କଟକ, ୮/୧୦ : ଦଶହରା ଭସାଣି ରାତି ଗଣ୍ଡଗୋଳ ଏବଂ ଏହାର ପରବର୍ତ୍ତୀ ସମୟରେ କଟକ ସହରରେ ଉପୁଜିଥିବା ବିଶୃଙ୍ଖଳାର ବ୍ୟବଚ୍ଛେଦ ଏବେ କରୁଛି କମିସନରେଟ୍ ପୁଲିସ । ଗୁଇନ୍ଦା ତଥ୍ୟ, ସହରର ରାସ୍ତାଘାଟର ସିସିଟିଭି ଫୁଟେଜ୍, ଦରଘାବଜାର ଓ ଗୌରୀଶଙ୍କର ପାର୍କ ନିକଟ ଗଣ୍ଡଗୋଳ ସ୍ଥଳରୁ ମିଳିଥିବା ତଥ୍ୟରୁ ପୁଲିସକୁ ଅନେକ ପ୍ରମାଣ ମିଳିଛି । କ୍ୟାମେରାରେ କଏଦ୍ ହୋଇଥିବା ହିଂସାକାଣ୍ଡ ସନ୍ର ଭିଡିଓ ଫୁଟେଜ୍ରୁ ଅନେକ ଅପରାଧୀଙ୍କ ବାବଦରେ ପୁଲିସକୁ ସୂଚନା ମିଳିଛି।
ଏହି ଘଟଣାର ତଦନ୍ତ କରୁଥିବା ଜଣେ ପୁଲିସ ଅଫିସରଙ୍କ କହିବା କଥା, ସହରରେ ଯେଉଁ ବିଶୃଙ୍ଖଳା ଘଟିଲା ତାହା ଯୋଜନାବଦ୍ଧ । ଉଦ୍ଦେଶ୍ୟ ରଖି ଗଣ୍ଡଗୋଳ କରି ନିଆଁ ଜଳାଇବା ଓ ପୁଲିସକୁ ମାଡ଼ ମାରିବା ସହ ଅଫିସରମାନଙ୍କ ଉପରକୁ ଟେକାପଥର ଫିଙ୍ଗିବା ସାଧାରଣ ଲୋକଙ୍କ ପକ୍ଷେ ସହଜ କାମ ନୁହେଁ । ଏହା ପଛରେ ଅପରାଧୀ ଶ୍ରେଣୀର ସମ୍ପୃକ୍ତି ଥିବା ବାରି ହୋଇପଡୁଛି । ତେଣୁ ଏହି ଗଣ୍ଡଗୋଳ ପ୍ରସଙ୍ଗରେ କଟକ ସାଂସଦ ଭର୍ତ୍ତୁହରି ମହତାବ ଯେଉଁ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ ତାହା ସତ ପ୍ରମାଣିତ ହେଉଛି । ଜେଲ୍ ଫେରନ୍ତା କିଛି ଅପରାଧୀ ସହରରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଉଦ୍ୟମ ଚଳାଇଥିବା ସମ୍ପର୍କରେ ପୁଲିସକୁ ଆଗୁଆ ଅବଗତ କରିଥିଲେ ବୋଲି ସାଂସଦ ଶ୍ରୀ ମହତାବ ଗତକାଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ । ତେଣୁ ଭସାଣି ଗଣ୍ଡଗୋଳକୁ ନେଇ ପରବର୍ତ୍ତୀ ସମୟରେ ଯେଉଁ ହିଂସାକାଣ୍ଡ ଘଟିଲା ସେଥିରେ କିଛି ଅପରାଧୀଙ୍କର ହାତ ଥିବା ଚର୍ଚ୍ଚା ବଢ଼ିଛି । ପୁଲିସ ବି ଏନେଇ ସ୍ପଷ୍ଟ ହେବା ପରେ ସେହି ଦିଗରେ ଛାନ୍ଭିନ୍ ଚଳାଇଥିବା ଜଣାପଡ଼ିଛି । ଘଟଣାକୁ ନେଇ ସହରର ବୁଦ୍ଧିଜୀବୀମାନେ ବି ଚିନ୍ତା ପ୍ରକଟ କରିଛନ୍ତି । ଯେଉଁଭଳି ଭାବେ ସହରରେ ଅଶାନ୍ତ ବାତାବରଣ ଓ ଅରାଜକତା ସୃଷ୍ଟି ହେଲା ସେଥିପାଇଁ ଦାୟୀ କିଏ, ଏହାର ପ୍ରଚ୍ଛଦପଟରେ ବାସ୍ତବରେ କେଉଁମାନେ ଅଛନ୍ତି, ଏପରି ଅନେକ ପ୍ରଶ୍ନ ବୁଦ୍ଧିଜୀବୀମାନେ ଉଠାଇଛନ୍ତି । ତେଣୁ କଟକର ଭାଇଚାରାକୁ ନଷ୍ଟ କରି ସହରରେ ଅରାଜକତା ସୃଷ୍ଟି କରିଥିବା ମୁଖ୍ୟ କାର୍ପଟଦାରମାନଙ୍କୁ ପୁଲିସ ଖୋଜି ବାହାର କରୁ ବୋଲି ବିଭିନ୍ନ ସାହି ମୁରବି, ରାଜନେତା ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
