ଦୁବାଇ, ୧୦/୯ : ଚଳିତ ଏସିଆ କପ୍‌ରେ ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ଭାରତ ଅଭିଯାନ ଆରମ୍ଭ କରିବ । ଟି-ଟ୍ୱେଣ୍ଟି ବିଶ୍ୱ ଚାମ୍ପିଅନ ଦଳ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ରେ ଘରୋଇ ୟୁଏଇକୁ ଭେଟିବ । ଭାରତକୁ ଭାବି ବିଜେତା ଭାବେ ଗଣନା କରାଯାଉଥିଲେ ହେଁ ବିପର୍ଯ୍ୟୟ ଘଟାଇବା ପାଇଁ ଘରୋଇ ଦଳ ସମସ୍ତ ପ୍ରସ୍ତୁତି କରିଛି । ଭାରତକୁ ୨୦୨୪ ବିଶ୍ୱକପ ଜିତାଇଥିବା ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟର ବିରାଟ କୋହଲି ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଏଥର ଏସିଆ କପ୍‌ ଦଳରେ ନାହାନ୍ତି । ତଥାପି ଭାରତ ପ୍ରମୁଖ ଟାଇଟଲ ଦାବିଦାର ରହିଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧିନ ଭାରତୀୟ ଦଳକୁ ହରାଇବା କୌଣସି ସ୍ୱପ୍ନଠୁ କମ୍‌ ନୁହେଁ । ଉଭୟ ଦଳ ପୂର୍ବରୁ କେବଳ ୨୦୧୬ ଏସିଆ କପ୍‌ରେ ସାମ୍ନାସାମ୍ନି ହୋଇଥିଲେ । ଭାରତ ଉକ୍ତ ମ୍ୟାଚ୍‌କୁ ୯ ୱିକେଟ୍‌ରେ ଜିତିଥିଲା । 

୨୦୧୫ ଦିନିକିଆ ବିଶ୍ୱକପ୍‌ରେ ମଧ୍ୟ ଭାରତ ଠାରୁ ୟୁଏଇ ପରାଜିତ ହୋଇଥିଲା । ଗତ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଠାରୁ ଇତି ମଧ୍ୟରେ ଭାରତ ୨୭ଟି ଟି-ଟ୍ୱେଣ୍ଟି ଖେଳିଛି ଓ ୨୪ଟି ମ୍ୟାଚ ଜିତିଛି । ୟୁଏଇ ସବୁ ବିଭାଗରେ ଭାରତଠୁ ଦୁର୍ବଳ । କିନ୍ତୁ ୟୁଏଇ କୋଚ୍‌ଙ୍କ ନିକଟରେ କିଛି ଗୁପ୍ତ ଫର୍ମୁଲା ମଧ୍ୟ ରହିଛି । ପୂର୍ବତନ ଭାରତୀୟ ଖେଳାଳି ଲାଲଚାନ୍ଦ ରାଜପୁତ ବର୍ତ୍ତମାନ ୟଏଇ ଦଳର କୋଚ । ୨୦୦୭ରେ ରାଜପୁତ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ ଚାମ୍ପିଅନ୍‌ ଭାରତୀୟ ଦଳର ମ୍ୟାନେଜର ରହିଥିଲେ । ଭାରତୀୟ ଦଳ ଘୋଷଣା ହେବା ଦିନଠୁ ଚୂଡ଼ାନ୍ତ ଏକାଦଶକୁ ନେଇ ଆଲୋଚନା ଜାରି ରହିଛି । ଶୁଭମନ ଗିଲ୍‌ ଉପ ଅଧିନାୟକ ଭାବେ ଟି-ଟ୍ୱେଣ୍ଟି ଦଳକୁ ଫେରିବା ଫଳରେ ସଞ୍ଜୁ ସାମସନ ଏକାଦଶରୁ ବାଦ ପଡ଼ିବା ଏକ ପ୍ରକାର ନିଶ୍ଚିତ ରହିଛି । ଅଭିଷେକ ଶର୍ମାଙ୍କ ସହ ଗିଲ୍‌ ଓପନ କରିବେ । ଫଳରେ ସାମସନ ବଳି ପଡ଼ିଯିବେ । ବ୍ୟାଟିଂ କ୍ରମର ୩, ୪ ଓ ୫ନଂ ସ୍ଥାନକୁ ଅପରିବର୍ତ୍ତିତ ରଖାଯିବା ନିଶ୍ଚିତ । ତେଣୁ ସାମସନଙ୍କ ବଦଳରେ ଜିତେଶ ଶର୍ମାଙ୍କୁ ୱିକେଟ୍‌ କିପର ଭାବେ ପ୍ରାଥମିକତା ମିଳିବ । ବୋଲିଂ ବିଭାଗକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ । ଭାରତ ୪ ବୋଲର ଓ ୨ ଅଲ୍‌ରାଉଣ୍ଡର ନେଇ ଖେଳିଲେ ଦୁଇ ପ୍ରମୁଖ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଏକାଦଶରେ ସ୍ଥାନ ପାଇବେ । ଟିମ ମ୍ୟାନେଜମେଣ୍ଟ ୮ନଂ ସ୍ଥାନ ପର୍ଯ୍ୟନ୍ତ ବ୍ୟାଟିଂ ଲମ୍ବାଇବାକୁ ଚାହିଁଲେ ହର୍ଷିତ ରାଣା ଏକାଦଶକୁ ଫେରିବେ ଓ କୁଲଦୀପ କିମ୍ବା ବରୁଣଙ୍କ ମଧ୍ୟରୁ ଜଣେ ଖେଳିବେ । 

ୟୁଏଇର ବ୍ୟାଟିଂ ବିଭାଗ ମୁଖ୍ୟତଃ ଅଧିନାୟକ ମହମ୍ମଦ ୱାସିମଙ୍କ ଉପରେ ନିର୍ଭର କରିବ । ସେ ଚମତ୍କାର ଫର୍ମରେ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆସିଫ ଖାନ ଓ ରାହୁଲ ଚୋପ୍ରାଙ୍କ ବ୍ୟାଟିଂ ପ୍ରତି ମଧ୍ୟ ଭାରତ ସତର୍କ ରହିବା ଆବଶ୍ୟକ । ଜୁନୈଦ ସିଦ୍ଦିକି, ମହମ୍ମଦ ରୋହିଦ ଓ ହାଇଦର ଅଲି ବୋଲିଂ ବିଭାଗ ସମ୍ଭାଳିବେ । ଗତ ଚାମ୍ପିଅନ୍ସ ଟ୍ରଫି ସମୟରେ ପିଚ୍‌ ଶୁଷ୍କ ଓ ବ୍ୟବହୃତ ରହିଥିଲା । ମାତ୍ର ଏସିଆ କପ୍‌ ପାଇଁ ପ୍ରସ୍ତୁତ ପିଚ୍‌ ସତେଜ ରହିଛି । ଏଠାରେ ଗତ କିଛି ସପ୍ତାହ ହେଲା କୌଣସି ମ୍ୟାଚ୍‌ ଖେଳାଯାଇ ନାହିଁ । ଫଳରେ ପିଚ୍‌ରେ ସବୁଜ ଘାସ ରହିଥିବାରୁ ପେସ୍‌ ବୋଲରଙ୍କୁ ସହାୟତା ମିଳିବ । ମାତ୍ର ଉତ୍ତପ୍ତ ଜଳବାୟୁ ସ୍ପିନ ବୋଲିଂ ପାଇଁ ସହାୟକ ହେବ । 

ସମ୍ଭାବ୍ୟ ଦଳ 
ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ୍‌, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ ଶର୍ମା, ଅକ୍ଷର ପଟେଲ, ହାର୍ଷିତ ରାଣା/ କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ । 
ୟୁଏଇ: ମହମ୍ମଦ ୱାସିମ (ଅଧିନାୟକ), ଆଲିସାନ ଶରାଫୁ, ରାହୁଲ ଚୋପ୍ରା, ଆସିଫ ଖାନ, ମହମ୍ମଦ ଫାରୁକ, ହର୍ଷିତ କୌଶିକ, ମହମ୍ମଦ ଜୋହେବ, ମହମ୍ମଦ ଜୱାଦୁଲ୍ଲା/ସାଗିର ଖାନ, ହାଇଦର ଅଲି, ଜୁନୈଦ ସିଦ୍ଦିକି, ମହମ୍ମଦ ରୋହିଦ ।