ନୂଆଦିଲ୍ଲୀ,୧୨/୦୯: ଦେଶର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍ । ନବନିର୍ବାଚିତ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ହୋଇଛନ୍ତି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ଶପଥ ଉତ୍ସବରେ ସାମିଲ ହୋଇଛନ୍ତି । ଗତ ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ଏନଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ ବିରୋଧୀ ଇଣ୍ଡି ମେଣ୍ଟ ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ।
ଗତ ଜୁଲାଇ ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ । ଏହାପରେ ଏହି ପଦ ଖାଲି ପଡିଥିଲା । ଗତ ସେପ୍ଟେମ୍ବର ୯ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏନଡିଏ ପ୍ରାର୍ଥୀ ହୋଇଥିଲେ ସିପି ରାଧାକ୍ରିଷ୍ଣନ । ବିରୋଧୀ ମେଣ୍ଟ ପ୍ରାର୍ଥୀ ହୋଇଥିଲେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀ । ୧୫୨ ଖଣ୍ଡ ଭୋଟରେ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ହରାଇଥିଲେ ସିପି ରାଧାକ୍ରିଷ୍ଣନ୍ । ତାଙ୍କୁ ୪୫୨ ଭୋଟ ମିଳିଥିବା ବେଲେ ସୁଦର୍ଶନଙ୍କୁ ୩୦୦ ଭୋଟ ମିଳିଥିଲା । ୧୪ ଜଣ ଭୋଟ ଦେଇନଥିଲେ । ୧୫ ଭୋଟ ନାକଚ ହୋଇଥିଲା । ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ସ୍ପଷ୍ଟ ବହୁମତ ରହିଥିଲା । ତେଣୁ ସେ ସହଜ ବିଜୟ ଲାଭ କରିବେ ବୋଲି ପୂର୍ବରୁ ଜଣାପଡିଥିଲା ।
ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଉପରାଷ୍ଟ୍ରପତି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହର ସାକ୍ଷୀ ହେବାକୁ ଦେଶର କୋଣ ଅନୁକୋଣରୁ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡୁ ଓ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ସମାରୋହରେ ସାମିଲ ହୋଇଛନ୍ତି ।