ଭୁବନେଶ୍ୱର / ନୂଆପଡା,.୮।୧୧: ବିଜେଡି କୃତ୍ରିମ ବୁଦ୍ଧିମତା ତଥା ଏଆଇ ଜ୍ଞାନକୌଶଳର ଅପବ୍ୟବହାର କରି ବିଭ୍ରାନ୍ତ ସୃଷ୍ଟି କରୁଛି । ଚଳିତ ନୂଆପଡା ଉପନିର୍ବାଚନରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ ଇଂଟେଲିଜେନ୍ସ) ଜରିଆରେ ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ କଦର୍ଥ ଫଟୋଚିତ୍ରକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଭାଇରାଲ କରି ସାଧାରଣ ଭୋଟରଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛି । ଏଭଳି ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆଇନ ମୁତାବକ ଦଣ୍ଡବିଧାନ କରିବାକୁ ବିଜେପିର ଏକ ପ୍ରତିନିଧିଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବୀ କରିଛି ।
ରାଜନୀତିରେ ଶାଳିନତାର ପାଠ ପଢାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜଦଳର କର୍ମୀଙ୍କୁ ପାଠ ପଢାଇବା ପରିବର୍ତ୍ତେ ନିରବ ସାଜିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ସତ କେବେ ଲୁଚି ରହେ ନାହିଁ । ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ଓ ସାଇବର ଆଇନ ଅନୁସାରେ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବା ପାଇଁ ଦାବି କରିଛୁ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମସଂଯୋଜକ ସୁଜିତ କୁମାର ଦାସ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଜ୍ୟ ସାମାଜିକ ଗଣମାଧ୍ୟମ ସହସଂଯୋଜିକା ମାନସୀ ମଞ୍ଜରୀ ପାଢୀ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସଂଗ୍ରାମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।