ଭୁବନେଶ୍ଵର, ୨୦/୯ : ଭିଜିଲାନ୍ସ ଜାଲରେ ବଣାଇ ରୁକୁଡ଼ା​​​​​​​ ଜଳସେଚନ ପ୍ରକଳ୍ପ କର୍ମଚାରୀ। ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ରୁକୁଡ଼ା ଜଳସେଚନ ପ୍ରକଳ୍ପର ଭୂମି ଅଧିଗ୍ରହଣ ଏବଂ ପୁନର୍ବାସ ଅଫିସର କିରାଣୀ ପୃଥ୍ଵୀରାଜ କାମିଲା ଆଜି ଜଣେ ଜମିହରାଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। କାମିଲାଙ୍କ ୪ଟି ଠିକଣାରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି। 

ସୂଚନାନୁଯାୟୀ, ଗତ ୬ମାସ ହେଲା ବଣାଇର ରୁକୁଡ଼ା ଜଳସେଚନ ପ୍ରକଳ୍ପର ଭୂମି ଅଧିଗ୍ରହଣ ଓ ପୁନର୍ବାସ କାର୍ଯ୍ୟାଳୟର କ୍ଲର୍କ-କମ୍-କ୍ୟାସିଅର ପୃଥ୍ୱୀରାଜ କାମିଲାଙ୍କୁ ଜଣେ ଆଦିବାସୀ ଜମିହରା ବ୍ୟକ୍ତି ଜମି ଅଧିଗ୍ରହଣ ଟଙ୍କା ପ୍ରଦାନ ପାଇଁ ଅନୁରୋଧ କରି ଆସୁଥିଲେ। ଜମି ଅଧିଗ୍ରହଣ କ୍ଷତିପୂରଣ ବାବଦକୁ ଆଦିବାସୀ ବ୍ୟକ୍ତି ଜଣଙ୍କ ୨ ଲକ୍ଷ ୭ ହଜାର ଟଙ୍କାର କ୍ଷତିପୂରଣ ପାଇବାର ଥିଲା। ହେଲେ କାମିଲା କ୍ଷତିପୂରଣ ପ୍ରଦାନ ପାଇଁ ତାଙ୍କ ଫାଇଲ୍ ପ୍ରକ୍ରିୟାକରଣ କରିବାକୁ ୨୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀ ୧୦ ହଜାର ଟଙ୍କା ଦେଇଥିଲେ, କିନ୍ତୁ କାମିଲା ଫାଇଲ୍ ପ୍ରକ୍ରିୟାକରଣ କରିନଥିଲେ। ବାକି ଟଙ୍କା ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଆଜି ଦ୍ୱିତୀୟ କିସ୍ତିରେ ୭,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। କାମିଲାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। କାମିଲାଙ୍କ ୪ଟି ଠିକଣାରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି।