ନୂଆଦିଲ୍ଲୀ: ଏକ ନାଟକୀୟ ଘଟଣାକ୍ରମେ ପଶ୍ଚିମବଙ୍ଗର ରାଜ୍ୟପାଳ ସିଭି ଆନନ୍ଦ ବୋଷ ବୁଧବାର ମମତା ବାନାର୍ଜୀ ସରକାରଙ୍କୁ ବିଜେପି ନେତାଙ୍କ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ୨୪ ଘଣ୍ଟାର ସମୟସୀମା ପ୍ରଦାନ କରିଛନ୍ତି। ଆଉ ଯଦି ସରକାର ଏହି କାମ କରିବାରେ ବିଫଳ ହୁଅନ୍ତି ତେବେ ସମ୍ୱିଧାନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ବିଜେପି ସାଂସଦ ଖଗେନ ମୁର୍ମୁ ଏବଂ ବିଧାୟକ ଶଙ୍କର ଘୋଷ ପଶ୍ଚିମବଙ୍ଗର ଜଲପାଇଗୁଡ଼ିର ନାଗରକଟା ଅଞ୍ଚଳରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ପୀଡିତ ମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରୁଥିଲେ। ଏହି ସମୟରେ ତାଙ୍କ ଉପରେ ଅତାତାୟୀମାନେ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ପ୍ରଥମେ ସେମାନଙ୍କ ଉପରେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ, ଯାହା ଫଳରେ ସାଂସଦ ମୁର୍ମୁ ଗୁରୁତର ଆହତ ହେବା ସହ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।

ଏହି ଆକ୍ରମଣରେ ବିଧାୟକ ଘୋଷ ମଧ୍ୟ ଆହତ ହୋଇଥିଲେ ଏବଂ ତାଙ୍କ ଗାଡ଼ିକୁ ଆକ୍ରମଣକାରୀମାନେ ଭଙ୍ଗାରୁଜା କରିଥିଲେ। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ରାଜ୍ୟପାଳ କହିଛନ୍ତି ଯେ, ଯଦି ଆକ୍ରମଣକାରୀମାନଙ୍କୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗିରଫ ନକରାଯାଏ, ତେବେ ମୁଁ ସମ୍ୱିଧାନ ଅନୁଯାୟୀ ଆଗକୁ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବି। ଗତ ମଙ୍ଗଳବାର ସେ ଦୁଇ ଆହତ ବିଜେପି ନେତାଙ୍କୁ ଭେଟିବାକୁ ସିଲିଗୁଡିସ୍ଥିତି ଡାକ୍ତରଖାନାକୁ ଯାଇଥିଲେ।

ରାଜ୍ୟପାଳ ଆନନ୍ଦ ବୋଷ ଆହୁରି ମଧ୍ୟ କହିଛନ୍ତି ଯେଭାରତୀୟ ସମ୍ୱିଧାନ ଅନୁଯାୟୀ ସମସ୍ତ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଆବଶ୍ୟକ। ତେଣୁ ପଶ୍ଚିମବଙ୍ଗ ସରକାର ମଧ୍ୟ ଏଭଳି ଘୃଣ୍ୟ ଚିନ୍ତାଧାରା ଲୋକଙ୍କୁ ଜଲଦି ଶାସ୍ତି ପ୍ରଦାନ କରନ୍ତୁ। ନଚେତ ଏହା ସିଧାସଳଖ ଲୋକତନ୍ତ୍ର ଉପରେ ଆକ୍ରମଣ ସହ ସମାନ ହୋଇଯିବ।