ମୁମ୍ବାଇ, ୩/୯ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରାୟୋଜକରୁ ଡ୍ରିମ ଇଲେଭେନ ଓହରିଯିବା ପରେ ବିସିସିଆଇ ନୂଆ ପ୍ରାୟୋଜକ ପାଇଁ ବିଡ୍ ଆହ୍ୱାନ କରିଛି । ନୂଆ ପ୍ରାୟୋଜକ ପାଇଁ ଆଶାୟୀ ଅନୁଷ୍ଠାନ ଚଳିତ ମାସ ୧୨ ତାରିଖ ସୁଦ୍ଧା ବିଡ୍ (ଏକ୍ସପ୍ରେସନ ଅଫ ଇଣ୍ଟ୍ରେଷ୍ଟ) କିଣିବେ ଓ ୧୬ ତାରିଖ ସୁଦ୍ଧା ବିଡ୍ ଦାଖଲ କରିବେ । ଯାହା ଫଳରେ ଭାରତୀୟ ଦଳ ଆଗାମୀ ଏସିଆ କପ୍ରେ ବିନା ପ୍ରାୟୋଜକ ଲୋଗୋ ସହ ଗ୍ରାଉଣ୍ଡକୁ ଓହ୍ଲାଇବ । ଭାରତୀୟ ଖେଳାଳିଙ୍କ ଜର୍ସିରେ ମୁଖ୍ୟ ପ୍ରାୟୋଜକଙ୍କ ଲୋଗୋ ଦେଖିବାକୁ ମିଳିବ ନାହିଁ । ୯ ତାରିଖରୁ ଏସିଆ କପ୍ ଆରମ୍ଭ ହେବ ।
କେନ୍ଦ୍ର ସରକାରଙ୍କ ନୂଆ କ୍ରୀଡ଼ା ବିଲ୍ ଅନୁମୋଦନ ପରେ ଡ୍ରିମ ଇଲେଭେନ ମୁଖ୍ୟ ପ୍ରାୟୋଜକ ଚୁକ୍ତି ରଦ୍ଦ କରିବାକୁ ବାଧ୍ୟ ହୋଇଥିଲା । ଏହି କମ୍ପାନୀ ୩୫୮ କୋଟି ଟଙ୍କା ମୂଲ୍ୟରେ ୨୦୨୩ରୁ ୨୦୨୬ ଶେଷ ପର୍ଯ୍ୟନ୍ତ ପ୍ରାୟୋଜକ ଭାବେ ଚୁକ୍ତି କରିଥିଲା । ବିଡ୍ ମୂଲ୍ୟ ରଖାଯାଇଛି ୫ଲକ୍ଷ ଟଙ୍କା । ଅର୍ଥାତ ଆଶାୟୀ ଅନୁଷ୍ଠାନ ୫ଲକ୍ଷ ଟଙ୍କା ଓ ଟିକସ ପ୍ରଦାନ କରି ବିଡ୍ କିଣିପାରିବେ । ଭାରତୀୟ ଟିକସ ସ୍ଲାବ ଅନୁଯାୟୀ ଉକ୍ତ କମ୍ପାନୀକୁ ୫୯୦୦୦୦ (ଜିଏସଟି ୯୦,୦୦୦) ଟଙ୍କା ପୈଠ କରି ବିଡ୍ କିଣିବାକୁ ହେବ । ବିଡ୍ ଆହ୍ୱାନ ଅବସରରେ ବିସିସିଆଇ କିଛି କଠୋର ନିୟମ ଘୋଷଣା କରିଛି । ମଦ ଓ ତମ୍ବାଖୁ କମ୍ପାନୀ, ବେଟିଂ କମ୍ପାନୀ, କ୍ରିପ୍ଟୋ କରେନ୍ସି, ଅନ ଲାଇନ୍ ମନି ଗେମିଂ କମ୍ପାନୀଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଭଳି କମ୍ପାନୀ ବିଡ୍ କିଣି ପାରିବେ ନାହିଁ ।