ଭୁବନେଶ୍ବର, ୨୪/୧୦: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଭୁବନେଶ୍ୱରରେ ନିର୍ମାଣାଧୀନ ପ୍ରେକ୍ଷାଳୟ କଳାମଣ୍ଡଳପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହିତ  କେନ୍ଦୁଝର ଜିଲ୍ଲାରେ କ୍ରୀଡା ଭିତ୍ତିଭୂମିର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରର ସୈନିକ ସ୍କୁଲ ନିକଟରେ ୯.୮୫ ଏକର ଜମି ଉପରେ ୧୭୩ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ସର୍ବବୃହତ ଏହି ପ୍ରେକ୍ଷାଳୟ ଇଡ୍‌କୋ ପକ୍ଷରୁ ନିର୍ମାଣ କରାଯାଉଛି।

୨୦୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ ସହିତ ୫୦୦ ସିଟ୍ ବିଶିଷ୍ଟ ଏକ ଓପନ୍ ଏୟାର ଥିଏଟର୍‌ ମଧ୍ୟ ଏହି ପରିସର ମଧ୍ୟରେ ରହିବ। ମୁଖ୍ୟମନ୍ତ୍ରୀ ଏହାର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ୨୦୨୬ ମେ ମାସ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ସଭାସମିତି ଆୟୋଜନ କରିବା ପାଇଁ ଏହି ପ୍ରେକ୍ଷାଳୟଟି ଅତ୍ୟନ୍ତ ଉପଯୋଗୀ ହେବ । ଭବିଷ୍ୟତକୁ ଦୃଷ୍ଟିରେ ରଖି ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଏହି କଳାମଣ୍ଡଳପରିସରରେ ଉପଲବ୍‌ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥି ସହିତ ପର୍ଯ୍ୟାପ୍ତ ପାର୍କିଂ ସୁବିଧା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ସେହିଭଳି, କେନ୍ଦୁଝର ଜିଲ୍ଲାରେ ପ୍ରସ୍ତାବିତ ୬ଟି ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ପ୍ରକଳ୍ପର ବିକାଶ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । କେନ୍ଦୁଝରର ରାଙ୍କୀ ଓ ରାଇକଳା  ଠାରେ ଦୁଇଟି ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ, କାଳୀ ପଡ଼ିଆରେ ଏକ ଫୁଟବଲ ଷ୍ଟାଡ଼ିଅମ୍ ସହିତ ଇନଡୋର ଓ ଆଉଟଡୋର ଗେମର ସୁବିଧା, ଡିଏନ୍ ହାଇସ୍କୁଲ ପରିସରରେ ଏକ ଅତ୍ୟାଧୁନିକ ସ୍ୱିମିଂ ପୁଲ, ନରଣପୁରରେ ଆର୍ଚେରୀ ଏକାଡେମୀ ଏବଂ କେନ୍ଦୁଝରରେ ୧୦୦ ଶଯ୍ୟା ବିଶିଷ୍ଟ ହ୍ୟାଣ୍ଡବଲ କ୍ରୀଡା ଛାତ୍ରାବାସ ନିର୍ମାଣ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜିବ ମିଶ୍ର, କ୍ରୀଡା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀ ବିଜୟ କେତନ ଉପାଧ୍ୟାୟ, କ୍ରୀଡା ନିର୍ଦ୍ଦେଶକ ଡଃ ଏଦୁଲା ବିଜୟ ଏବଂ ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।