ଭୁବନେଶ୍ୱର: ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ସକାଳେ ତାଇୱାନର ଜଳସୀମା ଚାରିପାଖରେ ତିନୋଟି ଚୀନ୍ ସାମରିକ ବିମାନ ଏବଂ ଚାରୋଟି ଚୀନ୍ ନୌସେନା ଜାହାଜର ଗତିବିଧି ଚିହ୍ନଟ କରିଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ରିପୋର୍ଟ କରି କହିଛି ଯେ ଗୋଟିଏ ବିମାନ ମଧ୍ୟମ ରେଖା ଅତିକ୍ରମ କରି ତାଇୱାନର ଉତ୍ତର ବାୟୁ ପ୍ରତିରକ୍ଷା ଚିହ୍ନଟ କ୍ଷେତ୍ରରେ ପ୍ରବେଶ କରିଥିଲା। ତେବେ ତାଇୱାନ ଏହି ପରିସ୍ଥିତି ଉପରେ ନଜର ରଖିଛି ଏବଂ ଆବଶ୍ୟକ ଅନୁଯାୟୀ ପ୍ରତିକ୍ରିୟା ଦେଇଛି ବୋଲି ରକ୍ଷାମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି।

ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ଏକ୍ସରେ ଏନେଇ ପୋଷ୍ଟ କରି କହିଛି ଯେ, ତିନୋଟି ବିମାନ ମଧ୍ୟରୁ ଗୋଟିଏ ତାଇୱାନର ଉତ୍ତରରେ ପ୍ରବେଶ କରିଛି। ଗୋଟିଏ ଦିନ ପୂର୍ବରୁ, ଅର୍ଥାତ ବୁଧବାର ଦିନ, ତାଇୱାନ ଦୁଇଟି ଚୀନ୍ ସାମରିକ ବିମାନ, ଚାରୋଟି ନୌସେନା ଜାହାଜ ଏବଂ ଏକ ସରକାରୀ ଚୀନ୍ ଜାହାଜକୁ ଦେଖିଥିଲା। ଏହି ଦୁଇଟି ବିମାନ ମଧ୍ୟମ ରେଖା ଅତିକ୍ରମ କରି ତାଇୱାନର ADIZ ରେ ପ୍ରବେଶ କରିଥିଲା। ପ୍ରତିକ୍ରିୟା ସ୍ୱରୁପ ତାଇୱାନ ତତ୍କାଳ ପ୍ରଭାବରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ଚୀନର ଏହି ଅନୁପ୍ରବେଶ ଉଦ୍ୟମ ତାଇୱାନ ଉପରେ ସାମରିକ ଚାପ ଅଭିଯାନର ଏକ ସଦ୍ୟତମ ଅଧ୍ୟାୟ। ଆପଣଙ୍କୁ ଜଣାଇରଖୁ ଯେ, ବେଜିଂ ତାଇୱାନକୁ ନିଜ ଅଞ୍ଚଳର ଏକ ଅଂଶ ବୋଲି ମାନିଥାଏ। ଅନ୍ୟପଟେ ତାଇୱାନ ନ ନିଜର ସ୍ୱାଧୀନତା ଜାହିର କରିବାକୁ ସିଧାସଳଖ ଆମେରିକା ଉପରେ ନିର୍ଭରଶୀଳ। ତେବେ ଦୁଇ ଦେଶ ମଧ୍ୟରେ ଏଭଳି ଘଟନା ବାରମ୍ବାର ଘଟୁଥିବାରୁ ଏହା ଉତ୍ତେଜନାକୁ ବଢାଇବାରେ ଲାଗିଛି। ତେବେ ଏହି ସାମରିକ ଏବଂ ସାମୁଦ୍ରିକ କାର୍ଯ୍ୟକଳାପ ଆଞ୍ଚଳିକ ସୁରକ୍ଷା ଚିନ୍ତାକୁ ବୃଦ୍ଧି କରିଛି।

ସୁରକ୍ଷା ବିଶ୍ଳେଷକମାନେ ଚେତାବନୀ ଦେଇ କହିଛନ୍ତି ଯେ ଚୀନର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏବଂ ବିବିଧ ପରମାଣୁ କ୍ଷମତା ପାଶ୍ଚାତ୍ୟ ଦେଶଗୁଡ଼ିକ ସହିତ ସଂଘର୍ଷର ସମ୍ଭାବନା ସୃଷ୍ଟି କରିପାରେ। କାରଣ ସେପ୍ଟେମ୍ବର ତାରିଖରେ ତିଆନାନମେନ୍ ସ୍କୋୟାରରେ ଆୟୋଜିତ ଏକ ସାମରିକ ପରେଡରେ ଚୀନ୍ ତିନୋଟି କ୍ଷେପଣାସ୍ତ୍ର ପ୍ରଦର୍ଶନ କରିଥିଲା। ଯେଉଁଥିରେ JL-1 ଆକାଶ ପଥରୁ ଲଞ୍ଚ ହେଉଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, JL-3 ବୁଡ଼ାଜାହାଜରୁ ଲଞ୍ଚ ହେଉଥିବା ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ଏବଂ DF-61 ପୃଷ୍ଠ ଦେଶରୁ ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର ଆଦି ସାମିଲ ରହିଥିଲା।

ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଜାରି କରିଥିବା ଏହି ରିପୋର୍ଟ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ଚୀନ୍ ଦକ୍ଷିଣ ପୂର୍ବ ଏସିଆ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ମାର୍ଗରେ ସୁରକ୍ଷା ଚ୍ୟାଲେଞ୍ଜ ସୃଷ୍ଟି କରି ନିରନ୍ତର ସାମରିକ ଚାପ ବୃଦ୍ଧି କରୁଛି। ଯେକୌଣସି ସମ୍ଭାବ୍ୟ ବିପଦରେ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ତାଇୱାନ ନିରନ୍ତର ଭାହେ ପ୍ରସ୍ତୁତି ବଜାୟ ରଖିଛି।