ଫିରିଙ୍ଗିଆ,୨୧/୧୦: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନୁଆଁପଦର ପଞ୍ଚାୟତ ରବିଙ୍ଗିଆ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଭିନ୍ନକ୍ଷମ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି I ତେବେ ମୃତ ଯୁବକ ଜଣକ ସେହି ନୁଆଁପଦର ପଞ୍ଚାୟତ ଜାର୍ଗୀପଡା ଗାଁର କାର୍ତ୍ତିକ ମଲିକ ବୋଲି ଜଣାପଡିଥିବା ବେଳେ ଗୁରୁତର ଆହତ ହୋଇଥିବା ଯୁବକ ଜଣକ ମଧ୍ୟ ସେହି ଗାଁର ଫିରୋଦ ମଲ୍ଲିକ ଓ ସେ ମୃତକର ସମ୍ପର୍କୀୟ ଭାଇ ବୋଲି ଜଣାପଡିଛିI
ସୂଚନା ମୁତାବକ ମୃତ ଯୁବକ ଓ ଆହତ ଯୁବକ ମଙ୍ଗଳବାର ଅପରାହ୍ନ ଚାରିଟା ସମୟରେ ଏକ ବାଇକରେ ନୁଆଁପଦର ଠାରେ ଚାଲିଥିବା ଶ୍ୟାମା କାଲି ଯାତ୍ରା ଦେଖିବା ପାଇଁ ଯାଉଥିଲେ। ଏହି ସମୟରେ ମାସିରୀପଡା ଠାରୁ ନୂଆପଦର ଯାଇଥିବା ମୁଖ୍ୟ ରାସ୍ତାର ରବିଙ୍ଗିଆ ଛକ ନିକଟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା କଡରେ ଥିବା ଏକ ସୁରକ୍ଷା ପୋଲରେ ପିଟି ହୋଇଥିଲା। ଫଳରେ ଗାଡି ପଛରେ ବସିଥିବା ଭିନ୍ନକ୍ଷମ ଯୁବକ ଗାଡ଼ିରୁ ତଳେ ପଡିଯାଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇଥିଲେ।
ତେବେ ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଂଚି ପ୍ରଥମେ ଆହତ ବ୍ୟକ୍ତିଙ୍କୁ ନୂଆପଦର ମେଡିକାଲକୁ ନେଇଥିଲେ। ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ଆମ୍ବୁଲାନ୍ସ ନମିଳିବାରୁ ପୋଲିସ ମୃତ ଦେହକୁ ଏକ ଅଟୋ ସାହାଜ୍ୟରେ ଫିରିଙ୍ଗିଆ ମେଡିକାଲକୁ ଆଣିବା ପରେ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମେଡିକାଲକୁ ପଠାଇଛି I ଏହାସହ ଘଟଣାରେ ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରିରହିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ।