ମ.ରାମପୁର,୯।୯(ଆ ପ୍ର)- କଳାହାଣ୍ଡି ଜିଲ୍ଲା ମ.ରାମପୁରର ଇଷ୍ଟ ଦେବୀ ମା’ ଡୋକରୀଙ୍କ ଛତର ଯାତ୍ରା ଆସନ୍ତା ୩୦ ତାରିଖ ତଥା ନବମୀ ତିଥିରେ ଅନୁଷ୍ଠିତ ହେବ। ମା’ ଡୋକରୀ ପରିଚାଳନା କମିଟିର ସଭାପତି ତଥା ମୁଖ୍ୟ ସେବକ ରାଜା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ସମ୍ପାଦକ ଯଶୋବନ୍ତ ସିଂହ ଦେଓ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଜେନା ବୁଢା ମନ୍ଦିରରୁ ସକାଳ ପ୍ରାୟ ୬ରେ ଏହି ଛତର ଯାତ୍ରା ଆରମ୍ଭ ହେବ। ବିଭିନ୍ନ ଛକରେ ଭକ୍ତଙ୍କ ଦ୍ଵାରା ସ୍ବାଗତ ସମ୍ବର୍ଦ୍ଧନା କରାଯିବ। ଏଥିସହ ବିଭିନ୍ନ ଲୋକ ନୃତ୍ୟ, ଲୋକ ବାଦ୍ୟରେ ଏକ ବିରାଟ ଶୋଭାଯାତ୍ରା କରି ମା’ ଙ୍କ ବିଜୟ ଛତରକୁ ମା’ ଡୋକରୀ ମନ୍ଦିରକୁ ଅଣାଯିବ ବୋଲି କହିଛନ୍ତି । ଏହି ଶୋଭାଯାତ୍ରା ସମୟରେ କେହି ଭକ୍ତ ମା’ଙ୍କ ଉଦ୍ଦେଶ୍ୟରେ ରାଜରାସ୍ତାରେ ବଳୀ ନ ଦେବାକୁ ଅନୁରୋଧ କରାଯାଇଛି । ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ସହ ଆର୍ଶିବା ଲାଭ କରନ୍ତୁ ବୋଲି ସମ୍ପାଦକ ଶ୍ରୀ ସିଂହ ଦେଓ କହିଛନ୍ତି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଛତର ଯାତ୍ରା ଆରମ୍ଭ ହେଉ ଥିବାରୁ ଅଞ୍ଚଳବାସୀ ବହୁତ୍ ମାତ୍ରାରେ ଉତ୍ସାହିତ ଅଛନ୍ତି।