ଭୁବନେଶ୍ୱର, ୧୭/୧୦ : ଆଉ ଦୁଇ ଦିନ ପରେ ଦୀପାବଳି । ବନ୍ଧୁ ପରିଜନଙ୍କୁ ଶୁଭେଚ୍ଛା ଜଣେଇବାକୁ ମିଠା ଦୋକାନ ସାମ୍ନାରେ ଲାଗିଲାଣି ଲୋକଙ୍କ ଗହଳି। ଏହାର ଫାଇଦା ନେଇ କିଛି ଅସାଧୁ ବେପାରୀ ବାସି ଓ ଅପମିଶ୍ରିତ ମିଠା ବିକିବାରେ ଲାଗିଛନ୍ତି। ଆଜି ବିଏମସି ପକ୍ଷରୁ ସହରର ୨୦ରୁ ଅଧିକ ମିଠା ଦୋକାନରେ ଚଢ଼ାଉ ହୋଇଛି।
ବିଏମସିର ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲଙ୍କ କହିବା ମୁତାବକ, ଆଜି ଚନ୍ଦ୍ରଶେଖରପୁରର ଶୈଳଶ୍ରୀବିହାର, ନୀଳାଦ୍ରିବିହାର ସହ ଜୟଦେବ ବିହାର ଓ ସିଆରପି ଛକରେ ବିଭିନ୍ନ ଗାଙ୍ଗୁରାମ ଓ ବଡ଼ ମିଠା ଦୋକାନରେ ଚଢ଼ାଉ ଚାଲିଛି। ବର୍ତ୍ତମାନ ସୁଦ୍ଧା ୩୧ଟି ମିଠା ନମୁନା ସଂଗ୍ରହ କରାଯାଇଛି। ବାସି ମିଠା ବିକୁଥିବା ଦୋକାନୀ ୭ ହଜାର ୫୦୦ ଟଙ୍କାର ଜରିମାନା ଭରିଛନ୍ତି।