ନୂଆଦିଲ୍ଲୀ ୩୧/୧୦: ହରିୟାଣା, ଭିୱାନୀର ଲୋହାରୁରେ କଂଗ୍ରେସ ବିଧାୟକ ରାଜବୀର ଫରଟିୟାଙ୍କ ପୁଅର ବିବାହ ଉକ୍ତ ଅଞ୍ଚଳରେ ମୁଖ୍ୟ ଖବର ହୋଇଛି । ଗୁରୁବାର (୩୦ ତାରିଖ) ଲୋହାରୁରେ ଭୋଜି ଆୟୋଜିତ ହୋଇଥିଲା । ଏଥିରେ ୧୫୦ ଗାଁକୁ ନିମନ୍ତ୍ରଣ ଦିଆଯାଇଥିଲା । ଲୋହାରୁର ମଣ୍ଡୀରେ ୫ ଏକରରେ ବିସ୍ତୃତ ପେଣ୍ଡାଲରେ ୮୦-୯୦ ହଜାର ଲୋକଙ୍କ ଭୋଜନ ପାଇଁ ବ୍ୟବସ୍ଥା ହୋଇଥିଲା । ବିଧାୟକ ଫରଟିୟା ସମସ୍ତ ପଞ୍ଚାୟତର ପ୍ରତିନିଧିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରିଥିଲେ । ପୂର୍ବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍‌ଡା, ରୋହତକ ବିଧାୟକ ବିବି ବତ୍ତରା, ହରିୟାଣା ବିଧାନସଭା ବାଚସ୍ପତି ହରବିନ୍ଦର କଲ୍ୟାଣ ଭୋଜିରେ ଯୋଗ ଦେଇଥିଲେ ।

ସନ୍ଧ୍ୟାରେ ଅନୁଷ୍ଠିତ ଟୀକା ବିଧିରେ ବିଧାୟକ ରାଜବୀର ଫରଟିୟାଙ୍କ ପରିବାର ତରଫରୁ କନ୍ୟାପକ୍ଷଠୁ କେବଳ ୧ ଟଙ୍କା ଓ ନଡ଼ିଆ ସ୍ୱୀକାର କରାଗଲା । ବିବାହର ଅନ୍ୟ ବିଧି ଗୁରୁଗ୍ରାମରେ ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୧ରେ ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ, ବିଧାୟକଙ୍କ ପୁଅ ଯୋଗେଶଙ୍କ ବିବାହ ଜୀନ୍ଦର ଦୁଗ୍ଧ ବ୍ୟବସାୟୀ ବଲଜୀତ ସିଂହ ରେଢୁଙ୍କ ଝିଅ ତମନ୍ନାଙ୍କ ସହ ସ୍ଥିର ହୋଇଛି । ଯୋଗେଶଙ୍କ ବିବାହରେ ଖାଦ୍ୟ ପରସିବା ପାଇଁ ପ୍ରାୟ ୫ହଜାର ପରିଚାରକଙ୍କୁ ନିଯୁକ୍ତ କରାଯାଇଛି । ସୁରକ୍ଷା ପାଇଁ ୭୦୦-୮୦୦ ସିକ୍ୟୁରିଟି ଗାର୍ଡଙ୍କୁ ମୁତୟନ କରାଯାଇଛି । ଏଥିସହ ସ୍ଥାନୀୟ ପୁଲିସ ବାହିନୀ ମଧ୍ୟ ମୁତୟନ ହେବ ।