ବ୍ରହ୍ମପୁର/କଟକ/ଭୁବନେଶ୍ୱର,୦୪/୧୦:ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିର ନେଟୱର୍କ ରାଜ୍ୟସାରା ବ୍ୟାପିଛି । ପଛରେ ଅଛି ବଡ଼ ର୍ୟାକେଟ । ସବୁ ଷଡ଼ଯନ୍ତ୍ର ପରିଚାଳିତ ହେଉଥିଲା କିଛି ବଡ଼ମୁଣ୍ଡଙ୍କ ଦ୍ୱାରା । ଏହାକୁ ଏବେ ଖୋଜୁଛି କ୍ରାଇମବ୍ରାଞ୍ଚ । ଗିରଫ ହୋଇଥିବା ପରୀକ୍ଷାର୍ଥୀ ଓ ଦଲାଲଙ୍କ ଘର ୧୮ ଜିଲ୍ଲାରେ ରହିଛି । ଏହାର ଅର୍ଥ ସମସ୍ତ ଜିଲ୍ଲାରେ ଏହି ନେଟୱର୍କର ଦଲାଲ ସକ୍ରିୟ ରହିଛନ୍ତି । ଏବେ ଗିରଫ ହୋଇଛନ୍ତି ମାତ୍ର ୩ ଦଲାଲ । ଅନ୍ୟମାନଙ୍କୁ ଠାବ କରିବାକୁ କ୍ରାଇମବ୍ରାଞ୍ଚ ସବୁ ଜିଲ୍ଲାକୁ ଟାର୍ଗେଟ କରିଛି । ଅପରପକ୍ଷରେ, ଦଲାଲ ଓ ପରୀକ୍ଷାର୍ଥୀଙ୍କ ଭିତରେ କିଛି କୋଚିଂ ସେଣ୍ଟର ମଧ୍ୟସ୍ଥି ଭୂମିକା ନେଇଥିବା ପୁଲିସ ଅନୁମାନ କରୁଛି । କ୍ରାଇମବ୍ରାଞ୍ଚ ଡିଏସ୍ପି ରତ୍ନପ୍ରଭା ଶତପଥୀଙ୍କୁ ଏସଆଇ ପରୀକ୍ଷାର ତଦନ୍ତ ଦାୟିତ୍ବ ମିଳିଛି। ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ସମସ୍ତ ମାମଲାର ସେ ତଦନ୍ତ କରିବେ। ସୁପରଭାଇଜିଂ ଅଫିସର ଭାବେ ରହିବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆ ସହଯୋଗ କରିବେ।
ପୁଲିସ ସୂଚନାନୁସାରେ, ଗିରଫ ହୋଇଥିବା ଦଲାଲ ଓ ପରୀକ୍ଷାର୍ଥୀ ୧୧୭ ଜଣ ବିଭିନ୍ନ ଜିଲ୍ଲାର ବାସିନ୍ଦା । ସର୍ବାଧିକ ୩୩ ଜଣ କଟକ ଜିଲ୍ଲାରୁ ଅଛନ୍ତି । ଗଞ୍ଜାମରୁ ୨୫ ଜଣ, ଢେଙ୍କାନାଳରୁ ୧୨, ପୁରୀରୁ ୪, ସୋନପୁରରୁ ୨, ଖୋର୍ଦ୍ଧାରୁ ୯, ବରଗଡ଼ରୁ ୭, ଭଦ୍ରକରୁ ୨, ଯାଜପୁରରୁ ୨, ନୟାଗଡ଼ରୁ ୫, ବାଲେଶ୍ୱରରୁ ୨, କଳାହାଣ୍ଡିରୁ ୨, ବୌଦ୍ଧରୁ ୩ , କେନ୍ଦ୍ରାପଡ଼ାରୁ ୩, ବଲାଙ୍ଗୀରରୁ ୨, ଅନୁଗୁଳ, କେନ୍ଦୁଝର, ରାୟଗଡ଼ା ଓ ନୂଆପଡ଼ାରୁ ଜଣେ ଲେଖାଏଁ ଗିରଫ ହୋଇଛି । ଏହି ଚିତ୍ର ହିଁ କହୁଛି ର୍ୟାକେଟର ଚେର କେତେ ଲମ୍ବା ।
