କଟକ,୧୭/୧୦: ଚଳିତ ବର୍ଷ ବାଲିଯାତ୍ରା ପରିଚାଳନାକୁ ନେଇ ଆରମ୍ଭରୁ କେଁ ଦେଖା ଦେଇଛି ।  ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ଲଟ୍‌ ପଞ୍ଜୀକରଣରୁ ନେଇ ଏବେ ନିଲାମ ପ୍ରକ୍ରିୟା ପର୍ଯ୍ୟନ୍ତ ବିଭ୍ରାଟ ଲାଗିରହିଛି । ଫଳରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ସାମାନ୍ୟ ପ୍ଲଟ୍‌ ପାଇଁ ଟଙ୍କା ପୈଠ ନ କରି ଫେରିଛନ୍ତି । ପ୍ଲଟ୍‌ ଆଲଟମେଣ୍ଟ୍‌ ପରେ  ବିଭିନ୍ନ ବିଭାଗକୁ ଦିଆଯିବାକୁ ଥିବା ଟଙ୍କା ଦେବା  ପାଇଁ ମୋବାଇଲ୍‌କୁ ଲିଙ୍କ୍‌ ନ ଆସିବା ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ଏମିତିକି ଲୋକମାନେ ଘଣ୍ଟା ଘଣ୍ଟା ଛିଡା ହେବା ପରେ ମଧ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନ କରି ଲୋକମାନଙ୍କୁ ଫେରାଇ ଦେଇଥିଲା ପ୍ରଶାସନ । ପ୍ରଶାସନିକ ଏଭଳି ଅବ୍ୟବସ୍ଥା ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।  

bali

ଐତିହାସିକ ବାଲିଯାତ୍ରା ପାଇଁ ଇତିମଧ୍ୟରେ  ପ୍ଲଟ୍‌ ବୁକିଂ ପ୍ରକ୍ରିୟା ଶେଷ ହେବା ସହିତ ଗତ ୧୩  ତାରିଖରୁ ପ୍ଲଟ୍‌ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି ।  କିନ୍ତୁ ପ୍ଲଟ୍‌ ଆବଣ୍ଟନ୍‌ରେ ପ୍ରଶାସନ ସିଙ୍ଗଲ ୱିଣ୍ଡୋରେ ଲୋକଙ୍କ ସୁବିଧା କଥା କହୁଥିଲାବେଳେ ପ୍ରକୃତ  ଚିତ୍ର ସମ୍ପୂର୍ଣ୍ଣ ଓଲଟା । କେତେବେଳେ କରେଣ୍ଟ୍‌ ଚାଲିଯିବାରୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି  ତ ଆଉ କେତେବେଳେ ସିଏମ୍‌ସିରେ ଟଙ୍କା ପୈଠ କରିବାର କୌଣସି ବ୍ୟବସ୍ଥା ରହୁନି । ଏସବୁ  ମଧ୍ୟରେ ଆଜି ପ୍ଲଟ୍‌ ନିଲାମ ପରେ ଆଲଟମେଣ୍ଟ୍‌  ସମୟରେ ବିଭିନ୍ନ ପ୍ରକାରର ଫି’ ପୈଠ କରିବାକୁ  ପଡୁଛି । କିନ୍ତୁ ଏହି ଟଙ୍କା ନଗଦ, ୟୁପିଆଇ  ବଦଳରେ ମୋବାଇଲ୍‌କୁ ଆସୁଥିବା ଏକ ଲିଙ୍କ୍‌  ମାଧ୍ୟମରେ ଦେଇଥାନ୍ତି ବ୍ୟବସାୟୀ । ଆଜି ଉକ୍ତ  ଲିଙ୍କ୍‌ କାମ କରି ନ ଥିଲାବେଳେ ଅନେକଙ୍କ  ମୋବାଇଲ୍‌କୁ ଲିଙ୍କ୍‌ ମଧ୍ୟ ଆସି ନ ଥିଲା । ଯାହାଦ୍ୱାରା ଅନେକ ସମୟ ପର୍ଯ୍ୟନ୍ତ ବ୍ୟବସାୟୀମାନେ ଛିଡା  ହୋଇ ଶେଷରେ ଫେରିଯାଇଥିଲେ । ସମସ୍ୟା  ସତ୍ତେ୍ୱ ପ୍ରଶାସନ ପକ୍ଷରୁ ଏହାର ସମାଧାନ  କରାଯାଇ ନ ଥିବା ଅଭିଯୋଗ ହୋଇଛି ।

ବାଲିଯାତ୍ରା ସୁରକ୍ଷା ପାଇଁ ୩୦ କୋଟିର ବୀମା

ଐତିହାସିକ ବାଲିଯାତ୍ରାର ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଦ୍ୱାରା ୩୦  କୋଟିର ବୀମା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ସାଧାରଣ ଧନସମ୍ପତ୍ତି  ଓ ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ପାଇଁ ୨୦ କୋଟି ଟଙ୍କାର ବୀମା  ହେବ । ବାକି ଗେଟ୍‌, ପେଣ୍ଡାଲ୍‌, ଏଲ୍‌ଇଡି ସ୍କ୍ରିନ୍‌ ସହ ବାଲିଯାତ୍ରା ପଡିଆର  ବିଭିନ୍ନ ସ୍ଥାନରେ ନିଆଁ ଲାଗିଯିବା ବାବଦକୁ ୧୦ କୋଟି ଟଙ୍କାର ବୀମା  ହେବ । ଏହି ବୀମା ନଭେମ୍ବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ କଭର୍‌ କରିବ ।