ନୂଆଦିଲ୍ଲୀ, ୧୫/୧୦ : ଭାରତରେ ୨୦୨୨ ତୁଳନାରେ ୨୦୨୩ରେ ଶିଶୁ ଜନ୍ମହାର କମିଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢ଼ିଛି । ୨୦୨୩ରେ ମୋଟ ୨ କୋଟି ୫୨ ଲକ୍ଷ ଶିଶୁ ଜନ୍ମଗ୍ରହଣ କରିଛନ୍ତି । ୨୦୨୨ ତୁଳନାରେ ଏହି ସଂଖ୍ୟା ୨ ଲକ୍ଷ ୩୨ ହଜାର କମ୍‌ । ସିଭିଲ ରେଜିଷ୍ଟ୍ରେସନ ସିଷ୍ଟମ (ସିଆର୍‌ଏସ୍‌) ଉପରେ ଆଧାରିତ ଭାଇଟାଲ ଷ୍ଟାଟିଷ୍ଟିକ୍ସ ଅଫ୍‌ ଇଣ୍ଡିଆ ସୋମବାର ଜାରି କରିଥିବା ରିପୋର୍ଟରେ ଏହା ଦର୍ଶାଯାଇଛି।  

ରିପୋର୍ଟ ଅନୁସାରେ, ୨୦୨୩ରେ ୮୬.୬ ଲକ୍ଷ ଲୋକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ୨୦୨୨ରେ ଏହି ସଂଖ୍ୟା ୮୬.୫ ଲକ୍ଷ ଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ୍‌-୧୯ ଡ୍ୟାଶବୋର୍ଡ ଅନୁସାରେ ୨୦୨୫ ମେ’ ୫ରେ ଦେଶରେ କୋଭିଡ୍‌ ଯୋଗୁ ୫ ଲକ୍ଷ ୩୩ ହଜାର ୬୬୫ ମୃତ୍ୟୁ ହୋଇଛି । ସବୁଠୁ ଅଧିକ ମୃତ୍ୟୁ ୨୦୨୧ରେ ହୋଇଥିଲା । ସେତେବେଳେ ଦେଶରେ କୋଭିଡ୍‌ର ଦ୍ୱିତୀୟ ଲହର ଚାଲିଥିଲା । ୨୦୨୦ ତୁଳନାରେ ଏହି ମୃତ୍ୟୁସଂଖ୍ୟା ୨୧ ଲକ୍ଷ ଅଧିକ ଥିଲା । ୨୦୨୦ରେ ମୋଟ ୮୧.୨ ଲକ୍ଷ ଏବଂ ୨୦୨୧ରେ ଏହା ୧ କୋଟି ୨ ଲକ୍ଷ ୨ ହଜାରରୁ ଅଧିକ ଥିଲା ।  ରିପୋର୍ଟରେ ଆହୁରି କୁହାଯାଇଛି, ଓଡ଼ିଶା, ମିଜୋରାମ, ମହାରାଷ୍ଟ୍ର, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ଜନ୍ମ ପଞ୍ଜିକରଣ ୮୦ରୁ ୯୦% ରହିଛି । ଆସାମ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତ୍ରିପୁରା, ତେଲଙ୍ଗାନା ସମେତ ୧୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜନ୍ମ ପଞ୍ଜିକରଣ ୫୦ରୁ ୮୦% ରହିଛି । ୧୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ଦ୍ଧାରିତ ୨୧ ଦିନ ମଧ୍ୟରେ ୯୦% ରୁ ଅଧିକ ଜନ୍ମ ପଞ୍ଜିକରଣ ହୋଇପାରିଛି । ୨୦୨୩ରେ ହସ୍ପିଟାଲରେ ଶିଶୁ ଜନ୍ମ ପ୍ରତିଶତ ୭୪.୭% ରହିଥିଲା ।

ସେହିପରି ଶିଶୁ ଜନ୍ମରେ ଲିଙ୍ଗ ଅନୁପାତରେ ଝାଡ଼ଖଣ୍ଡ ସବୁଠୁ ତଳେ ରହିଛି । ଏଠାରେ ହଜାରେ ପୁଅ ତୁଳନାରେ ୮୯୯ ଶିଶୁ କନ୍ୟା ଜନ୍ମ ନେଇଛନ୍ତି । ଏହା ଉପରେ ବିହାର (୯୦୦), ତେଲଙ୍ଗାନା(୯୦୬), ମହାରାଷ୍ଟ୍ର(୯୦୯), ଗୁଜରାଟ(୯୧୦), ହରିୟାଣା(୯୧୧) ଏବଂ ମିଜୋରାମ(୯୧୧) ରହିଛି । ଶିଶୁ ଜନ୍ମରେ ଲିଙ୍ଗ ଅନୁପାତରେ ଅରୁଣାଚଳ ପ୍ରଦେଶ ସବୁଠୁ ଉପରେ ରହିଛି । ଏଠାରେ ୧,୦୦୦ ଶିଶୁପୁତ୍ର ତୁଳନାରେ ୧,୦୮୫ ଶିଶୁକନ୍ୟା ଜନ୍ମ ନେଇଛନ୍ତି । ଏହାତଳକୁ ନାଗାଲାଣ୍ଡ (୧,୦୦୭), ଗୋଆ (୯୭୩), ଲଦାଖ ଏବଂ ତ୍ରିପୁରା (୯୭୨) ଏବଂ କେରଳ (୯୬୭) ରହିଛି।