ପୁଲିସ ଏସ୍ଆଇ ଲିଖିତ ପରୀକ୍ଷା କେଳେଙ୍କାରୀ ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ଟିମ୍ ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶକଙ୍କୁ ଜେରା କରିଛି । ସଂସ୍ଥାର ନିର୍ଦ୍ଦେଶକ ସୁରେଶ କୁମାର ନାୟକଙ୍କୁ କ୍ରାଇମ୍ବ୍ରାଞ୍ଚ୍ ମୁଖ୍ୟାଳୟରେ ତଦନ୍ତକାରୀ ଟିମ୍ ଦୀର୍ଘ ସମୟ ପଚରାଉଚରା କରି ତଥ୍ୟ ଆଦାୟ କରିଛି । ବ୍ରହ୍ମପୁର ଓ ଭୁବନେଶ୍ୱରରେ ୫ଟି ସ୍ଥାନରେ କ୍ରାଇମ୍ବ୍ରାଞ୍ଚ ଚଢ଼ଉ କରି ବହୁ କାଗଜପତ୍ର ଓ ଲାପଟ୍ପ୍ ଜବତ କରିଛି । ଭୁବନେଶ୍ୱର ପଟିଆ ଡିଏଲ୍ଏଫ୍ ଟାୱାରରେ ଥିବା ସିଲିକନ୍ ଟେକ୍ଲାବ୍ ଅଫିସ ସିଲ୍ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଛି ।
ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ସୂଚନା ପାଇ ବ୍ରହ୍ମପୁର ପୁଲିସ୍ ୩୦ ତାରିଖରେ ବସ୍ରେ ଆନ୍ଧ୍ରପ୍ରଦେଶ ଯାଉଥିବା ୧୧୭ ଜଣଙ୍କୁ ଗିରଫ କରିଥିଲା । ସିଲିକନ୍ ଟେକ୍ଲାବ୍ ସଂସ୍ଥାର ୱେବ୍ସାଇଟ୍ରେ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୦୯ରୁ ଏହା କମ୍ପାନି ଆକ୍ଟରେ ପଞ୍ଜିକୃତ ।ଭୁବନେଶ୍ୱର ପଟିଆ ଡିଏଲ୍ଏଫ୍ ଟାୱାରରେ ଏହାର କାର୍ଯ୍ୟାଳୟ ରହିଛି । ଏଠାରେ ସୁରେଶଙ୍କ ସହିତ ଅନ୍ୟ ୫ ଜଣ ନିର୍ଦ୍ଦେଶକ ଅଛନ୍ତି । ଯେଉଁଥିରେ ଜଣେ ମହିଳା ଓ ଆଉ ଜଣେ ଅଣଓଡ଼ିଆ ବ୍ୟକ୍ତି । ୨୦୨୪ ମସିହା ଏସ୍ଆଇ ପରୀକ୍ଷା ଦାୟିତ୍ୱ ଓଡ଼ିଶା ପୁଲିସ ରିକ୍ରୁଟ୍ମେଣ୍ଟ ବୋର୍ଡ ବା ଓପିଆର୍ବି ଆଇଟିଆଇ ନାମକ ସଂସ୍ଥାକୁ ଦେଇଥିଲା । ଆଇଟିଆଇ ପରେ ଏହାକୁ ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍କୁ ହସ୍ତାନ୍ତର କରିଥିଲା । ପରେ ଏହାର ଦାୟିତ୍ୱ ପାନ୍ସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ନେଇଥିଲା । ପରୀକ୍ଷା ପରିଚାଳନା ପ୍ରକ୍ରିୟାରେ ସିଲିକନ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କୁ କ୍ରାଇମ୍ବ୍ରାଞ୍ଚ୍ ପଚରାଉଚରା କରିଛି । ତାଙ୍କଠାରୁ କିଛି କାଗଜପତ୍ର ଜବତ କରାଯାଇଛି । ଏପରିକି ଅଫିସ୍ର ଏକ ଲାପ୍ଟପ୍ ତଦନ୍ତକାରୀ ଟିମ୍ ଜବତ କରିଛି । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀ ନାୟକଙ୍କୁ କ୍ରାଇମ୍ବ୍ରାଞ୍ଚ୍ କାର୍ଯ୍ୟାଳୟରେ ଅଟକ ରଖାଯାଇଥିବା ଖବର ମିଳିଛି ।
