ନୂଆଦିଲ୍ଲୀ, ୪/୧୧ : ୨୦୧୧ ମୁମ୍ଵାଇ ବ୍ଲାଷ୍ଟ ମାମଲା । ୬୫ ବର୍ଷୀୟ ଅଭିଯୁକ୍ତ କଫିଲ ଅହମଦ ମହମ୍ମଦ ଆୟୁବକୁ ଜାମିନ ଦେଲେ ବମ୍ଵେ ହାଇକୋର୍ଟ। ଜଷ୍ଟିସ୍ ଏଏସ୍ ଗଡକରୀ ଏବଂ ଆରଆର ଭୋସଲେଙ୍କ ଖଣ୍ଡପୀଠ ଆୟୁବଙ୍କୁ ଏକ ଲକ୍ଷ ଟଙ୍କାର ଜାମିନଦାର ବଦଳରେ ବେଲ୍ ଦେଇଛନ୍ତି । ଏହି ବିସ୍ଫୋରଣ ଘଟଣାରେ ୨୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଥିଲେ । 

ସୂଚନା ଅନୁଯାୟୀ, ୨୦୧୧ ଜୁଲାଇ ୧୩ରେ ମୁମ୍ଵାଇ ବ୍ଲାଷ୍ଟ ହୋଇଥିଲା। ମାତ୍ର ୧୦ ମିନିଟ୍‌ରେ ତିନୋଟି ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଝାବେରୀ ବଜାର, ଓପେରା ହାଉସ୍ ଏବଂ ଦାଦରା କବୁତରଖାନା ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଥିଲା। ଲଗାତର ୩ଟି ବିସ୍ଫୋରଣରେ ଆର୍ଥିକ ରାଜଧାନୀ ଦୋହଲି ଯାଇଥିଲା। ଏହି ଘଟଣାରେ ୨୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ ଅଧିକ ଆହତ ହୋଇଥିଲେ। ମହାରାଷ୍ଟ୍ର ଏଟିଏସ୍ ଏହି ମାମଲାର ଯାଞ୍ଚ କରିଥିଲା। ଇଣ୍ଡିଆନ ମୁଜାହିଦ୍ଦିନ ନାମକ ଆତଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ଘଟାଇଥିବା ଜଣାପଡ଼ିଥିଲା। ଏହାର ମାଷ୍ଟରମାଇଣ୍ଡ୍ ୟାସିନ ଭଟକଲ ଥିଲା। ଏଟିଏସ୍ ମୁତାବକ, ଅଭିଯୁକ୍ତ ମହମ୍ମଦ ଆୟୁବ ୟାସିନ ସହ ଯୋଗାଯୋଗରେ ଥିଲା। ସେ ଅନ୍ୟ ଅଭିଯୁକ୍ତଙ୍କ ସହ ମିଶି ଯୁବ କଟ୍ଟରପନ୍ଥୀଙ୍କୁ ଉସକାଇବା ସହ ଆତଙ୍କୀ ଗତିବିଧି ପାଇଁ ପ୍ରସ୍ତୁତ କରୁଥିଲା। 

ଏହି ମାମଲାରେ ସମ୍ପୃକ୍ତି ନେଇ ୨୦୧୨ ଫେବୃଆରୀରେ ଏଟିଏସ୍ ଆୟୁବକୁ ଗିରଫ କରିଥିଲା। ୨୦୨୨ରେ ସ୍ପେଶାଲ କୋର୍ଟ ଆୟୁବର ଜାମିନ ଆବେଦନକୁ ନାମଞ୍ଜୁର କରିଥିଲା। ଏହାପରେ ସେ ବମ୍ଵେ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲା। ବମ୍ଵେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏବେ ଆୟୁବର ଜାମିନ ମଞ୍ଜୁର କରିଛନ୍ତି।