ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଅଜବ ଦାବିକୁ ପୁଣିଥରେ ଖଣ୍ଡନ କରିଛନ୍ତି ଭାରତ ସରକାର। ସୂଚନା ମୁତାବକ, ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଋଷଠୁ ଆଉ ତେଲ କିଣିବେ ନାହିଁ ବୋଲି ସୂଚନା ଦେଇଥିବା ନେଇ ଟ୍ରମ୍ପ ଦାବି କରିଥିଲେ। ତେବେ ଏନେଇ ଭାରତର ବିଦେଶ ମନ୍ତ୍ରଣାଳୟ ସୂଚନା ଜାରି କରି କହିଛି ଯେ, ଗତ ବୁଧବାରଠୁ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟଙ୍କ ଭିତରେ କୌଣସି ପ୍ରକାର ଯୋଗାଯୋଗ ହୋଇନାହିଁ।
ଗୁରୁବାର ଭାରତର ବିଦେଶ ମନ୍ତ୍ରଣାଳୟ(MEA) ଏକ ପ୍ରେସ ବିବୃତି ଜାରି କରି କହିଛି ଯେ, ନିକଟରେ ଚ୍ରମ୍ପ ଜାରି କରିଥିବା ବିବୃତି ଭ୍ରାନ୍ତାତ୍ମକ ଅଟେ। କାରଣ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଗତକାଲିଠୁ କୌଣସି ପ୍ରକାରର କଥାବର୍ତ୍ତା ହୋଇନାହିଁ।
ସୂଚନା ମୁତାବକ, ବୁଧବାର ଦିନ ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଆୟୋଜିତ ଗଣମାଧ୍ୟମ ବ୍ରିଫିଂ ସମୟରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ରୁଷରୁ ତେଲ କିଣିବା ବନ୍ଦ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ୟୁକ୍ରେନ ଯୁଦ୍ଧ ପାଇଁ ମସ୍କୋକୁ ଏକା କରିବା ପାଇଁ ଏହା ଏକ "ବଡ଼ ପଦକ୍ଷେପ" ବୋଲି ସେ କହିଥିଲେ।
ଟ୍ରମ୍ପ ଆହୁରି ମଧ୍ୟ କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ କଥାବର୍ତ୍ତା ସମୟରେ ଭାରତ ଦ୍ୱାରା ଋଷୀୟ ଅଶୋଧିତ ତୈଳର ନିରନ୍ତର ଆମଦାନୀ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଯାହା ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧକୁ ପାଣ୍ଠି ଯୋଗାଇବାରେ ସାହାଯ୍ୟ କରିଥିଲା ବୋଲି ସେ ବିଶ୍ୱାସ କରନ୍ତି ବୋଲି କହିଛନ୍ତି। "ଭାରତ ରୁଷ ନିକଟରୁ ତେଲ କିଣୁଥିବାରୁ ମୁଁ ଖୁସି ନଥିଲି," ବୋଲି ଟ୍ରମ୍ପ କହିଥିଲେ।
ଟ୍ରମ୍ପଙ୍କୁ ସିଧାସଳଖ ସମ୍ବୋଧିତ ନକରି ତାଙ୍କ ଦାବିକୁ ଖଣ୍ଡନ କରି, MEA ପୁନରାବୃତ୍ତି କରି କହିଥିଲା ଯେ ଭାରତର ଶକ୍ତି ନିଷ୍ପତ୍ତି ଗ୍ରାହକ ସ୍ୱାର୍ଥ ଦ୍ୱାରା ପରିଚାଳିତ। ଆଉ ଏହାପରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଏଥି ନିମନ୍ତେ ଟ୍ରମ୍ପଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି।