ନୂଆଦିଲ୍ଲୀ ୨୩/୧୦: ଭାରତର ଚନ୍ଦ୍ରଯାନ-୨ ମହାକାଶ ଯାନ ଏକ ଅଦ୍ୱିତୀୟ କାମ କରିଛି । ଏହା ସୂର୍ଯ୍ୟରୁ ନିର୍ଗତ ବଡ଼ ବିସ୍ଫୋରଣକୋରୋନାଲ ମାସ୍‌ ଇଜେକ୍ସନ୍‌ ବା (ସିଏମ୍‌ଇ)ର ଚନ୍ଦ୍ର ଉପରେ ପ୍ରଭାବକୁ ପ୍ରଥମ ଥର ଦେଖିଛି । ଚନ୍ଦ୍ରଯାନ-୨ର ଉପକରଣ ଚନ୍ଦ୍ରା ଆଟ୍‌ମୋସଫିୟରିକ କମ୍ପୋଜିସନ୍‌ ଏକ୍ସପ୍ଲୋରର୍‌-୨ (ଚେସ୍‌-୨) ଏହା ଆବିଷ୍କାର କରିଛି । ଏହି ଅନନ୍ୟ ଅବଲୋକନରୁ ଜଣାପଡ଼ିଛି, କୋରୋନାଲ ମାସ୍‌ ଇଜେକ୍ସନ୍‌ ଚନ୍ଦ୍ର ସହ ମାଡ଼ ହେବାରୁ, ଚନ୍ଦ୍ରର ଉଜ୍ଜ୍ୱଳ (ଦିନ) ପାଶ୍ୱର୍ରେ ବାୟୁ ଭଳି ପତଳା ପରସ୍ତ (ଏକ୍ସୋସ୍ଫିୟର)ର ଚାପ ବହୁତ ବଢ଼ିଗଲା । ଏହି ଆବିଷ୍କାର ବୈଜ୍ଞାନିକଙ୍କ ପୁରୁଣା ମଡେଲ ସହ ମେଳା ଖାଉଛି, କିନ୍ତୁ ଏବେ ଏହା ବାସ୍ତବିକ ଭାବେ ଦେଖିବାକୁ ମିଳିଛି ।

ଚନ୍ଦ୍ରଯାନ-୨ ଭାରତର ୨ୟ ଚନ୍ଦ୍ର ମିଶନ, ଯାହା ୨୦୧୯ରେ ଲଞ୍ଚ୍‌ ହୋଇଥିଲା । ଏଥିରେ ଚେସ୍‌-୨ ନାମକ ଉପକରଣ ଲାଗିଛି । ଏହା ଚନ୍ଦ୍ରର ପତଳା ବାୟୁ ସ୍ତର (ଏକ୍ସୋସ୍ଫିୟର)ରେ ଥିବା ପରମାଣୁ ଓ ଅଣୁଗୁଡ଼ିକର ସଂଖ୍ୟାକୁ ମାପେ । ବାୟୁରେ କେତେ ଗ୍ୟାସ୍‌ ଅଛି, ଏହା ଜଣାଇଥାଏ ।

୨୦୨୪, ମେ୧୦ରେ ସୂର୍ଯ୍ୟରୁ ଅନେକ ସିଏମ୍‌ସି ନିର୍ଗତ ହୋଇଥିଲା । ତନ୍ମଧ୍ୟରେ ଅଧିକାଂଶ ହାଇଡ୍ରୋଜେନ ଓ ହିଲିୟମ୍‌ର ଆୟନ ଥିଲା । ଏଗୁଡ଼ିକ ଯେତେବେଳେ ଚନ୍ଦ୍ରରେ ପହଞ୍ଚିଲା, ଏକ୍ସୋସ୍ଫିୟର୍‌ର ଚାପ ହଠାତ୍‌ ବଢ଼ିଯାଇଥିବା ଚେସ୍‌-୨ ଦେଖିଲା । ଗ୍ୟାସ୍‌ର ସଂଖ୍ୟା ମଧ୍ୟ ୧୦ ଗୁଣରୁ ଅଧିକ ହୋଇଗଲା । ଚନ୍ଦ୍ରରେ ବାୟୁ ପୃଥିବୀ ଭଳି ଘନ ନୁହେଁ, ଖୁବ୍‌ ପତଳା । ଏହାକୁ ଏକ୍ସୋସ୍ଫିୟର କୁହାଯାଏ । ଏହା ଏତେ ପତଳା ଯେ ପରମାଣୁ ପରସ୍ପର ସହ ଖୁବ୍‌ କମ୍‌ ଧକ୍କା ହୁଅନ୍ତି । ଚନ୍ଦ୍ରର ପୃଷ୍ଟ ହିଁ ଏହାର ସୀମା । ଏହାକୁ ସର୍ଫେସ୍‌ ବାଉଣ୍ଡ୍ରି ଏକ୍ସୋସ୍ଫିୟର କୁହାଯାଏ । ସୂର୍ଯ୍ୟର କିରଣ ପୃଷ୍ଠରୁ ପରମାଣୁକୁ ଅଲଗା କରିଦିଏ । ସୌର ବାୟୁ (ସୂର୍ଯ୍ୟରୁ ନିର୍ଗତ ହାଇଡ୍ରୋଜେନ, ହିଲିୟମ ଓ ଅନ୍ୟ ଆୟନ) ପୃଷ୍ଠରୁ ଗ୍ୟାସ୍‌ ଉଡ଼ାଇ ନିଅନ୍ତି । ଉଲ୍‌କାପିଣ୍ଡ ଚନ୍ଦ୍ର ସହ ଧକ୍କା ହେଲେ, ଧୂଳି ଓ ଗ୍ୟାସ୍‌ ଘୂରିବୁଲନ୍ତି । ଏ ସମସ୍ତ ପ୍ରକ୍ରିୟା ଏକ୍ସୋସ୍ଫିୟର ସଷ୍ଟି କରନ୍ତି । କିନ୍ତୁ ପ୍ରକୃତରେ ଚନ୍ଦ୍ରରେ କୌଣସି ବାୟୁ ସ୍ତର ନାହିଁ । କୌଣସି ଚୁମ୍ବକୀୟ କ୍ଷେତ୍ର ବି ନାହିଁ । ସେଥିପାଇଁ ସୂର୍ଯ୍ୟର ପ୍ରଭାବ ସିଧା ଏହାର ପୃଷ୍ଠ ଉପରେ ପଡ଼େ ।

ସୂର୍ଯ୍ୟ ବିସ୍ଫୋରଣରୁ ଅନେକ କଣିକା (ଅଧିକାଂଶ ହାଇଡ୍ରୋଜେନ୍‌ ଓ ହିଲିୟମ୍‌ର ଆୟନ) ମହାକାଶରେ ଖେଳିଯାଏ । ଏଗୁଡ଼ିକ ଖୁବ୍‌ ଦ୍ରୁତ ଗତି କରୁଥିବାରୁ ପୃଥିବୀରେ ଝଡ଼ର କାରଣ ହୋଇପାରନ୍ତି । କିନ୍ତୁ ଚନ୍ଦ୍ରରେ ଏଗୁଡ଼ିକ ସିଧା ପ୍ରଭାବ ପକାଇଥାନ୍ତି । ସିଏମ୍‌ଇ ଚନ୍ଦ୍ର ପୃଷ୍ଠରୁ ଅଧିକ ପରମାଣୁ ଉଡ଼ାଇ ଦିଅନ୍ତି । ଫଳରେ ଏକ୍ସୋସ୍ଫିୟର ମୋଟା ହୋଇଯାଏ ଏବଂ ଚାପ ବଢ଼ିଯାଏ । ୨୦୨୪, ୧୦ ମେରେ ସୂର୍ଯ୍ୟ ବିସ୍ଫୋରଣର ସିଧାସଳଖ ପ୍ରଭାବ କୌଣସି ଉପକରଣ ପ୍ରଥମ ଥର ଦେଖିବାକୁ ପାଇଲା । ଏହି ଅବଲୋକନ ଚନ୍ଦ୍ରର ପତଳା ବାୟୁକୁ ଭଲଭାବେ ବୁଝିବାରେ ସହାୟକ ହେବ । ବୈଜ୍ଞାନିକମାନେ ପୂର୍ବରୁ ଜାଣିଥିଲେ ଯେ ସିଏମ୍‌ଇ ଏଭଳି ପ୍ରଭାବ ପକାଇପାରେ । କିନ୍ତୁ ଏବେ ଏହା ପ୍ରମାଣ ହୋଇଛି । ଏହା ଦ୍ୱାରା ଚନ୍ଦ୍ରରେ ମହାକାଶ ପାଣିପାଗ (ସୂର୍ଯ୍ୟର ଉତ୍ସର୍ଜନର ପ୍ରଭାବ) ବିଷୟରେ ଅନେକ ତଥ୍ୟ ମିଳିବ । ଚନ୍ଦ୍ରରେ ବୈଜ୍ଞାନିକମାନେ ଷ୍ଟେସନ୍‌ ନିର୍ମାଣ କରିବାକୁ ଅଣ୍ଟା ଭିଡୁଛନ୍ତି । କିନ୍ତୁ ଏଭଳି ବିସ୍ଫୋରଣ ହଠାତ୍‌ ଏହାର ବାତାବରଣକୁ ବଦଳାଇ ଦିଅନ୍ତି । ଚାପ ବଢ଼ିବା ଦ୍ୱାରା ଉପକରଣ ଖରାପ ହୋଇପାରେ ଏବଂ ସୁରକ୍ଷା ମଧ୍ୟ ପ୍ରଭାବିତ ହୋଇପାରେ । ସେଥିପାଇଁ ଷ୍ଟେସନ୍‌ ଡିଜାଇନ୍‌ ପୂର୍ବରୁ ଏହା ଉପରେ ଧ୍ୟାନ ଦେବାକୁ ପଡ଼ିବ ।