କଙ୍କଡ଼ାକୁ ଗୋଳିଆପାଣି ସୁହାଇବା ପରି କିଛି ବର୍ଷ ହେଲା ସହରରେ ନିଷ୍କ୍ରିୟ ଥିବା ଅପରାଧୀ ଗୋଷ୍ଠୀକୁ ସହରରେ ମୁଣ୍ଡ ଟେକିବା ପାଇଁ ଏ ଗଣ୍ଡଗୋଳ ସୁଯୋଗ ଦେଇଛି । ଏହି ଗଣ୍ଡଗୋଳ ପଛରେ ଅପରାଧୀମାନଙ୍କର ଭୂମିକା ଥିବା ପୁଲିସ ଜାଣିବାକୁ ପାଇଛି । ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅପରାଧିକ ଗୋଷ୍ଠୀର ସଦସ୍ୟ ଅନେକଙ୍କୁ ଶୋଭାଯାତ୍ରାରେ ଉସ୍କାଇ ଆଇନ୍କୁ ହାତକୁ ନେଇଥିବାର ପୁଲିସ ଗୁଇନ୍ଦା ସୂତ୍ରରୁ ଖବର ପାଇଛି । ଏମିତିକି ଅନେକ ବିବାଦୀୟ ଚେହେରା ସିସଟିଭି ଫୁଟେଜ୍ରେ କଏଦ୍ ହୋଇଥିବା ସୂଚନା ମିଳିଛି । ତେଣୁ ରାଜନୈତିକ ପଶାପାଲିରେ କିମ୍ବା ଚାପରେ ଚେପା ନହୋଇ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ୍ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ବିଶୃଙ୍ଖଳାକାରୀଙ୍କୁ ଦମନ କରିବା ପାଇଁ ଏବଂ ପୂର୍ବପରି ସହରରେ ଅପରାଧୀମାନଙ୍କୁ ସଂଗଠିତ ହେବା ଲାଗି ସୁଯୋଗ ନଦେବା ଲାଗି ଯେପରି କମିସନରେଟ୍ ପୁଲିସ କଡ଼ା ପଦକ୍ଷେପ ନେଉଥିଲା ସେହି ଅଭିଯାନ ଜାରି ରଖିବା ପାଇଁ ଅନେକ ପୂର୍ବତନ ପୁଲିସ ଅଧିକାରୀ କହିଛନ୍ତି । ଥାନା ଆଗରେ ପୁଲିସକୁ ଗୋଡ଼େଇ ପିଟିବା, ଟେକାପଥର ଫିଙ୍ଗିବା ସହ ଡିସିପିଙ୍କୁ ଦୁଇ ଥର ଟାର୍ଗେଟ୍ କରି ଆକ୍ରମଣ କରିବା ଏକ ଚିନ୍ତାଜନକ ଘଟଣା ।
ଦଶହରା ଭସାଣିରେ ଏବଂ ଏହାର ଦୁଇ ଦିନ ପରେ ପୁଣି ପୁଲିସକୁ ଢେଲାପଥର ଫିଙ୍ଗି ଆକ୍ରମଣ କରିବା ଘଟଣା ସହରରେ କେବେ ଆଗରୁ ଘଟିନଥିଲା । ଭସାଣି ଗଣ୍ଡଗୋଳର ପ୍ରତିବାଦ ନାଁରେ ଏହାର ପରବର୍ତ୍ତୀ ସମୟରେ ସହରରେ ଅପରାଧିକ ଗୋଷ୍ଠୀ ସକ୍ରିୟ ରହି ବିଶୃଙ୍ଖଳା, ଅରାଜକତା ସୃଷ୍ଟି କରିବା ସହ ପୁଲିସ ଉପରେ ରାଗ ଶୁଝାଇଥିଲେ ବୋଲି ଆଲୋଚନା ହେଉଛି । ପୁଲିସର ଗୁଇନ୍ଦା ବ୍ୟବସ୍ଥା ଆରମ୍ଭରୁ ବିଫଳ ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ଦରଘାବଜାର ଓ ଗୌରୀଶଙ୍କର ପାର୍କ ଅଞ୍ଚଳରେ ଘଟିଥିବା ଲଙ୍କାକାଣ୍ଡ ପଛରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ସମ୍ପର୍କରେ ପୁଲିସକୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ମିଳିଥିବା ଜଣାପଡ଼ିଛି ।