ବୈପାରୀଗୁଡ଼ା, ୧୫/୯ : କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଭେଜାହାଣ୍ଡି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା। ଭେଜାହାଣ୍ଡି ହଷ୍ଟେଲରେ ପହଞ୍ଚି କାରଣ ଖୋଜୁଛି ଡାକ୍ତରୀ ଦଳ। ହଷ୍ଟେଲ ପରିମଳ ବ୍ୟବସ୍ଥା ସମ୍ପର୍କରେ ତଦାରଖ କରାଯାଇଛି। ଛାତ୍ରୀମାନେ ବ୍ୟବହାର କରୁଥିବା ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଯାଇଛି।
ସୂଚନାନୁଯାୟୀ, ରବିବାର କୁନ୍ଦୁରା ବ୍ଲକ୍ ଭେଜାହାଣ୍ଡି ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୩ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କୁ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସିଛି। ଆଜି ଜିଲ୍ଲା ସ୍ତରୀୟ ଡାକ୍ତରୀ ଦଳ ଓ ଜିଲ୍ଲା ମଙ୍ଗଳ ସାମ୍ପ୍ରସରଣ ଅଧିକାରୀ ଭେଜାହାଣ୍ଡି ହଷ୍ଟେଲରେ ପହଞ୍ଚି ତଦାରଖ କରିଛନ୍ତି। ହଷ୍ଟେଲର ପରମଳ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକଶ ପାଇଛି। ହଷ୍ଟେଲ ପରିଚାଳନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜୁଥିବା ଅଭିଯୋଗ ଆସିଛି। ସେପଟେ ପିଲାମାନେ ବାହାର ଜିନିଷ ଖାଇବା ଯୋଗୁଁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମଙ୍ଗଳ ସମ୍ପ୍ରସରଣ ଅଧିକାରୀ କହିଛନ୍ତି। ବାହାର ଜିନିଷ ନଖାଇବା ପାଇଁ ଆଜି ସେମାନଙ୍କୁ ସଚେତନ କରାଯାଉଛି ।