ଭୁବନେଶ୍ୱର , ୧୩/୧୦ : ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟରମାନେ ସୋମବାର ସନ୍ଧ୍ୟାରେ ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଭୁବନେଶ୍ୱରର ବିକାଶ ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ପାଣ୍ଠି ଯୋଗାଣରେ ଅବହେଳା କରୁଥିବା ବିଷୟରେ ସେମାନେ ଶ୍ରୀ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ବିକାଶ କାମରେ ବାଧା ସୃଷ୍ଟି ହେଉଛି ବୋଲି ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।
ସମସ୍ତ ଅସୁବିଧା ସତ୍ୱେ ଲୋକଙ୍କ ସେବା ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପରାମର୍ଶ ଦେଇଥିଲେ। ଲୋକଙ୍କ ବିକାଶ ଓ କଲ୍ୟାଣ କାମରେ କେବେ ସାଲିସ କରାଯାଇପାରିବ ନାହିଁ ବୋଲି ନବୀନ ସତର୍କ କରିବା ସହ ଏ ବିଷୟରେ ଦଳ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ସେ କହିଥିଲେ । ଏହି ଆଲୋଚନା ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା,ସୁଶାନ୍ତ ରାଉତ,ମେୟର ସୁଲୋଚନା ଦାସ, ବିଜେଡି ଜିଲ୍ଲା ସଭାପତି ଅଶୋକ ପଣ୍ଡା ଓ ବିଜେଡି ନେତା ମନ୍ମଥ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।