ନୂଆଦିଲ୍ଲୀ,୧୫/୧୦: ଘମାଘୋଟ ଲଢେଇ । ଗୁଳିବର୍ଷା । ପୁଣି ପାକିସ୍ତାନ-ଆଫଗାନିସ୍ଥାନ ସୀମାରେ ବିସ୍ଫୋରକ ସ୍ଥିତି । ତାଲିବାନ-ପାକ ସେନା ମଧ୍ୟରେ ସ୍ପିନ ବୋଲଡାକ ସୀମାରେ ପ୍ରବଳ ଗୁଳି ବିନିମୟ ହୋଇଛି । ୧୫ମିନିଟର ଯୁଦ୍ଧରେ ଆର୍ମସମର୍ପଣ କରିଛି ପାକ ସେନା । କୌଣସି ମୃତାହତ ନେଇ ସୂଚନା ମିଳିନାହିଁ ।
ସ୍ପିନ ବୋଲଡାକ ଆଫଗାନିସ୍ତାନ-ପାକିସ୍ତାନ ସୀମାର ରହିଛି । ଏହା ଉତ୍ତରରେ କନ୍ଧାର ସହର ଏବଂ ଦକ୍ଷିଣରେ ପାକିସ୍ତାନର ଚମନ ଏବଂ କ୍ୱାଟା ସହର ସହ ଏକ ରାଜମାର୍ଗ ଦ୍ୱାରା ଯୋଡି ହୋଇଛି । ଆଫଗାନ ତାଲିବାନ ଦାବି କରିଛି କି ପାକିସ୍ତାନ ସେନା ସହ ମୁହାଁମୁହିଁ ହେବା ପରେ ୧୫ ମିନିଟ ଭିତରେ ତାଲିବାନ ପାକିସ୍ତାନକୁ ସରେଣ୍ଡର କରିବାକୁ ବାଧ୍ୟ କରି ଦେଇଥିଲା । ସେମାନଙ୍କ ଅସ୍ତ୍ର ଜବତ କରି ନେଇଛି ତାଲିବାନ । ସ୍ପିନ ବୋଲଡାକ ଜିଲ୍ଲା ସୂଚନା ମୁଖ୍ୟ ଅଲି ମହମ୍ମଦ କହିଛନ୍ତି ଦୁଇପକ୍ଷ ହାଲୁକା ଅସ୍ତ୍ର ବ୍ୟବହାର କରିଛନ୍ତି । ରିପୋର୍ଟ ଲେଖାଯିବା ସୁଦ୍ଧା କୌଣସି ମୃତାହତଙ୍କ ସୂଚନା ନାହିଁ । ପାକିସ୍ତାନର ଗୁଳିମାଡରେ ସାଧାରଣ ଲୋକଙ୍କ ଘର ନଷ୍ଟ ହୋଇଥିବା ଜଣାପଡିଛି ।
ଶୁକ୍ରବାର ପାକିସ୍ତାନ ଏୟାରଷ୍ଟ୍ରାଇକର ଜବାବ ଦେଇଥିଲା ତାଲିବାନ । ଏଥିରେ ୫୮ ପାକ ସେନାଙ୍କୁ ମାରିଥିବା ଦାବି କରିଥିଲା ତାଲିବାନ । ପାକିସ୍ତାନର ଅନେକ ଆଉଟପୋଷ୍ଟକୁ କବଜା କରି ନେଇଥିଲା ଆଫଗାନ ସେନା । ୨୦୨୧ ପରେ ପାକିସ୍ତାନ ବିରୋଧରେ ତାଲିବାନ ସେନାର ଏହା ପ୍ରଥମ ସାମରିକ ଆକ୍ସନ ଥିଲା । ଡୁରାନ ସୀମା ନକଟରେ ଏହି ସଂଘର୍ଷ ହୋଇଥିଲା । ଜବାବ ଦେଇ ପାକିସ୍ତାନ କନ୍ଧାର ଓ ହେଲମନ୍ଦରେ ଡ୍ରୋନ ଆଟାକ କରିଥିଲା । ଦୁଇ ଦେଶର ମଧ୍ୟରେ ଉତ୍ତେଜନାକୁ ନେଇ ବଡ଼ ଯୁଦ୍ଧ ଆଶଙ୍କା କରାଯାଉଛି ।