ଏହି ମାମଲାରେ ୩ ଜଣ ଦଲାଲଙ୍କ ସହ ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ୧ ତାରିଖରେ ଗୋଳନ୍ଥରା ଥାନା ପୁଲିସ୍ ଗିରଫ କରିଥିଲା । ୧୧୭ ଜଣ ଏବେ ବ୍ରହ୍ମପୁର ଜେଲ୍ରେ । ଏମାନେ ଗିରଫ ହେବା ପରେ ଘଟଣା ତଦନ୍ତଭାର କ୍ରାଇମ୍ବ୍ରାଞ୍ଚକୁ ଯାଇଥିଲା । ଏବେ ସମସ୍ତ ରେକର୍ଡ ଗୋଳନ୍ଥରା ଥାନାକୁ କ୍ରାଇମ୍ବ୍ରାଞ୍ଚ ମାଗିଛି । ବ୍ରହ୍ମପୁର ପୁଲିସ ସବୁ ରେକର୍ଡ ହସ୍ତାନ୍ତର କରିବା ପରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆଗକୁ ବଢ଼ିଛି । କ୍ରାଇମ୍ବ୍ରାଞ୍ଚ ୪ ଜଣଙ୍କୁ ଉଠାଇ ଆଣି ଗୋଳନ୍ଥରା ଥାନାରେ ଅଟକ ରଖି ପଚରାଉଚରା କରୁଛି । ଡିଜି ବିନୟତୋଷ ମିଶ୍ର ସେମାନଙ୍କୁ ଜେରା କରିଥିଲେ । ୪ ଜଣଙ୍କ ମଧ୍ୟରୁ ୩ ଜଣ ହିଞ୍ଜିଳିର ଓ ଜଣେ କବିସୂର୍ଯ୍ୟନଗର ଅଞ୍ଚଳର ।
ଏହି ର୍ୟାକେଟ୍ର ମାଷ୍ଟରମାଇଣ୍ଡ୍ ହିଞ୍ଜିଳି ବ୍ରାହ୍ମଣଛାଇ ଅଞ୍ଚଳର ଶଙ୍କର ପୃଷ୍ଟି ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ଶଙ୍କର ବହୁ ବରିଷ୍ଠ ସରକାରୀ ଅଧିକାରୀ, ନେତା, ମନ୍ତ୍ରୀ ଓ ପୁଲିସ ଅଧିକାରୀଙ୍କ ସହ ସଂପର୍କରେ ଥିବା ପ୍ରମାଣ ମିଳିଛି । ଶଙ୍କର ଦୁଇଟି ସପ୍ଟୱେର କମ୍ପାନି ପଞ୍ଚ୍ସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଏବଂ କେଦାରନାଥ ଟେକ୍ନୋଲୋଜିସ୍ର ମୁଖ୍ୟ ଥିଲେ । ଦୁଇ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଜଗନ୍ନାଥପୁର ଡିଫେନ୍ସ କଲୋନି ରହିଛି । ଡିଫେନ୍ସ କଲୋନିରେ ତାଙ୍କର ଘର ବି ଅଛି । ସ୍ଥାନୀୟ ଲୋକଙ୍କ କହିବା ପ୍ରକାରେ କେଦାରନାଥ ଟେକ୍ନୋଲୋଜିସ୍ରେ ଅଧିକାଂଶ ସମୟରେ ଅନ୍ଲାଇନ୍ ପରୀକ୍ଷା କରାଯାଉଥିଲା । ଡିଫେନ୍ସ କଲୋନି ଘରେ ଗୋଟିଏ କାର୍, ଦୁଇଟି ବାଇକ୍ ଅଛି । ଚାରି ପାଶ୍ୱର୍ରେ ସିସିଟିଭି କ୍ୟାମେରା ବି ଲାଗିଛି । ତେବେ ରାକେଟ୍ ଧରାପଡିବା ପରଠାରୁ ଘରେ ତାଲା ପଡିଛି ।
