​​​​​​​ବେଜିଂ/ନୂଆଦିଲ୍ଲୀ: ଭିକ୍ଟ୍ରି ଡେ ପରେଡ୍‌ ସମୟରେ ଦୁନିଆକୁ ଚୀନ୍‌ ନିଜର ଶକ୍ତି ଦେଖାଇଛି । ଏହି ପରେଡ୍‌ରେ ପାରମ୍ପରିକ ଏବଂ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସାମିଲ କରିଛି ଡ୍ରାଗନ । ଯେଉଁଥିରେ ଏୟାର ଡିଫେନ୍ସ ଲେଜର, ଷ୍ଟିଲଥ୍ ଲଢ଼ୁଆ ବିମାନ, ଜାହାଜ ପ୍ରତିରୋଧୀ କ୍ଷେପଣାସ୍ତ୍ର, ଇଣ୍ଟର କଣ୍ଟିନେଣ୍ଟାଲ୍‌ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ସାମୁଦ୍ରିକ ଡ୍ରୋନ୍ ଏବଂ ରୋବୋଟ୍ କୁକୁର ଅନ୍ତର୍ଭୁକ୍ତ । ଏହା ଆଧୁନିକ ଯୁଦ୍ଧ କ୍ଷମତାରେ ଚୀନ୍‌ର ବିସ୍ତାରକୁ ଦର୍ଶାଉଛି । ପ୍ରାୟ ୭୦ ମିନିଟ୍ ଧରି ଚାଲିଥିବା ଏହି ପରେଡ୍‌ରେ, ଚୀନ୍‌ ନିଜର ନୂତନ ସାମରିକ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିଛି

ଚୀନ୍‌ର ସାମରିକ ପରେଡ୍‌ର ସର୍ବୋଚ୍ଚ ସ୍ଥାନରେ DF-61 ଏବଂ DF-31AG  ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଥିଲା । ଏସବୁର ଲକ୍ଷ୍ୟଭେଦ ପରିସର ହଜାର ହଜାର କିଲୋମିଟର । JL-3 ବୁଡ଼ାଜାହାଜରୁ ଲଞ୍ଚ ହୋଇପାରୁଥିବା କ୍ଷେପଣାସ୍ତ୍ର, DF-5C ମଲ୍ଟି-ୱାରହେଡ୍ କ୍ଷେପଣାସ୍ତ୍ର ଏବଂ DF-17 ହାଇପରସୋନିକ୍ ଗ୍ଲାଇଡ୍ ଯାନ ଭଳି ଅସ୍ତ୍ର ପ୍ରଣାଳୀ ଚୀନ୍‌ର ଦୀର୍ଘ ଦୂରଗାମୀ ଆକ୍ରମଣ ଶକ୍ତିକୁ ପ୍ରଦର୍ଶନ କରେ । DF-5C କ୍ଷେପଣାସ୍ତ୍ର ଏକ ପରମାଣୁ କ୍ଷେପଣାସ୍ତ୍ର, ଯାହାକୁ ଆମେରିକାର ଯେକୌଣସି ଅଂଶ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରାଯାଇପାରିବ ।

ଚୀନର ସାମରିକ ପରେଡରେ କେବଳ କ୍ଷେପଣାସ୍ତ୍ର ଦେଖାଯାଇନଥିଲା ବରଂ ଭବିଷ୍ୟତର ଯୁଦ୍ଧର ଝଲକ ଦେଖିବାକୁ ମିଳିଛି । YJ-15, YJ-17 ଏବଂ YJ-20, CJ-1000 କ୍ରୁଜ୍ କ୍ଷେପଣାସ୍ତ୍ର, ଅଣ୍ଡର ଓ୍ବାଟର ଡ୍ରୋନ୍ ଏବଂ ଲେଜର-ଆଧାରିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭଳି ଜାହାଜ ପ୍ରତିରୋଧୀ ହାଇପରସୋନିକ୍ କ୍ଷେପଣାସ୍ତ୍ର ଦେଖିବାକୁ ମିଳିଛି । ଏହି ଅସ୍ତ୍ରଗୁଡ଼ିକ ପ୍ରମାଣ କରିଛି ଯେ, ଚୀନ୍ ଏବେ ମଲ୍ଟି-ଡୋମେନ୍ ଯୁଦ୍ଧ ଆଡକୁ ଅଗ୍ରସର ହେଉଛି । ଏହା ବ୍ୟତୀତ, ଉଚ୍ଚ-ଶକ୍ତିଶାଳୀ ମାଇକ୍ରୋୱେଭ୍ ଅସ୍ତ୍ରଶସ୍ତ୍ର ଏବଂ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳୀ ମଧ୍ୟ ପରେଡରେ ନିଜର ଉପସ୍ଥିତି ଜାହିର କରିଥିଲା । ଭବିଷ୍ୟତର ଯୁଦ୍ଧରେ ଚୀନ କେବଳ ସ୍ଥଳ ଏବଂ ଆକାଶରେ ନୁହେଁ ବରଂ ସାଇବର ଇଲେକ୍ଟ୍ରୋନିକ୍ କ୍ଷେତ୍ରରେ ବିଶ୍ୱ ପାଇଁ ଏକ ବଡ଼ ବିପଦ ପାଲଟି

ଅବସରପ୍ରାପ୍ତ ଅଷ୍ଟ୍ରେଲୀୟ ମେଜର-ଜେନେରାଲ ମିକ୍ ରାଇନ୍ଙ୍କ ସୂଚନା ଆଧାରରେ ସିଏନଏନର ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁସାରେ, ଆମେରିକା ଏବେ ବି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର । କିନ୍ତୁ ଚୀନ୍ ଓ ଆମେରିକା ଶକ୍ତିରେ ଅଧିକ ବ୍ୟବଧାନ ନାହିଁ । ଚୀନ୍ ଘରୋଇ ସ୍ତରରେ ଏହାର ଅସ୍ତ୍ର ନିର୍ମାଣ କ୍ଷମତାକୁ ବୃଦ୍ଧି କରିଛି। ଏହାର ଅର୍ଥ ହେଉଛି ଯେ, କୌଣସି ସମ୍ଭାବ୍ୟ ଯୁଦ୍ଧରେ ଏହା ବିଦେଶୀ ଯୋଗାଣ ଶୃଙ୍ଖଳ ଉପରେ ନିର୍ଭରଶୀଳ ହେବ ନାହିଁ । ଏହା ଏହାକୁ ରଣନୈତିକ ଭାବରେ ବହୁତ ଶକ୍ତିଶାଳୀ କରୁଛି । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏହି ଅସ୍ତ୍ରଗୁଡ଼ିକ କେତେ ପ୍ରଭାବଶାଳୀ ? କାରଣ ଏପର୍ଯ୍ୟନ୍ତ ଏଗୁଡ଼ିକ ମଧ୍ୟରୁ କୌଣସିଟି ପ୍ରକୃତ ଯୁଦ୍ଧରେ ପରୀକ୍ଷିତ ହୋଇନାହିଁ । ସେପଟେ ଇରାକ, ଆଫଗାନିସ୍ତାନ ଏବଂ ସିରିଆ ଭଳି ଯୁଦ୍ଧ କ୍ଷେତ୍ରରେ ଆମେରିକାର ଅସ୍ତ୍ର ପରୀକ୍ଷଣ କରାଯାଇଛି ଏବଂ ଏହାର ପ୍ରଭାବ ମଧ୍ୟ ଦେଖାଯାଇଛି । ଅନେକ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ, ଚୀନର ଅସ୍ତ୍ରଗୁଡ଼ିକ ଭାରତ ବିରୁଦ୍ଧରେ ସେମାନଙ୍କର ପ୍ରଭାବ ଦେଖାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ।

ସିଏନଏନ ରିପୋର୍ଟ ଅନୁସାରେ, ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୀନ୍ ହୁଏତ ଏକ ହାଇ-ଟେକ୍ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଥାଇପାରେ କିନ୍ତୁ  ଏହି ଯୁଦ୍ଧାସ୍ତ୍ର ପ୍ରକୃତ ଯୁଦ୍ଧରେ ବ୍ୟବହାର ହୋଇନାହିଁ । ଚୀନ୍ ଶେଷ ଥର ପାଇଁ ୧୯୭୯ ମସିହାରେ ଭିଏତନାମ ସହିତ ଯୁଦ୍ଧ କରିଥିଲା । ସେବେଠାରୁ, ଏହା ବଡ଼ ସ୍ତରରେ କୌଣସି ଯୁଦ୍ଧ ଲଢ଼ିନାହିଁ । ଏହି କାରଣରୁ ପଶ୍ଚିମ ଦେଶମାନେ ଏହାର ପ୍ରକୃତ ଶକ୍ତି ଉପରେ ସନ୍ଦେହ କରୁଛନ୍ତି । କିନ୍ତୁ ଚୀନ୍‌ ଯଦି ଭବିଷ୍ୟତରେ କୌଣସି ଯୁଦ୍ଧ ଲଢ଼େ ତେବେ ଏହାକୁ ଯୁଦ୍ଧାସ୍ତ୍ରର ଅଭାବ ରହିବ ନାହିଁ ।