ନୂଆଦିଲ୍ଲୀ: ପାକିସ୍ତାନ ସେନାର ବଲୁଚିସ୍ତାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ମାନବାଧିକାର ଉଲ୍ଲଂଘନ ବିଶ୍ୱର ଅନ୍ୟାନ୍ୟ ଭାଗରେ ଥିବା ବଲୁଚ୍ ଲୋକଙ୍କ ମଧ୍ୟରେ ଅଲୋଡନ ସୃଷ୍ଟି କରିଛି। ସୋମବାର ଏନେଇ ବ୍ରିଟେନରେ ଥିବା ବଲୁଚ୍ ପ୍ରବାସୀ ସଦସ୍ୟମାନେ ଲଣ୍ଡନର ଟେନ୍ ଡାଉନିଂ ଷ୍ଟ୍ରିଟ୍ ବାହାରେ ପାକିସ୍ତାନ ସେନା ବିରୋଧରେ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦରେ ବଲୁଚ୍ ପ୍ରବାସୀ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନୀ ସେନା ବେଲୁଚିସ୍ତାନର ଜେହରି ଅଞ୍ଚଳରେ ନିଷ୍ଠୁର ସାମରିକ କାର୍ଯ୍ୟାନୁଷ୍ଠାନ ଚଳାଇଛି।

ସୂଚନା ମୁତାବକ, ଗତ କିଛି ସପ୍ତାହ ମଧ୍ୟରେ ଜେହରି ଅଞ୍ଚଳ ଚର୍ଚ୍ଚାର ପରିସରକୁ ଆସିଛି ଯେଉଁଠାରେ ପାକିସ୍ତାନୀ ସେନା କଥିତ ବିଦ୍ରୋହୀ ଲଢ଼ୁଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ବଲୁଚ୍ ପ୍ରବାସୀମାନେ ଏନେଇ ଅଭିଯୋଗ କରିଛନ୍ତି ଯେ ଗତ କିଛି ସପ୍ତାହ ଧରି ପାକିସ୍ତାନୀ ସାମରିକ କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ମୃତ ଏବଂ ଆହତ ହୋଇଛନ୍ତି। ଜେହରିରେ ବଢ଼ୁଥିବା ମାନବାଧିକାର ସଙ୍କଟ ମଧ୍ୟରେ ଏହି ପ୍ରତିବାଦ କରାଯାଇଛି। ବଲୁଚ୍ ଭଏସ୍ ଫର୍ ଜଷ୍ଟିସ୍ (BVJ) ସଂଗଠନ କହିଛି ଯେ ପ୍ରତିବାଦକାରୀମାନେ ବ୍ୟାନର ଧରି ପାକିସ୍ତାନୀ ସୁରକ୍ଷା ବାହିନୀ ଉପରେ ମାନବାଧିକାର ଉଲ୍ଲଂଘନର ଅଭିଯୋଗ ଆଣି ସ୍ଲୋଗାନ ଦେଇଥିଲେ।

BVJ ବ୍ରିଟିଶ ସରକାରଙ୍କୁ ଏଖେତ୍ରରେ ନୀରବତା ଭାଙ୍ଗିବା ଏବଂ ବଲୁଚିସ୍ତାନରେ ଚାଲିଥିବା ଅତ୍ୟାଚାର ପାଇଁ ପାକିସ୍ତାନକୁ ଦାୟୀ କରିବାକୁ ଆହ୍ୱାନ କରିଛି। ଏନେଇ BVJ କହିଛି ଯେ ଜେହରିର ସାଧାରଣ ବାସିନ୍ଦାମାନେ ଘେରାବନ୍ଦୀ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି କାରଣ ଏହି ଅଞ୍ଚଳରେ ସାମରିକ ଅଭିଯାନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ସେମାନେ ଅଭିଯୋଗ କରିଛନ୍ତି ଯେ ସେନାଦ୍ୱାରା ହେଉଥିବା ଅହେତୁକ ବୋମା ବିସ୍ଫୋରଣରେ ମହିଳା ଏବଂ ପିଲାମାନେ ପ୍ରାଣ ହରାଇଛନ୍ତି, ଏବଂ ରାସ୍ତା ଅବରୋଧ କରାଯାଇଛି, ଯାହାଦ୍ୱାରା ସ୍ଥାନୀୟ ଜନସାଧାରଣମାନେ ଅତ୍ୟନ୍ତ କଷ୍ଟରେ କାଳାତିପାତ କରୁଛନ୍ତି।

ପ୍ରତିବାଦକାରୀମାନେ ପାକିସ୍ତାନର ଏହି ନିଷ୍ପତ୍ତିକୁ ବ୍ୟବସ୍ଥିତ ନରସଂହାର ବୋଲି କହିଥିଲେ। ଏବଂ ଏହା ପଛର ସତର ତଦନ୍ତ ପାଇଁ ଏହି ଅଞ୍ଚଳକୁ ଏକ ଦଳ ପଠାଇବାକୁ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନଗୁଡ଼ିକୁ ଅନୁରୋଧ କରିଥିଲେ। ଅନ୍ୟପଟେ ବଲୁଚ୍ ନ୍ୟାସନାଲ୍ ମୁଭମେଣ୍ଟର ମାନବାଧିକାର ବିଭାଗ ସୋମବାର କହିଛି ଯେ ଏହି ଅଞ୍ଚଳରେ ନିଖୋଜ ଘଟଣା ମଧ୍ୟ ବୃଦ୍ଧି ପାଉଛି।

ମାନବାଧିକାର ସଂଗଠନ ରିପୋର୍ଟ କରିଛି ଯେ ଗତ ଅକ୍ଟୋବର ୧୯ ତାରିଖରେ, ପାକିସ୍ତାନୀ ଫ୍ରଣ୍ଟିୟର୍ କର୍ପସ୍ (FC) ସୈନିକମାନେ ମାସ୍ତୁଙ୍ଗ ଜିଲ୍ଲାରେ ଆଦନାନ ବଲୋଚ୍‌ଙ୍କ ଦୋକାନ ଉପରେ ଚଢାଉ କରିଥିଲେ ଏବଂ ତାଙ୍କୁ ଜୋରଜବରଦସ୍ତି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ। ସେବେଠାରୁ, ତାଙ୍କ ପତ୍ତା ମିଳିପାରୁନାହିଁ, ଏବଂ ତାଙ୍କ ପରିବାର କିମ୍ବା ଅନ୍ୟ କାହାକୁ ତାଙ୍କ ଅଟକ ବିଷୟରେ ସୂଚନା ଦିଆଯାଇ ନାହିଁ।