ନୂଆଦିଲ୍ଲୀ,୦୧/୧୧: ରାଜଧାନୀ ଦିଲ୍ଲୀ ଏବେ ବିଷ ବଳୟରେ । ଦୀପାବଳିରେ ନିୟମ ମାନିଲେ ନାହିଁ । ମନଇଚ୍ଛା ବାଣ ଫୁଟାଇଲେ ଆଉ ବିପଦକୁ ବରଣ କଲେ । ଦୀପାବଳି ପରେ ପ୍ରଦୂଷଣ ଚିନ୍ତା ବଢାଇଛି । ଦିଲ୍ଲୀ ଓ ଏନ୍‌ସିଆରରେ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି । ରାଜଧାନୀବାସୀଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି । ଏହି ପ୍ରଦୂଷଣ କେବଳ ଫୁସ୍‌ଫୁସ୍ ନୁହେଁ, ମସ୍ତିଷ୍କ, କିଡ୍‌ନୀ, ପାକସ୍ଥଳୀରେ ମଧ୍ୟ ନରକାତ୍ମକ ପ୍ରଭାବ ପକାଉଛି । ଦିଲ୍ଲୀ-ଏନ୍‌ସିଆର ପ୍ରଦୂଷଣର ଏକ ସର୍ଭେ ରିପୋର୍ଟ ଆସିଛି । ପ୍ରଦୂଷଣଜନିତ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ଦେଖିବାକୁ ମିଳିଛି । ୭୫ ପ୍ରତିଶତ ଘରେ ଭୂତାଣୁଜନିତ ସଂକ୍ରମଣ ମାମଲା ରିପୋର୍ଟ ଆସିଛି ।

ଏକ ସର୍ଭେରୁ ଜଣାପଡ଼ିଛି କି, ସେପ୍ଟେମ୍ବର ଶେଷରେ ଏହା ୫୬% ଥିବା ବେଳେ ଏହା ଏବେ ୭୫%କୁ ବୃଦ୍ଧି ହୋଇଛି । 'ଲୋକାଲ୍‌ସର୍କଲ୍ସ' ଦ୍ୱାରା ହୋଇଥିବା ସର୍ଭେରେ ଦିଲ୍ଲୀ, ଗୁରୁଗ୍ରାମ, ନୋଏଡା, ଫରିଦାବାଦ ଓ ଗାଜିଆବାଦବାସୀଙ୍କଠାରୁ ୧୫,୦୦୦ରୁ ଅଧିକ ମତାମତ ସଂଗ୍ରହ କରାଯାଇଥିଲା । ଏହି ସର୍ଭେ ରିପୋର୍ଟ ଭାଇରସ୍‌ ଓ ଅତ୍ୟଧିକ ପ୍ରଦୂଷଣଜନିତ ମିଶ୍ରିତ ପ୍ରଭାବକୁ ଦର୍ଶାଉଛି । ଦିଲ୍ଲୀ-ଏନ୍‌ସିଆର୍‌ରେ ଏବେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସମସ୍ୟା ଓ ଲକ୍ଷଣଗୁଡ଼ିକ ମଧ୍ୟରେ ସବୁଠାରୁ ସାଧାରଣ ଅବସ୍ଥା ହେଉଛି ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ଓ ଅନ୍ୟାନ ଭୂତାଣୁ ସଂକ୍ରମଣ । ପ୍ରଦୂଷଣ ପ୍ରଭାବିତ ବ୍ୟାକ୍ତିଙ୍କଠାରେ ଜ୍ୱର, କାଶ, ଗଳା ଯନ୍ତ୍ରଣା, ଥକାପଣ ଓ ଶ୍ୱାସକ୍ରିୟାଜନିତ ଅସୁବିଧା ପରିଲିକ୍ଷିତ ହେଉଛି । ପ୍ରାୟ ୧୦ ଦିନରୁ ଅଧିକ ସମୟ ଧରି ଏହି ସମସ୍ୟା ରହୁଛି । ଶିଶୁ, ବୃଦ୍ଧ ଓ ପୂର୍ବରୁ କିଛି ସ୍ୱାସ୍ଥ୍ୟସମସ୍ୟା ଥିବା ବ୍ୟକ୍ତିମାନେ ଅଧିକ ପ୍ରଭାବିତ ହେଉଛନ୍ତି । ୧୭ ପ୍ରତିଶତ ଘରେ ୪ କିମ୍ବା ଅଧିକ ଲୋକ ଅସୁସ୍ଥ ଥିବାବେଳେ ୨୫ ପ୍ରତିଶତ ଘରେ ୨ରୁ୩ ମାମଲା ରହିଛି ।

ଏବେ ଦିଲ୍ଲୀରେ ଅଧିକାଂଶ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦-୫୦୦ ରହିଛି । ପିଏ ୨.୫ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଧାର୍ଯ୍ୟ ସୁରକ୍ଷିତ ସୀମାଠାରୁ ପ୍ରାୟ ୧୦ ଗୁଣ ରହିଛି । ଦିଲ୍ଲୀ-ଏନ୍‌ସିଆରରେ ୭୫ ପ୍ରତିଶତ ପରିବାର ପ୍ରଦୂଷଣଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ । ଯେପରି ନିଶ୍ୱାସ ନେବାରେ କଷ୍ଟ ହେବା, ନାକ ବନ୍ଦ ହେବା, ଆଖି ପୋଡ଼ାଜଳା ହେବା ଓ ମୁଣ୍ଡ ବିନ୍ଧା ହେବା ପରି ଗମ୍ଭୀର ସମସ୍ୟା ଦେଖିବାକୁ ମିଳିଛି । ଫଳରେ ସେମାନେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଉଛନ୍ତି । ଦିଲ୍ଲୀ ଆକାଶକୁ ଏବେ ଧୂଳି ଓ ଧୂଆଁର ମୋଟା ପରଦା ଢାଙ୍କି ରଖିଛି । ଏପରି ସ୍ଥିତିରେ ଯଦି ପାରୁଛନ୍ତି ୬-୮ ସପ୍ତାହ ମଧ୍ୟରେ ଦିଲ୍ଲୀ ଛାଡ଼ିବାକୁ ଚେତାବନୀ ଦେଇଛନ୍ତି ଫୁସ୍‌ଫୁସ୍ ବିଶେଷଜ୍ଞ ।

ପ୍ରଦୂଷଣକାରୀ ଗାଡ଼ି ମନା- ଦିଲ୍ଲୀ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ପରିବହନ ବିଭାଗ । ଆଜିଠାରୁ କେବଳ BS-VI ଅନୁପାଳନକାରୀ ବାଣିଜ୍ୟିକ ସାମଗ୍ରୀ ଯାନଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଏହି ନିର୍ଦ୍ଦେଶ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଏବଂ ଦିଲ୍ଲୀ ପରିବହନ ବିଭାଗର ମିଳିତ ନିର୍ଦ୍ଦେଶ ଅନୁଯାୟୀ ଜାରି କରାଯାଇଛି । ଏହାର ଲକ୍ଷ୍ୟ ହେଉଛି ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ।