ଭୁବନେଶ୍ୱର, ୨୭/୧୦: ଭାରତ ସାମୁଦ୍ରିକ ସପ୍ତାହ-୨୦୨୫ ଆରମ୍ଭ । ମୁମ୍ବାଇରେ ଇଣ୍ଡିଆ ମାରିଟାଇମ୍ ଓ୍ବିକ୍ ସମ୍ମିଳନୀ ଆରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ୍ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସମୃଦ୍ଧ ଐତିହ୍ୟ, ଆଧୁନିକ ବନ୍ଦର ଭିତ୍ତିଭୂମି ଏବଂ ମହତ୍ବକାଂକ୍ଷୀ ବ୍ଲୁ ଇକୋନୋମି ରୋଡ୍ ମ୍ୟାପ୍ ଉପରେ ଆଲୋକପାତ କରିଥିଲେ । କଳିଙ୍ଗର ପ୍ରାଚୀନ ସାମୁଦ୍ରିକ ଦକ୍ଷତା ଠାରୁ ଆରମ୍ଭ କରି ବର୍ତ୍ତମାନର ବିଶ୍ୱ ବାଣିଜ୍ୟ ସଂଯୋଗ ପର୍ଯ୍ୟନ୍ତ, ଓଡ଼ିଶାର ଉପକୂଳ ଐତିହ୍ୟ ପ୍ରଗତିକୁ ପ୍ରେରଣା ଦେଇ ଚାଲିଛି। ବିଶ୍ୱସ୍ତରୀୟ ବନ୍ଦର ଏବଂ ସ୍ଥାୟୀ ବ୍ଲୁ ଗ୍ରୋଥ୍ ପାଇଁ ଏକ ରଣନୈତିକ ଦୃଷ୍ଟିକୋଣ ସହିତ, ରାଜ୍ୟ ତଥା ଭାରତର ପୂର୍ବ ସାମୁଦ୍ରିକ ପୁନରୁତ୍ଥାନର ଏକ ପ୍ରମୁଖ ବାହକ ଭାବରେ ଠିଆ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା କେବଳ ଏକ ସମ୍ମିଳନୀରେ ନୁହେଁ ବରଂ ଏକ ବିକାଶ ଏବଂ ବୈଦେଶିକ ବାଣିଜ୍ୟରେ ଭାରତର ପୁନଃଉତ୍ଥାନ ଯାତ୍ରାର ଏହା ପ୍ରତୀକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ବରେ ଭାରତ ସାମୁଦ୍ରିକ କ୍ଷେତ୍ରରେ ରାଷ୍ଟ୍ରୀୟ ବିକାଶର ଦ୍ବାର ବନାଇଛନ୍ତି । ବିନ୍ଦର ଗୁଡ଼ିକରେ ସିପିଂ ଫର୍ ଆତ୍ମଭାରତର ମନ୍ତ୍ର ଆଜି ଭାରତକୁ ବୈଦେଶିକ ବ୍ୟପାରର ନୂଆ ମାନଚିତ୍ରରେ ସ୍ଥାପିତ କରିଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ସାଗରମାଳା, ଭାରତମାଳା ଏବଂ ବ୍ଲୁ-ଇକୋନୋମି ଭଳି ଅର୍ଥ ବ୍ୟବସ୍ଥା ଦେଶ ଉପକୂଳ ରାଜ୍ୟଗୁଡ଼ିକୁ ନୂଆ ଉର୍ଜା ପ୍ରଦାନ କରିଛି । ଏହି ପରିପେକ୍ଷୀରେ ଓଡ଼ିଶା ନିକଟରେ ୫୭୫ କିଲୋମିଟରର ଲମ୍ବା କୋଷ୍ଟ ଲାଇନ୍ ରହିଛି । ଆଉ ଆମେ ଦ୍ରୁତଗତିରେ ଭାରତର ମାରିଟାଇମ୍ ଗେଟ୍-ଓ୍ବେ ଭାବେ ଉଭା ହେଉଛୁ । ନୂଆ ଓଡ଼ିଶାର ସମ୍ଭାବନା ବିକାଶର ପ୍ରତୀକ ବନିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହା ବାରମ୍ବାର କହିଆସୁଛନ୍ତି ଯେ ଓଡ଼ିଶା ପୂର୍ବୋତ୍ତର ପରିକଳ୍ପନାର କେନ୍ଦ୍ର ବିନ୍ଦୁ । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଆମ ପାଇଁ ଏକ ଶାନ୍ତି, ଶକ୍ତି ବନିଛି । ଆଉ ଆମେ ଓଡ଼ିଶା ମାରିଟାଇନ ଇକୋ ସିଷ୍ଟମକୁ ମଡର୍ଣ୍ଣ, ସଷ୍ଟେନାବଲ୍ ଏବଂ ଗ୍ଲୋବାଲି କ୍ବାଣ୍ଟିଟେଟିଭ୍ କରୁଛୁ । ୨୦୪୭ ପର୍ଯ୍ୟନ୍ତ ଓଡ଼ିଶାର ବନ୍ଦର ଗୁଡ଼ିକର କ୍ଷମତା ପ୍ରତିବର୍ଷ ୫ଶହ ମିଲିୟନ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରହିଛି । ଓଡ଼ିଶାରେ ଏହି ତିନୋଟି ବଡ଼ ବନ୍ଦର କାର୍ଯ୍ୟକାରୀ ରହିଛି । ପାରାଦୀପ ପୋର୍ଟ, ଧାମରା ପୋର୍ଟ ଏବଂ ଗୋପାଳପୁର ପୋର୍ଟ ଓଡ଼ିଶାକୁ ଭାରତର ସାମୁଦ୍ରିକ ଅର୍ଥ ବ୍ୟବସ୍ଥାର ଉଭା ହୋଇଥିବା କେନ୍ଦ୍ର ବନାଉଛୁ । ଆସନ୍ତା କିଛି ବର୍ଷ ମଧ୍ୟରେ ଛୋଟ ଛୋଟ ବିନ୍ଦର ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଏହା ସହିତ ଧାମରା, ଗୋପାଳପୁର, ସୁବର୍ଣ୍ଣରେଖା, ଆସ୍ତରଙ୍ଗ ଏବଂ ଜଟାଧାର ମୁହାଁଣରେ ଚାଲୁଥିବା ପ୍ରକଳ୍ପ ଓଡ଼ିଶାର ସାମୁଦ୍ରିକ ଦୃଶ୍ୟପଟକୁ ଏକ ନୂଆ ରୂପ ଦେଉଛି । ରାଜ୍ୟର ସାମୁଦ୍ରିକ ଅଭିବୃଦ୍ଧିରେ ପାରାଦୀପ ବନ୍ଦର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଗତ ଦୁଇ ବର୍ଷରେ ଭଲ ପ୍ରଦର୍ଶନ ପାଇଁ ପାରାଦୀପ ପୋର୍ଟକୁ ମଧ୍ୟ ପୁରସ୍କାର ମିଳିଛି । ସାମୁଦ୍ରିକ ବିକାଶ ପାଇଁ ଓଡ଼ିଶାରେ ଦୁଇ ପ୍ରଭାବଶାଳୀ ପ୍ରକଳ୍ପ ପାଇଁ ସ୍ଥିର ହୋଇଛି । ଗୋଟିଏ ୨୧ ହଜାର ୫ଶହ କୋଟିର ବାହୁଡ଼ା ପୋର୍ଟ ପ୍ରକଳ୍ପ ଏବଂ ଦ୍ବିତୀୟଟି ୨୪ ହଜାର ୭ଶହ କୋଟିର ସି’ ବିଲ୍ଡିଂ କ୍ଲଷ୍ଟର, ଯାହା ମହାନଦୀରେ ନିର୍ମାଣ ହେବ । ଏହି ଦୁଇ ପ୍ରକଳ୍ପ ଓଡ଼ିଶାର ସାମୁଦ୍ରିକ ବିକାଶ ଏବଂ ଉଦ୍ୟୋଗର କେନ୍ଦ୍ର ହେବ । ଏହା ସହିତ ନିବେଶ ଏବଂ ରୋଜଗାର ଅସୀମ ସମ୍ଭାବନୀ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
କହିରଖୁ କି, ମୁମ୍ବାଇରେ ଆଜିଠୁ ଆରମ୍ଭ ହୋଇଛି ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ । ବନ୍ଦର ଭିତ୍ତିକ ବାଣିଜ୍ୟିକ ଅଭିବୃଦ୍ଧି, ନୀଳ ଅର୍ଥନୀତିକୁ ଆଗକୁ ନେବାକୁ ଏହି ଆନ୍ତର୍ଜାତିକ ସମ୍ମିଳନୀରେ ୧୦ ଲକ୍ଷ କୋଟି ନିବେଶ ପାଇଁ ୬୦୦ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର ହେବ । ସାମୁଦ୍ରିକ ବାଣିଜ୍ୟ ଉପରେ ଗୁରୁତ୍ୱ ଦେଇ ଆୟୋଜିତ ହୋଇଥିବା ଏ ସମ୍ମିଳନୀକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଉଦ୍ଘାଟନ କରିଛନ୍ତି । ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ମହାରାଷ୍ଟ୍ର, ଗୁଜୁରାଟ, ଗୋଆ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗ ଦେଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ରବିବାର ମୁମ୍ବାଇ ଗସ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୯ ରେ ଏହି କନକ୍ଲେଭକୁ ସମ୍ବୋଧିତ କରିବେ । ୧୧ଟି ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ୮୫ ଦେଶର ୧ ଲକ୍ଷରୁ ଅଧିକ ପ୍ରତିନିଧି ଏଥିରେ ସାମିଲ ହୋଇଛନ୍ତି ।