ହରଭଙ୍ଗା, ୧୪।୧୦ : ବୌଦ୍ଧ ଜିଲ୍ଲା ପାଣିଘରା ଠାରେ ନିର୍ମାଣାଧୀନ ଥିବା ଇନଟେକ ଓ୍ବେଲ ପରିଦର୍ଶନ କଲେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାପାଳ । ପାଣିଘରାଠାରେ ମହାନଦୀରୁ ବୌଦ୍ଧ ଜିଲ୍ଲା ଓ କନ୍ଧମାଳ ଜିଲ୍ଲାକୁ ପାନୀୟ ଜଳ ଯୋଗାଣ ସକାଶେ ନିର୍ମାଣାଧିନ ଇନଟେକ ଓ୍ବେଲକୁ ପରିଦର୍ଶନ କରିବା ସହ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିଥିଲେ ଦୁଇ ଜିଲ୍ଲାପାଳ। ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ଯ ଦେଖିବା ସହ ଶୀଘ୍ର କାର୍ଯ୍ଯ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିଦର୍ଶନ ସମୟରେ ବୌଦ୍ଧ ଜିଲାପାଳ ବିଭୁତି ଭୂଷଣ ନାଏକ , କନ୍ଧମାଳ ଜ଼ିଲ୍ଲାପାଳ ବେଦଭୂଷଣ ଓ ଉଭୟ ଜିଲ୍ଲାର ଉପ ଜିଲ୍ଲାପାଳ ଓ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ ୨୨୧କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିଲା। ୨୦୨୨ ମସିହାରେ ଉକ୍ତ ପ୍ରକଳ୍ପ ପାଇଁ ଅର୍ଥ ବ୍ୟୟ କରା ଯାଇଥିଲା। କିନ୍ତୁ ଉକ୍ତ ପ୍ରକଳ୍ପ ଶେଷ କରିବାପାଇଁ ୨୦୨୩ ମସିହା ଲକ୍ଷ୍ୟ ରଖା ଯାଇଥିଲା। କିନ୍ତୁ ଦୀର୍ଘ ୩ବର୍ଷ ବିତିଗଲାଣି ତଥାପି ଉକ୍ତ ପ୍ରକଳ୍ପଟି ଶେଷ ହୋଇ ନଥିବାରୁ ସାଧାରଣ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବୌଦ୍ଧ ଓ ପଡୋଶୀ ଜିଲ୍ଲା ଫୁଲବାଣୀ ଏହି ମେଗା ପାନୀୟ ଜଳ ଯୋଗାଣ କରିବାର ବ୍ୟବସ୍ଥା ରହିଛି। ପ୍ରକଳ୍ପ ନିର୍ମାଣରେ ବହୁ ବିଳମ୍ବ ଘଟୁ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବାପାଇଁ ବୌଦ୍ଧ ଜିଲ୍ଲାପାଳ ଏବଂ କନ୍ଧମାଳ ଜିଲ୍ଲାପାଳ ଉଭୟ ଆସି ପ୍ରକଳ୍ପ ପରିଦର୍ଶନ କରିଥିଲେ। କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ସେ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଖୁବ ଶୀଘ୍ର ଏହି ପ୍ରକଳ୍ପ ନିର୍ମାଣ ଶେଷ ହେବ ବୋଲି ବୌଦ୍ଧ ଜଳ ଯୋଗାଣ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ କହିଛନ୍ତି।