ଭୁବନେଶ୍ୱର,୧୯/୧୦:  ସାଇବର ଅପରାଧ ଏବେ ସବୁଠାରୁ ବଡ଼ ଚାଲେଞ୍ଜ ହୋଇଛି । ଏହାକୁ ରୋକିବାକୁ ସଚେତନତା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଏ ଅପରାଧର ପ୍ରତିରୋଧ କରିବାକୁ ସରକାର ୨୦ ନୂଆ ସାଇବର ଥାନା ଖୋଲିବେ । ସେହିପରି ୧୪ ସାଇବର ଥାନାର ଆଧୁନିକୀକରଣ କରାଯିବ । ସାଇବର ସୁରକ୍ଷାକୁ ସୁଦୃଢ଼ କରିବାକୁ ୧୧୨୭ଟି ନୂଆ ପୁଲିସ ପଦବି ସୃଷ୍ଟି ସହ ୧୭୦ ବୈଷୟିକ ବିଶେଷଜ୍ଞ (ଟେକ୍‌ନିକାଲ ଏକ୍ସପର୍ଟ)ଙ୍କୁ ଖୁବ୍‌ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ରାଜ୍ୟସ୍ତରୀୟ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଲେ, ଦେଶର ପ୍ରାୟ ୮୨ କୋଟି ଲୋକ (୫୫ ପ୍ରତିଶତ) ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି । ବିଶ୍ୱରେ ଇଣ୍ଟରନେଟ୍‌ ବ୍ୟବହାର କ୍ଷେତ୍ରରେ ଭାରତର ସ୍ଥାନ ଦ୍ୱିତୀୟ । ଆମେ ଦୈନନ୍ଦିନ ଜୀବନରେ ଡିଜିଟାଲ୍‌ ବ୍ୟବସ୍ଥା ଉପରେ ନିର୍ଭରଶୀଳ । ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କୁ ସାଇବର ଅପରାଧ, ଅନ୍‌ଲାଇନ ଠକେଇ ଭଳି ଅପରାଧର ଶିକାର ହେବାକୁ ପଡ଼ୁଛି । ତେଣୁ ଆମ ସରକାର ସାଇବର ପୁଲିସଙ୍କୁ ଶକ୍ତିଶାଳୀ କରିବା, ସଚେତନତା ବୃଦ୍ଧି କରିବା ଓ ସୁରକ୍ଷିତ ଡିଜିଟାଲ ପରିବେଶ ଗଠନ କରିବା ଦିଗରେ ପଦକ୍ଷେପ ନେଉଛନ୍ତି । ଇଣ୍ଟରନେଟ୍‌ ଜରିଆରେ ଝିଅମାନଙ୍କୁ ବ୍ଲାକମେଲ୍‌ କରୁଥିବା ଓ ମାନସିକ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ତ୍ୱରିତ ପଦକ୍ଷେପ ନ ନେଲେ ସମ୍ପୃକ୍ତ ପୁଲିସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସତର୍କବାଣୀ ଶୁଣାଇଛନ୍ତି ।  ସାଇବର ଅପରାଧ ରୋକିବାରେ ଓଡ଼ିଶା ପୁଲିସକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଲେ, ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏବଂ ସାଇବର ହେଲ୍‌ପଲାଇନ୍‌ ୧୯୩୦ ମାଧ୍ୟମରେ ହଜାର ହଜାର ଅଭିଯୋଗକାରୀଙ୍କୁ ଠିକ୍‌ ସମୟରେ ସହାୟତା ପ୍ରଦାନ କରାଯାଇଛି । ସାଇବର ଅପରାଧ ନିୟନ୍ତ୍ରଣ କରିବାକୁ କ୍ରାଇମବ୍ରାଞ୍ଚ ଅଧୀନରେ ଏକ ରାଜ୍ୟସ୍ତରୀୟ କମାଣ୍ଡ୍‌ ସେଣ୍ଟର ତିଆରି କରାଯିବ । ଏହି ସେଣ୍ଟରଟି ସାଇବର ଅପରାଧ ରୋକିବା କ୍ଷେତ୍ରରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଭାବେ କାର୍ଯ୍ୟ କରିବ । ସାଇବର ଠକାମିର ମୁଖ୍ୟ କାରଣ ହେଉଛି ସଚେତନତାର ଅଭାବ ।

ଏଥିପାଇଁ ଅନ୍‌ଲାଇନ୍‌, ଡିଜିଟାଲ ଓ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ପଡ଼ିବ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି ଯେଉଁଥିରେ ସାଇବର ଠକେଇର ବିଭିନ୍ନ ଦିଗ ଉପରେ ଲୋକଙ୍କୁ ସଚେତନ କରାଯିବ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୧୬ଟି ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ନୂଆପଡ଼ା ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ଜିଲ୍ଲାରେ ଏକ ମାସ ଧରି ଲୋକଙ୍କୁ ସଚେତନ କରାଇବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅତିଥି, ସରକାରୀ ଅଧିକାରୀ ଓ ଛାତ୍ରଛାତ୍ରୀମାନଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ଶପଥ ପାଠ କରାଇଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସରକାରୀ ବିଭାଗଗୁଡ଼ିକ ଆନୁସଙ୍ଗିକ ପଦକ୍ଷେପ ନେବାକୁ କହିଥିଲେ । ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ସାଇବର ଅପରାଧ କ୍ଷେତ୍ରରେ ପୁଲିସ ନେଇଥିବା ପଦକ୍ଷେପ ସଂପର୍କରେ ତଥ୍ୟ ରଖିଥିଲା ବେଳେ କ୍ରାଇମବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।