୋର ଆଶ୍ୱସ୍ତି ପ୍ରକାଶ କରିଥିଲେ । ତୃତୀୟ ବଲରେ ସେ ୧ ରନ୍ ନେଇଥିଲେ । ଚତୁର୍ଥ ବଲ୍ରେ ରିଙ୍କୁ ସିଂ ଚୌକା ମାରି ଦଳକୁ ଜିତାଇଥିଲେ । ଏ ବିଜୟ ଧ୍ୱନି ଦୁବାଇରୁ ଭାରତର କୋଣ ଅନୁକୋଣରେ ଗୁଞ୍ଜରିତ ହୋଇଥିଲା । ତିଳକ ୫୩ ବଲରୁ ୩ ଚୌକା ଓ ୪ ଛକା ସହାୟତାରେ ୬୯ ରନ୍ ଏବଂ ରିଙ୍କୁ ୪ ରନ୍ କରି ଅପରାଜିତ ରହିଥିଲେ । ଡିଫେଣ୍ଡିଂ ଚାମ୍ପିଅନ ଭାରତ ଚିତ୍ତାକର୍ଷକ ଫାଇନାଲରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫ ୱିକେଟ୍ରେ ହରାଇ ନବମ ଥର ଟାଇଟଲ ଜିତିଛି । ଚଳିତ ଏସିଆ କପ୍ରେ ଭାରତ ତୃତୀୟ ଥର ପାକିସ୍ତାନକୁ ହରାଇବାରେ ସଫଳ ହୋଇଛି ।
ଅନ୍ୟପଟେ ଏସିଆ କପ୍ର ମ୍ୟାଚ୍ ଫି' ଭାରତୀୟ ସେନାକୁ ସମର୍ପିତ କଲେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ। ଏନେଇ ସୋସିଆଲ୍ ମିଡିଆ ‘ଏକ୍ସ’ ପୃଷ୍ଠାରେ ଟ୍ୱିଟ୍ରେ ସୂର୍ଯ୍ୟକୁମାର ଲେଖିଛନ୍ତି ଯେ ମୁଁ ଏହି ଟୁର୍ଣ୍ଣାମେଣ୍ଟରୁ ମୋର ସମସ୍ତ ମ୍ୟାଚ୍ ଫି' ଭାରତୀୟ ସେନା ବାହିନୀ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କ ପରିବାରକୁ ସମର୍ଥନ କରିବା ପାଇଁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ତୁମେ ସବୁବେଳେ ମୋ ହୃଦୟରେ ରହିବ।
I have decided to donate my match fees from this tournament to support our Armed Forces and the families of the victims who suffered from the Pahalgam terror attack. You always remain in my thoughts 🙏🏽
— Surya Kumar Yadav (@surya_14kumar) September 28, 2025
Jai Hind 🇮🇳