ଭୁବନେଶ୍ୱର,୨୦/୦୯: ଜୟଦେବବିହାର ଛକରେ  ନିର୍ମାଣ ହେବ ବୋ ଷ୍ଟିଙ୍ଗ ଗାର୍ଡର ବ୍ରିଜ୍‌ । କଳିଙ୍ଗ ଷ୍ଟାଡିୟମ ପାଖରୁ ବାହାରି ଜୟଦେବ ବିହାରରେ ୧୬ ନମ୍ବର ଜାତୀୟ ରାଜପଥ  ଉପରେ ଥିବା ଓଭରବ୍ରିଜ୍‌ ଉପରେ ଯିବ ଏହି ଅତ୍ୟାଧୁନିକ ବ୍ରିଜ୍‌ ।

ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଟ୍ରାଫିକ ସମସ୍ୟା ଦୂର  ପାଇଁ ନୂଆ ଯୋଜନା ପ୍ରସ୍ତୁତ ହୋଇଛି । ଚଉଡ଼ା ହେବ ଜୟଦେବ ବିହାରରୁ  ରଘୁନାଥପୁର ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତା । ଖୁବଶୀଘ୍ର ଏ ନେଇ  ଟେଣ୍ଡର ଆହ୍ୱାନ ହେବ । ଦଶହରା ପୂଜା ଛୁଟି ପରେ ଏ ନେଇ ବଡ଼  ଅଗ୍ରଗତି ହୋଇପାରେ । ଜୟଦେବ ବିହାର ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ  ରାସ୍ତା ଏବେ ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଓ ଜନଗହଳିପୂର୍ଣ୍ଣ ରାସ୍ତା  ପାଲଟିଛି । ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଲୋକେ  ଟ୍ରାଫିକ ଯନ୍ତ୍ରଣା ଭୋଗୁଛନ୍ତି । ପୂର୍ବରୁ ଏହି ରାସ୍ତା ପାଇଁ ଅନେକ ଯୋଜନା  ହୋଇଥିଲା । ନୂଆ ସରକାର ଏବେ ଏହି ରାସ୍ତା ନେଇ ନୂଆ ଯୋଜନା ପ୍ରସ୍ତୁତି  ଉପରେ ଗୁରୁତ୍ୱ ଦେଇଛନ୍ତି । ପୂର୍ତ୍ତ ବିଭାଗ ଟିମ୍‌ ପୂରା ଦମ୍‌ ଲଗାଇ ଲାଗି  ପଡ଼ିଛି ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ସମ୍ପ୍ରସାରଣ ଯୋଜନାରେ ।

ଯୋଜନା ଅନୁସାରେ କଳିଙ୍ଗ ଷ୍ଟାଡିୟମ ପାଖରୁ ଜୟଦେବ ବିହାର  ଓଭରବ୍ରିଜ୍‌ ଉପର ଦେଇ ଅତ୍ୟାଧୁନିକ ବୋ ଷ୍ଟିଙ୍ଗ ଗାର୍ଡର ବ୍ରିଜ୍‌ ନିର୍ମାଣ  ହେବ । ଲୁହାରେ ନିର୍ମିତ ଏହି ବ୍ରିଜ୍‌ ଦେଖିବାକୁ ଧନୁ ଆକୃତିର ବଙ୍କା  ଦିଶିଥାଏ । ଏହା ଉପରେ ଯିବା ଦ୍ୱାରା ତଳେ ଜୟଦେବବିହାର ଛକରେ  ଭିଡ଼ କମିବ । ବଡ଼କଥା ହେଲା, କଳିଙ୍ଗ ଷ୍ଟାଡିୟମ ପଟୁ ଜୟଦେବ  ବିହାର ଛକ ଆରପଟକୁ ଯିବା ପାଇଁ ଗାଡ଼ିମୋଟର ସିଧା ଏହି ବ୍ରିଜ୍‌  ଚଢ଼ିବେ । ଜୟଦେବ ବିହାର ଛକ ପାଖରୁ ରଘୁନାଥପୁର ପର୍ଯ୍ୟନ୍ତ  ବର୍ତ୍ତମାନ ରାସ୍ତା ୪ ଲେନ୍‌ ଥିବାବେଳେ ଏହାକୁ ୬ ଲେନ୍‌ ଚଉଡ଼ା  କରାଯିବ । ଏହାସହ ୧ ଲେନ୍‌ ଲେଖାଏଁ ସର୍ଭିସ୍‌ ରାସ୍ତା ରହିବ ଉଭୟ  ପାଶ୍ୱର୍ରେ । ୩ଟି ପ୍ରମୁଖ ଛକରେ ଫ୍ଲାଏଓଭର ନିର୍ମାଣ ହେବ । କଳିଙ୍ଗ  ହସ୍ପିଟାଲ ଛକ, ଡମଣା ଓ କିଟ୍‌ ଛକ ନିକଟରେ ଫ୍ଲାଏଓଭର ନିର୍ମାଣ  ଯୋଜନା କରାଯାଇଛି । ପୂର୍ବରୁ ଏହି ବ୍ୟସ୍ତବହୁଳ ରାସ୍ତା ଉପରେ  ରାଜଭବନ ନିକଟରୁ ନନ୍ଦନକାନନ ପର୍ଯ୍ୟନ୍ତ ଫ୍ଲାଏଓଭର ନିର୍ମାଣ  ଯୋଜନା କରାଯାଇଥିଲା । ପରେ କଳିଙ୍ଗ ଷ୍ଟାଡିୟମ ନିକଟରୁ ରାସ୍ତା  ସମ୍ପ୍ରସାରଣ ସହ ମଝିରେ ମଝିରେ ଭୂତଳ ରାସ୍ତା, ଭୂତଳ ପାର୍କିଂ ଓ  ଫ୍ଲାଏଓଭର ନିର୍ମାଣ ଯୋଜନା ହୋଇଥିଲା । ବହୁ ବିଚାରବିମର୍ଶ ପରେ  ଏବେ ନୂଆ ରୂପରେ ରାସ୍ତା ସମ୍ପ୍ରସାରଣ କରିବାକୁ ଯୋଜନା ହୋଇଛି ।