ଜୟପୁର, ୭।୧୦: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ପାଞ୍ଚଡା ପଞ୍ଚାୟତର ଦଶମନ୍ତପୁର ଛକରେ ସୋମବାର ଘଟିଥିବା ଦୁର୍ଘଟଣାରେ ଆଉ ଜଣଙ୍କର ମୃତ୍ୟୁ । ପୂର୍ବରୁ ଜଣଙ୍କର ଜୀବନ ଯାଇଥିବାରୁ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦଶମନ୍ତପୁର ବ୍ଳକ କାଟ୍ରାଆମ୍ବର ପୀତବାସ ମୁଦୁଲିଙ୍କ ୩ ବର୍ଷୀୟା ଝିଅ ପ୍ରାଣ ହରାଇଛନ୍ତି। ସୋମବାର ପୀତବାସଙ୍କ ଝିଅ ଗୁଗୁନିଙ୍କ ମୃତ୍ୟୁ ହୋଇଥିଲା। 

ଅପରପକ୍ଷରେ ଦୁର୍ଘଟଣାରେ ଗୁରୁତର ହୋଇଥିବା ପୀତବାସ, ତାଙ୍କ ପତ୍ନୀ ବାସନ୍ତୀ ଓ ୫ ବର୍ଷର ପୁତ୍ର ସଞ୍ଜୟ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ହସ୍ପିଟାଲ୍ ଓ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। କ୍ଷତିପୂରଣ ଦାବିରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ଦୀର୍ଘ ୨୧ ଘଣ୍ଟା ପରେ ହଟିଛି। ଆଜି ପୂର୍ବାହ୍ନ ୧୦.୧୫ ରେ ରାସ୍ତାରୋକ ହଟିବା ପରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଛି।