ନୂଆଦିଲ୍ଲୀ ୦୩/୧୧: ରାତିରେ ଉଜ୍ଜ୍ୱଳ ଆଲୋକ ହୃଦ୍ଘାତ ବିପଦକୁ ୫୬% ବଢ଼ାଇଥାଏ । ମେଡିକାଲ୍ ଜର୍ଣ୍ଣାଲ ଜାମା ନେଟ୍ୱର୍କରେ ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲିଣ୍ଡର୍ସ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା । ଏଥିରେ ୮୯ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ଗବେଷକମାନେ ଏହି ସମୟରେ ଅଂଶଗ୍ରହଣକାରୀଙ୍କ ଉପରେ ପ୍ରାୟ ସାଢ଼େ ୯ ବର୍ଷ ଧରି ନଜର ରଖିଥିଲେ । ସେମାନଙ୍କ ହାତରେ ସେନ୍ସର ପିନ୍ଧାଯାଇଥିଲା । ରାତିରେ ଉଜ୍ଜ୍ୱଳ ଆଲୋକ ଅଂଶଗ୍ରହଣକାରୀଙ୍କ ହୃଦୟ ସ୍ୱାସ୍ଥ୍ୟକୁ କିଭଳି ପ୍ରଭାବିତ କରୁଛି ତାହା ଜାଣିବା ଥିଲା ଗବେଷଣାର ଉଦ୍ଦେଶ୍ୟ । ପରବର୍ତ୍ତୀ ସମୟରେ ଜଣାପଡି଼ଲା ଯେ, ଯେଉଁମାନେ ରାତିରେ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ହୃଦ୍ଘାତ ହେବାର ବିପଦ ୫୬ ପ୍ରତିଶତ ଅଧିକ ଥିଲା ।
ଅଧ୍ୟୟନର ନେତୃତ୍ୱ ନେଉଥିବା ଡକ୍ଟର ଡାନିଏଲ୍ ୱିଣ୍ଡ୍ରଡ୍ଙ୍କ ଅନୁସାରେ, ରାତି ସମୟରେ ଉଜ୍ଜ୍ୱଳ ଆଲୋକ ଜଳିବା ଦ୍ୱାରା ଆମର ଶରୀରର ଆଭ୍ୟନ୍ତରୀଣ ସର୍କାଡିଆନ୍ ରିଦମ୍ ଉପରେ ଖରାପ ପ୍ରଭାବ ପଡ଼େ । ସର୍କାଡିଆନ୍ ରିଦମ୍ ଆମ ନିଦ, ହରମୋନ୍ ନିୟନ୍ତ୍ରଣ ସମେତ ଅନେକ ଜିନିଷ ଲାଗି ଜରୁରି । ଏଭଳି କ୍ଷେତ୍ରରେ ସର୍କାଡିଆନ୍ ରିଦମ୍ ପ୍ରଭାବିତ ହେଲେ ହୃଦୟର ସ୍ୱାସ୍ଥ୍ୟ ବିଗିଡି଼ଯାଏ । ଏହାଯୋଗୁ ବ୍ୟକ୍ତି ନିକଟରେ ମନସ୍ତାତ୍ତ୍ୱିକ ଦ୍ୱିଧା, ଉକ୍ତ ରକ୍ତଚାପ ଭଳି ସମସ୍ୟା ବି ଦେଖାଯାଏ ।