ଆଠମଲ୍ଲିକ,୨୩/୧୦ :  ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ଥାନା ଅଞ୍ଚଳର ଝାମ୍ପୁଲୀ ଗାଁର ରଞ୍ଜିତ ପ୍ରଧାନ(୫୦) ଗୁରୁବାର କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି । ତାଙ୍କର ବାମ ହାତଟିକୁ କୁମ୍ଭୀର ଖାଇ ଦେଇଥିବା ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କିଶୋରନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ରଞ୍ଜିତ ନିଜର ଛେଳିମାନଙ୍କୁ ଧରି ଗାଁ ପାଖ ନାଳ ଆଡ଼କୁ ଛେଳି ଚରାଇବାକୁ ଯାଇଥିଲେ । ମାନଜୋର ଜଳସେଚନ ପ୍ରକଳ୍ପରୁ କୁମ୍ଭୀର ଆସି ଏହି ନାଳରେ ରହୁଥିବାବେଳେ ପ୍ରଥମେ ଛେଳିକୁ ଆକ୍ରମଣ କରିଥିଲା । ଛେଳିକୁ କୁମ୍ଭୀର ଖାଉଥିବା ଦେଖି ରଞ୍ଜିତ ଛେଳିକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାରୁ କୁମ୍ଭୀର ରଞ୍ଜିତର ବାମ ପାଖ ହାତକୁ କାମୁଡ଼ି ଖାଇ ଦେଇଥିଲା। ତେବେ ରଞ୍ଜିତ କୁମ୍ଭୀର କବଳରୁ ନିଜର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ପରିବାର ଲୋକ ରଞ୍ଜିତକୁ ପ୍ରଥମେ କିଶୋରନଗର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅଧିକ ଚିକିତ୍ସା ପାଇଁ ରଞ୍ଜିତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ବାମୁର୍ ବନାଞ୍ଚଳ ଅଧିକାରୀ ସ୍ଵାଧୀନ କୁମାର୍ ସାମଲକୁ ଯୋଗାଯୋଗ କରାଯିବାରୁ ଆହତ ରଞ୍ଜିତ କିପରି ସରକାରୀ ସହାୟତା ପାଇପାରିବେ ସେଥିପାଇଁ ସେ ପଦକ୍ଷେପ ନେବେ ବୋଲି ଜଣାଇଛନ୍ତି ।