ନୂଆଦିଲ୍ଲୀ: ତିବ୍ଦତ ସୀମାରେ ଥିବା ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳର ପୂର୍ବ ଦିଗରେ ଚାଇନା ନିଜ ସାମରିକ ଘାଟି ବିକଶିତ କରିବାରେ ଲାଗିଛି। ଭାରତ ଓ ଚାଇନା ମଧ୍ୟରେ ୨୦୨୦ ମସିହାରେ ସୀମାରେ ହୋଇଥିବା ସଂଘର୍ଷ କ୍ଷେତ୍ରଠୁ ଏହାର ଦୂରତା ମାତ୍ର ୧୧୦ କିଲୋମିଟର ରହିଛି। ଚାଇନା ଉକ୍ତ ଅଞ୍ଚଳରେ ଦ୍ରୁତ ଗତିରେ ନିର୍ମାଣ କାମ ଜାରି ରଖିଛି। ଭାରତକୁ ମିଳିଥିବା ଉପଗ୍ରହ ଚତ୍ରରୁ ଏହି ଅଞ୍ଚଳରେ ଚାଇନା ନିଜର ଏୟାର ଡିଫେନ୍ସ ବ୍ୟବସ୍ଥାକୁ ସୁଦୃଢ କରିବାରେ ଲାଗିଛି। ଖାଲି ଏତିକି ନୁହେଁ ଏହାସହ କମାଣ୍ଡ ଓ କଣ୍ଟ୍ରୋଲ ବିଲ୍ଡିଂ, ବାରାକ୍, ଯାନବାହନ ରହଣି ସ୍ଥଳ, ଅସ୍ତ୍ରାଗାର ଓ ରାଡାର ବ୍ୟବସ୍ଥା ମଧ୍ୟ ନିର୍ମାଣ ଜାରି ରଖିଛି।
ତେବେ ଏନେଇ ବିଶେଷଜ୍ଞ ମାନେ ସୂଚନା ଦେଇ କହିଛନ୍ତି ଯେ, ଚାଇନାର ଏହି ନିର୍ମାଣ ମଧ୍ୟ ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଉଛି ଆଚ୍ଛାଦିତ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥାନର ନିର୍ମାଣ। ଯାହା ଟ୍ରାନ୍ସପୋର୍ଟର ଇରେକ୍ଟର ଲଞ୍ଚର (TEL) ଯାନ ପାଇଁ ରିଟ୍ରାକ୍ଟେବଲ ରୁଫ୍ ସହିତ ସଜ୍ଜିତ ରହିଥିବା ନେଇ ଅନୁମାନ କରାଯାଉଛି। ଯାହା କ୍ଷେପଣାସ୍ତ୍ରକୁ ବହନ କରିବା ସହ ସିଧାସଳଖ ଲକ୍ଷସ୍ଥଳକୁ ନିକ୍ଷେପ କରିପାରିବ।
ଗୁଇନ୍ଦା ବିଶ୍ଳେଷକମାନେ ଏନେଇ କହିଛନ୍ତି ଯେ ଏହି ସାମରିକ ଘାଟିରେ ଚୀନ ନିଜର ଦୀର୍ଘ-ଦୂରଗାମୀ ତଥା HQ-9 ଭୂପୃଷ୍ଠରୁ-ଆକାଶ କ୍ଷେପଣାସ୍ତ୍ର (SAM) ପ୍ରଣାଳୀକୁ ଲୁଚାଇବା ସହ ସୁରକ୍ଷା ପ୍ରଦାନ କରିବା ପାଇଁ ବ୍ୟବହାର କରିପାରେ। ଚାଇନାର ଏହି ନିର୍ମାଣକୁ ପ୍ରଥମେ ଆମେରିକା-ଭିତ୍ତିକ ଜିଓ-ଇଣ୍ଟେଲିଜେନ୍ସ ଫାର୍ମ ଅଲସୋର୍ସ ଆନାଲିସିସର ଗବେଷକମାନଙ୍କ ଦ୍ୱାରା ଚିହ୍ନଟ କରାଯାଇଥିଲା। ସେମାନେ ଭାରତର ସମ୍ପ୍ରତି ଅପଗ୍ରେଡ୍ ହୋଇଥିବା ନୋମା ଏୟାରଫିଲ୍ଡର ଠିକ୍ ବିପରୀତ ଦିଗରେ, ପ୍ରକୃତ ନିୟନ୍ତ୍ରଣ ରେଖା (LAC) ଠାରୁ ପ୍ରାୟ 65 କିଲୋମିଟର ଦୂରରେ ଗାର୍ କାଉଣ୍ଟିରେ ଏହି କମ୍ପ୍ଲେକ୍ସର ଏକ ପ୍ରତିକୃତି ମଧ୍ୟ ଲକ୍ଷ୍ୟ କରିଥିଲେ।
China is nearing the completion of a military-linked complex on Pangong Lake's eastern edge, featuring garages, a highbay & protected storage, the site is located near a Chinese radar complex & may evolve into a SAM position or another weapons-related facility pic.twitter.com/WZGAMCc1B3
— Damien Symon (@detresfa_) July 24, 2025
ସୂଚନା ମୁତାବକ, ଚାଇନା ଭାରତ-ତିବ୍ଦତ ସୀମାରେ ଏପରି ନିର୍ମାଣ ସ୍ଥାନଗୁଡ଼ିକ ପ୍ରଥମ କରି ବିକଶିତ କରୁଛି। ପୂର୍ବରୁ ଦକ୍ଷିଣ ଚୀନ୍ ସାଗରର ବିବାଦୀୟ ଦ୍ୱୀପପୁଞ୍ଜ ନିକଟରେ ଡ୍ରାଗନ ନିଜର ଏହିଭଳି ଅନେକ ସାମରିକ ପୋଷ୍ଟ ନିର୍ମାଣ କରିଥିବା ନେଇ ରିପୋର୍ଟ କରାଯାଇଛି। ପାଙ୍ଗୋଙ୍ଗ ହ୍ରଦ ନିକଟରେ ଏହି ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟ ତଥା ଜୁଲାଇ ଶେଷ ଭାଗରେ ଭୌଗଳିକ ଗବେଷକ ଡାମିଏନ୍ ସାଇମନ୍ ଙ୍କ ଦ୍ୱାରା ଚିହ୍ନଟ କରାଯାଇଥିଲା। ତେବେ ସେ ସମୟରେ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥାନର ନିର୍ମାଣ ସମ୍ପର୍କରେ ଜଣା ପଡିନଥିଲା।