ପୁରୀ, ୧୧।୧୦ : ଡାଇରେକ୍ଟର ଜେନେରାଲ ସିଭିଲ ଆଭିଏସନ୍ (ଡ଼ିଜିସିଏ) ମ୍ୟାପରେ ଶ୍ରୀମନ୍ଦିର ରେଡ ଜୋନ ଭାବେ ସ୍ଥାନ ପାଇଛି  । ଏହି ରେଡ୍ ଜୋନ୍ ଅନୁଯାୟୀ ସମୁଦ୍ର ପତ୍ତନ ଠାରୁ ୫୦,୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ କୌଣସି ଉଡ଼ାଣ ହୋଇପାରିବ ନାହିଁ। ରେଡ୍ ଜୋନ୍ ପରେ ଆଇନ ଅନୁଯାୟୀ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରିବ।

ଏୟାରସ୍ପେଶ୍ ମ୍ୟାପରେ ଗତ ସେପ୍ଟେମ୍ବର ୨୬ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରକୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ଏହାର ସମୟ ଅବଧି ତିନିବର୍ଷ  ରହିଛି। ଅର୍ଥାତ ୨୦୨୮ ମସିହା ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ସମୟସୀମା ରହିଛି। ତେବେ ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବା ଘଟଣାକୁ ନେଇ ପୁରୀ ଏସପି ଡିଜିସିଏକୁ ରେଡ୍ ଜୋନ୍  ପାଇଁ ଚିଠି ଲେଖିଥିଲେ। ରେଡ୍ ଜୋନ ଘୋଷଣା  ପରେ ଡ୍ରୋନ୍ ଉଡାଣକାରୀଙ୍କ ଉପରେ ଏଥର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ଆଶା କରାଯାଉଛି। ସେପଟେ ସରକାରଙ୍କ ଏହି ପଦକ୍ଷେପକୁ ବୁଦ୍ଧିଜୀବୀ, ଆଇନଜୀବୀ, ସେବାୟତ ସ୍ୱାଗତ କରିଥିବା ବେଳେ ଆଣ୍ଟି ଡ୍ରୋନ୍ ଡିଭାଇସ୍ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି।