ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨୫ରେ ଶୀର୍ଷ ପଦବୀ ପାଇଁ  ଦେଖିବାକୁ ମିଳିଛି ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା । ଆରଏସଏସ ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP) ବହୁମତ ସହ DUSU ନିର୍ବାଚନରେ ନିଜର ବିଜୟ ପତାକା ଉଡାଇଛି। ଏହି ନିର୍ବାଚନରେ ଶୀର୍ଷ ପଦବୀରୁ ସଭାପତି ସମେତ ଟି ମୁଖ୍ୟ ପଦବୀ ABVP ଖାତାକୁ ଯାଇଛି। ଅନ୍ୟପଟେ କଂଗ୍ରେସ ସମର୍ଥିତ ନେସନାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ଇଣ୍ଡିଆ (NSUI) ଖାତାକୁ ଗୋଟିଏ ମାତ୍ର ଉପ-ସଭାପତି ସିଟ ଯାଇଛି।

​​​​​​​ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU) ନିର୍ବାଚନ ୨୦୨୫ର ଚାରୋଟି ମୁଖ୍ୟ ପଦବୀ ଯଥା ସଭାପତି, ଉପସଭାପତି, ସଚିବ ଏବଂ ସହ-ସଚିବ ପାଇଁ ପ୍ରାର୍ଥୀମାନେ ନିର୍ବାଚନ ମଇଦାନରେ ଓହ୍ଲାଇଥିଲେ। ଶୁକ୍ରବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସସ୍ଥିତ ମଲ୍ଟିପର୍ପଜ୍ ହଲ୍‌ରେ ମତଗଣନା ହୋଇଥିଲା। ବିଶ୍ୱବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ ମତଗଣନା ଶେଷ ହେବା ପରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯାଇଥିଲା।

ପ୍ରତିଦ୍ୱନ୍ଦ୍ୱୀ ଦଳ ଓ ପ୍ରାର୍ଥୀ

ଏହି ନିର୍ବାଚନରେ ତିନୋଟି ମୁଖ୍ୟ ରାଜନୈତିକ ଦଳ ମୁହାଁମୁହିଁ ହୋଇଥିଲେ:

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP): ବିଜେପି ସମର୍ଥିତ ଏହି ସଂଗଠନ ପୂର୍ବରୁ DUSU ନିର୍ବାଚନରେ ଆଧିପତ୍ୟ ବଜାୟ ରଖିଛି।

ନେସନାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ଇଣ୍ଡିଆ (NSUI): କଂଗ୍ରେସ ସମର୍ଥିତ ଏହି ଦଳ ଛାତ୍ରମାନଙ୍କ ମଧ୍ୟରେ ଜନପ୍ରିୟତା ବଢ଼ାଇବା ଉପରେ ଜୋର ଦେଇଥିଲା। ହେଲେ ନିର୍ବାଚନ ଫଳାଫଳ NSUIର ଆଶାନୁରୁପ ଆସିପାରିନାହିଁ।

ବାମପନ୍ଥୀ ସମ୍ମିଳନୀ (SFI AISA): ଷ୍ଟୁଡେଣ୍ଟସ ଫେଡେରେସନ ଅଫ ଇଣ୍ଡିଆ (SFI) ଏବଂ ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ (AISA) ମିଳିତ ଭାବେ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିଲେ।

ସଭାପତି ପଦ ପାଇଁ ABVPର ପାର୍ଥୀ ଆର୍ୟନ ମାନ୍ ୧୬,୧୯୬ ଖଣ୍ଡ ଅଧିକ ଭୋଟ ପାଇ ଜୟଯୁକ୍ତ ହୋଇଛନ୍ତି। ଅନ୍ୟପଟେ ଉପସଭାପତି ପଦ ପାଇଁ NSUI ପକ୍ଷରୁ ଦୌଡରେ ଥିବା ରାହୁଲ୍ ଝାନ୍ସଲା ନିଜ ନିକଟତମ ପ୍ରତିଦ୍ୱନ୍ଦିଙ୍କଠୁ ପାଖାପଖି ହଜାର ଖଣ୍ଡ ଭୋଟ ଅଧିକ ପାଇଛନ୍ତି। ସେହିଭଳି ସଚିବ ପଦ ପାଇଁ କୁନାଲ ଚୌଧୁରୀ ଓ ସହ-ସଚିବ ପଦ ପାଇଁ ଦୀପିକା ଝା ଜୟଯୁକ୍ତ ହୋଇଛନ୍ତି।

ନିର୍ବାଚନରେ ଭାଗ ନେଇଥିବା ପ୍ରାର୍ଥୀଙ୍କ ତାଲିକା:

ସଭାପତି (୯ ଜଣ): ଚଳିତ ବର୍ଷ DUSU ନିର୍ବାଚନରେ ସଭାପତି ପଦ ପାଇଁ ମୋଟ୍ ଜଣ ପାର୍ଥି ନିର୍ବାଚନ ଲଢିଥିଲେ। ସେମାନଙ୍କ ମଧ୍ୟରେ ଜୋସଲିନ୍ ନନ୍ଦିତା ଚୌଧରୀ (NSUI), ଅଞ୍ଜଳି (ବାମପନ୍ଥୀ ସମ୍ମିଳନୀ), ଆର୍ୟନ ମାନ୍ (ABVP), ଅନୁଜ୍ କୁମାର, ଦିବ୍ୟାନ୍ଶୁ ସିଂହ ଯାଦବ, ରାହୁଲ କୁମାର, ଉମାନ୍ଶୀ, ଯୋଗେଶ ମିନା, ଅଭିଷେକ କୁମାର।

ଉପସଭାପତି (୩ ଜଣ): ଉପସଭାପତି ପଦ ପାଇଁ ଗୋବିନ୍ଦ ତାନ୍ୱାର, ରାହୁଲ ଝାନ୍ସଲା, ସୋହନ କୁମାର ପରସ୍ପରର ଆମ୍ନାସାମ୍ନି ହୋଇଥିଲେ।

ସଚିବ (୪ ଜଣ): ଅଭିନନ୍ଦନା ପ୍ରତ୍ୟଶୀ, କବିର, କୁନାଲ ଚୌଧୁରୀ, ମୋହିତ।

ସହ-ସଚିବ (୫ ଜଣ): ଅଭିଷେକ କୁମାର, ଅକ୍ଷିତା, ଆମିଲିୟା ଆନ ଭର୍ଗେସ, ଦୀପିକା ଝା, ଲବକୁଶ ଭଡାନା।

DUSU ନିର୍ବାଚନ ଭାରତର ଅନ୍ୟତମ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଛାତ୍ର ରାଜନୀତିର ଏକ ପ୍ରମୁଖ ପରିଚୟ। ଏହା କେବଳ କ୍ୟାମ୍ପସ ପରିଚାଳନାରେ ଛାତ୍ରମାନଙ୍କ ପ୍ରତିନିଧିତ୍ୱ ନିର୍ଦ୍ଧାରଣ କରେ ନାହିଁ, ବରଂ ଜାତୀୟ ରାଜନୈତିକ ଦଳଗୁଡ଼ିକର ଶକ୍ତି ଓ ପ୍ରଭାବକୁ ମଧ୍ୟ ପ୍ରତିଫଳିତ କରେ। ABVP NSUI ମଧ୍ୟରେ ପୂର୍ବରୁ ଦୀର୍ଘ ସମୟରୁ ଚାଲିଆସୁଥିବା ପ୍ରତିଦ୍ୱନ୍ଦ୍ୱିତା ଏଥର ବାମପନ୍ଥୀ ସମ୍ମିଳନୀର ଉତ୍ଥାନ ସହ ଆହୁରି ଜଟିଳ ହୋଇଛି।

ନିର୍ବାଚନ ପୂର୍ବରୁ କ୍ୟାମ୍ପସରେ ପ୍ରଚାର ଜୋରଦାର ଥିଲା। ପ୍ରାର୍ଥୀ ଓ ଦଳଗୁଡ଼ିକ ଛାତ୍ରମାନଙ୍କୁ ଆକୃଷ୍ଟ କରିବା ପାଇଁ ସଭା, ସାମାଜିକ ଗଣମାଧ୍ୟମ ପ୍ରଚାର ଏବଂ ପୋଷ୍ଟର ବ୍ୟବହାର କରିଥିଲେ। ନିର୍ବାଚନ ଶାନ୍ତିପୂର୍ଣ୍ଣ ଥିଲା ବୋଲି ଜଣାପଡ଼ିଛି, କିନ୍ତୁ ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡ଼ିକ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଓ ରାଜନୈତିକ ଚାପ ଦେଖାଦେଇଥିଲା।

ଫଳାଫଳ ଘୋଷଣା ପରେ ଛାତ୍ରଗହଣ ଓ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଉତ୍ସୁକତା ଖେଳିଯାଇଛି। ଏହି ନିର୍ବାଚନର ଫଳାଫଳ କେବଳ DUSU ର ଆଗାମୀ ନେତୃତ୍ୱ ନିର୍ଧାରଣ କରିବ ନାହିଁ, ବରଂ କ୍ୟାମ୍ପସରେ ରାଜନୈତିକ ଶକ୍ତି ସନ୍ତୁଳନକୁ ମଧ୍ୟ ପ୍ରଭାବିତ କରିବ।