ଭୁବନେଶ୍ବର ୦୮/୦୯: ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ। ମୁହାଁମୁହିଁ ହେବେ ସିପି ରାଧାକ୍ରିଷ୍ଣନ ଓ ସୁଦର୍ଶନ ରେଡ୍ଡୀ। ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟ ଭିତରେ ହେବ ଟକ୍କର। ଏହା ଭିତରେ ମତଦାନକୁ ଆଉ କିଛି ଘଣ୍ଟା ବାକି ରହିଥିବା ବେଳେ ବିଜେଡି ଖେଳିଲା ହିଡେନ୍ କାର୍ଡ। ଏଥର ଏନ୍ଡିଏ କିମ୍ବା ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀକୁ ସମର୍ଥନ କରିବନି ଦଳ। ଭୋଟ୍ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ଭାବେ ଓହରିଯାଇଛି ବିଜୁ ଜନତା ଦଳ। ଏନେଇ ବଡ଼ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସମସ୍ତ ସାଂସଦଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ସେପଟେ ବିଜେଡିର ରାଜ୍ୟ ସଭାରେ ୭ ଜଣ ସଂସଦ ରହିଛନ୍ତି । ଏହି ଭୋଟ୍ କୌଣସି ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତା ତେବେ ବିଜୁ ଜନତା ଦଳ ଏଭଳି ନିଷ୍ପତ୍ତି କାହିଁକି ନେଲା ତାକୁ ନେଇ ଏବେ ରାଜନୈତିକ ମହଲରେ ଖୁବ୍ ଚର୍ଚ୍ଚା ।
ଆସନ୍ତା ୯ ତାରିଖ ଅର୍ଥାତ୍ ମଙ୍ଗଳବାର ଦେଶର ସପ୍ତଦଶ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ସଂସଦ ଭବନର ରୁମ୍ ନମ୍ବର ଏଫ୍-୧୦୧ ରେ ଦିନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ମତଦାନ ଶେଷ ହେବା ପରେ ଅପରାହ୍ନ ୬ଟାରେ ଭୋଟ୍ ଗଣତି କରାଯିବ ଏବଂ ଫଳାଫଳ ଘୋଷଣା ହେବ ।
ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ୍ ଦେଇଥାନ୍ତି । ସେମାନଙ୍କୁ ନେଇ ଇଲେକ୍ଟୋରାଲ କଲେଜ ଗଠନ କରାଯାଇଥାଏ । ଏହି ଇଲେକ୍ଟୋରାଲ କଲେଜରେ ଉଭୟ ଗୃହର ମୋଟ୍ ୭୮୮ ସାଂସଦ ସ୍ଥାନ ପାଇଥାନ୍ତି । ଅର୍ଥାତ୍ ସେମାନେ ଭୋଟ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ସେମାନଙ୍କ ମଧ୍ୟରେ ରାଜ୍ୟସଭାର ୨୩୩ ନିର୍ବାଚିତ ସଦସ୍ୟ, ୧୨ ଜଣ ମନୋନୀତ ସଦସ୍ୟ ଏବଂ ଲୋକସଭାର ୫୪୩ ଜଣ ସଦସ୍ୟ ସାମିଲ ଅଛନ୍ତି । ହେଲେ ବର୍ତ୍ତମାନ ଇଲେକ୍ଟୋରାଲ କଲେଜର ସଦସ୍ୟ ସଂଖ୍ୟା ରହିଛି ୭୮୨ । ବର୍ତ୍ତମାନ ଲୋକସଭାର ୫ ଓ ରାଜ୍ୟସଭାର ଗୋଟିଏ ଆସନ ଖାଲି ରହିଛି । ନିର୍ବାଚନ ଲାଗି ଜଣେ ପ୍ରାର୍ଥୀଙ୍କୁ ଅତିକମ୍ରେ ୩୯୨ ଭୋଟ୍ ଆବଶ୍ୟକ । ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଏନ୍ଡିଏ ପ୍ରାର୍ଥୀଙ୍କ ପଲା ଭାରି ଅଛି । କାରଣ ତାଙ୍କ ସପକ୍ଷରେ ୪୨୩ ସଦସ୍ୟଙ୍କ ସମର୍ଥନ ରହିଛି । ସେଥିରେ ଲୋକସଭାର ୨୯୩ ଏବଂ ରାଜ୍ୟସଭାର ୧୩୦ ସଦସ୍ୟ ଅଛନ୍ତି । ଯଦି ଏନ୍ଡିଏର ସବୁ ସଦସ୍ୟ ରାଧାକ୍ରିଷ୍ଣଙ୍କ ସପକ୍ଷରେ ମତଦାନ କରନ୍ତି ତେବେ ତାଙ୍କ ବିଜୟ ସୁନିଶ୍ଚିତ । ଏହାବ୍ୟତୀତ ୱାଇଏସ୍ଆରସିପି ମଧ୍ୟ ତାଙ୍କୁ ସମର୍ଥନ ଘୋଷଣା କରିଛି ।
ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୨୧ ତାରିଖରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ ହଠାତ୍ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡିଛି । ସମ୍ବିଧାନର ଧାରା ୬୩ରୁ ୭୧ ଓ ଉପରାଷ୍ଟ୍ରପତି (ନିର୍ବାଚନ) ଆଇନ ଅନୁସାରେ ଧନଖଡଙ୍କ ଇସ୍ତଫାର ୬୦ ଦିନ ଅର୍ଥାତ ସେପ୍ଟେମ୍ବର ୧୯ ତାରିଖ ପୂର୍ବରୁ ନିର୍ବାଚନ କରାଯିବା ଆବଶ୍ୟକ