ତଦନ୍ତ ସମୟରେ କ୍ରାଇମ୍ବ୍ରାଞ୍ଚ ଜାଣିବାକୁ ପାଇଛି, ୩୦ ତାରିଖ ଦିନ ଭୋର ସମୟରେ ୩ଟି ବସ୍ରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ଦଲାଲ୍ ଅନ୍ଧ୍ରପ୍ରଦେଶ ଯିବାକୁ ବରମୁଣ୍ଡାରୁ ବାହାରିଲେ । ସବୁ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଫୋନ୍ ଫ୍ୟାକ୍ଟ୍ରି ରିସେଟ୍ କରାଯିବ । ଏଥିରେ ସମସ୍ତେ ରାଜି ହୋଇଥିଲେ । ଯେଉଁମାନେ ରାଜି ହୋଇ ନଥିଲେ ସେମାନଙ୍କୁ କୁହାଯାଇଥିଲା ଫୋନ୍କୁ ରୁମ୍ରେ ଛାଡ଼ି ଆସିବା ପାଇଁ । ଦଲାଲଙ୍କ ସର୍ତ୍ତ ମାନିଥିଲେ ପରୀକ୍ଷାର୍ଥୀ । ସେତିକି ନୁହେଁ ବସ୍ରେ ବସିବା ପୂର୍ବରୁ ୧୦ ଲକ୍ଷ ଟଙ୍କା ଓ ଅସଲି ସାର୍ଟିଫିକେଟ୍ ଦେବାକୁ ପଡିବ । ବାକି ୧୫ ଲକ୍ଷ ପରୀକ୍ଷାରେ ପାସ୍ ହେବା ପରେ । ଏଥିରେ ବି ରାଜି ହୋଇଥିଲେ ପରୀକ୍ଷାର୍ଥୀ । ଦଲାଲ୍ମାନେ ତୁଳସୀ ଟ୍ରାଭେଲ୍କୁ ଯୋଗାଯୋଗ କରି ୩ ବସ୍ ମାଗିଥିଲେ । ଉକ୍ତ ଟ୍ରାଭେଲ୍ ସଂସ୍ଥା ବରମୁଣ୍ଡା ଆସି ୩ଟି ବସ୍ ଯୋଗାଡ଼ କରିଥିଲା । ବସ୍ ମାଲିକମାନେ ଯେତେ ଟଙ୍କା ଦାବି କରିଥିଲେ ତହା ଦେବାକୁ ରାଜି ହୋଇଥିଲା ଟ୍ରାଭେଲ୍ ସଂସ୍ଥା । ଉକ୍ତ ସଂସ୍ଥାକୁ କ୍ରାଇମ୍ବ୍ରାଞ୍ଚ ଅଧିକାରୀମାନେ ଜେରା କରିଛନ୍ତି ।
ଏହି ୧୧୪ ଜଣ ଆନ୍ଧ୍ରପ୍ରଦେଶରେ ପରୀକ୍ଷା ପାଇଁ ଟ୍ରେନିଂ ନେବାର ସବୁ ବ୍ୟବସ୍ଥା ଥିଲା । ସେଠାରୁ ଟ୍ରେନିଂ ନେଇ ଫେରିବା ପରେ ଏମାନେ ଆସନ୍ତା ୫ ଓ୬ ତାରିଖରେ ପରୀକ୍ଷା ଦେଇଥାନ୍ତେ । ତେଣୁ କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ଆନ୍ଧ୍ର ଯିବାକୁ ଯୋଜନା କରିଛି ।
ସେପଟେ ଗିରଫ ପରୀକ୍ଷାର୍ଥୀଙ୍କୁ ଭେଟିବାକୁ ଶୁକ୍ରବାର ବ୍ରହ୍ମପୁର ଜେଲ୍ରେ ପ୍ରବଳ ଭିଡ଼ ହୋଇଥିଲା । ୮୦ ଜଣ ପରୀକ୍ଷାର୍ଥୀଙ୍କ ଅଭିଭାବକ ଆସି ସାକ୍ଷାତ କରିଛନ୍ତି । ଗିରଫ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷ ଓ କାଉନ୍ସିଲର, ନେତା ଓ ପୁଲିସଙ୍କ ପିଲାମାନେ ଅଛନ୍ତି । ମାର୍ଚ୍ଚରେ ଅବସର ନେଇଥିବା ଜେଲ୍ ଡିଆଇଜି କୁଳମଣି ବେହେରାଙ୍କ ପୁଅ ଅମୀୟ ବେହେରା (୨୮), ସରକାରୀ ଆଇଟିଆଇରେ କାର୍ଯ୍ୟରତ କଟକ ବାରଙ୍ଗ ଅଞ୍ଚଳର ପ୍ରତିଭା ନାୟକ, ବଲାଙ୍ଗୀର ଜିଲ୍ଲା ମୁରିବାହାଲର ପ୍ରହଲ୍ଲାଦ ନାଗ ଓ ତାଙ୍କ ସ୍ତ୍ରୀ ମୁନ୍କୀ ରାଜପାଲିଆ, ଭୁବନେଶ୍ୱର ସପ୍ତମ ବାଟାଲିୟନ କନେଷ୍ଟବଳ ଜିତେନ୍ଦ୍ର ନାଥ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଥିବା ଜଣାଯାଇଛି । କିଛି ପରୀକ୍ଷାର୍ଥୀ ଓକିଲଙ୍କ ଜରିଆରେ ଜାମିନ୍ ଆବେଦନ କରିଛନ୍ତି । ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିବା ଆଇନଜୀବୀ ତଥା ସାମାଜିକ କର୍ମୀ ଜ୍ଞାନରଞ୍ଜନ ନାୟକ କହିଛନ୍ତି, ପୁଲିସ ମାମଲାର ତଦନ୍ତ କରୁଛି । ସେ ଉପରେ କିଛି କହିବାର ନାହିଁ ।
ଏନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ପଚାରିବାରୁ ସେ କହିଥିଲେ, ଘଟଣାକୁ ଗମ୍ଭୀରତାର ସହ ନିଆଯାଇଛି । ବର୍ତ୍ତମାନ ଆମେ ୧୧୭ ଜଣଙ୍କୁ ଗିରଫ କରିଛୁ । ୧୧୪ ପରୀକ୍ଷାର୍ଥୀ ଅଛନ୍ତି । ବିଭିନ୍ନ ସଂସ୍ଥାରେ ଚଢ଼ଉ କରାଯାଇଛି । ଏଥିରେ ଯେଉଁମାନଙ୍କ ଲିଙ୍କ୍ ଥିବା ପ୍ରମାଣ ମିଳିବ ସମସ୍ତଙ୍କୁ ଗିରଫ କରାଯିବ ।
ସୂଚନା ମୁତାବକ, ଆସନ୍ତା ୫ ଓ ୬ ତାରିଖ ଦୁଇ ଦିନ ସାରା ରାଜ୍ୟରେ ଓଡ଼ିଶା ପୁଲିସ ନିଯୁକ୍ତ ବୋର୍ଡ (ଓପିଆର୍ବି) ପରିଚାଳିତ ଏସ୍ଆଇ ପରୀକ୍ଷା ହେବାର ଥିଲା । ସୋମବାର ରାତିରେ ୩ଟି ବସ୍ରେ ୧୨୦ ଜଣ ଆଶାୟୀ ବିଜୟନଗରମ୍ ଯାଉଥିଲେ । ସେଠାରେ ରହି ଲିଖିତ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଅଭ୍ୟାସ କରିଥାଆନ୍ତେ । ଏଥିପାଇଁ ବଡ଼ ଧରଣର ଡିଲ୍ ବି ହୋଇଥିଲା । ଆଶାୟୀମାନେ ଅଗ୍ରୀମ ୧୦ ଲକ୍ଷ ଟଙ୍କା ଦେଇଥିଲେ ଏବଂ ନିଯୁକ୍ତି ନିଶ୍ଚିତ ହେବା ପରେ ଆଉ ୧୫ ଲକ୍ଷ ଦେବା ସ୍ଥିର ହୋଇଥିବା ଜଣାଯାଇଛି । ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ଙ୍କ ନିର୍ଦ୍ଦେଶ ପରେ ବୈଦ୍ୟନାଥପୁର, ଗୋସାଇଁ ନୂଆଗାଁ ଓ ଗୋଳନ୍ଥରା ଥାନା ପୁଲିସକୁ ନେଇ ଟିମ୍ ଗଠନ ହୋଇଥିଲା । ପୁଲିସ ଟିମ୍ ଶ୍ରୀକାକୁଲମ୍ ପୁଲିସ ସହଯୋଗରେ ୩ଟି ବସ୍କୁ ଅଟକାଇବା ସହ ସେମାନଙ୍କୁ ବ୍ରହ୍ମପୁର ନେଇ ଆସିଥିଲେ ।