କଟକ,୦୯/୧୦: ବାଲିଯାତ୍ରାକୁ ନିମନ୍ତ୍ରିତ ଭିଭିଆଇପି  ଅତିଥିଙ୍କ ସମେତ ଯାତ୍ରା ପଡ଼ିଆରେ ସମବେତ ଲକ୍ଷାଧିକ  ସାଧାରଣ ଜନତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାର  ୫ କିଲୋମିଟର ପରିଧି ଅଞ୍ଚଳକୁ ‘ଡ୍ରୋନ୍‌ମୁକ୍ତ ଅଞ୍ଚଳ’  ଘୋଷଣା କରାଯାଇଛି । ବାଲିଯାତ୍ରା ଉପର ଏବଂ ତଳ ପଡ଼ିଆ ଉପରେ କେବଳ ଡ୍ରୋନ୍‌ ନୁହେଁ, ପାରା  ଗ୍ଲାଇଡର୍‌, ପାରା ମୋଟର୍ସ, ପାୱାର୍‌  ହ୍ୟାଙ୍ଗ୍‌ ଗ୍ଲାଇଡର୍‌, ମାଇକ୍ରୋ ଲାଇଟ୍‌  ଏୟାରକ୍ରାଫ୍‌ଟ, ହଟ୍‌ ଏୟାର ବେଲୁନ୍‌,  ୟୁଏଭି ଆଦି ଉଡ଼ାଣ ଉପରେ ମଧ୍ୟ  କଟକଣା ଜାରି କରାଯାଇଛି । କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଆଜି ଏହି  ମର୍ମରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ।  

ଆସନ୍ତା ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ  ଐତିହାସିକ ବାଲିଯାତ୍ରା କଟକ ୨୦୨୫ ମହୋତ୍ସବ ଆୟୋଜନ  କରାଯାଉଛି । ଏଥିରେ ପ୍ରତିବର୍ଷ ୬୦ରୁ ୭୦ ଲକ୍ଷ ଦର୍ଶକଙ୍କ  ସମାଗମ ହୋଇଥାଏ । ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା  ମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆରେ  ୬୦ ଏକରରୁ ଅଧିକ ସ୍ଥାନରେ ବିଶାଳ ଆକାରରେ  ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ସମୟରେ ଅନେକ  ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ  ଦେଖିବା ପାଇଁ ଆସିବାର ସମ୍ଭାବନା ରହିଛି । ସେମାନଙ୍କ  ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ଏହି  ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ  କହିଛନ୍ତି । ୨୦୨୫ ନଭେମ୍ବର ୧  ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି  ଡ୍ରୋନ୍‌ ମୁକ୍ତ ଅଞ୍ଚଳ ଉପରେ ସବୁ  ପ୍ରକାରର ଉଡ଼ାଣକୁ କଡ଼ାକଡ଼ି ନିଷିଦ୍ଧ  କରାଯାଇଛି । ଆଦେଶ ଉଲ୍ଲଂଘନ କଲେ ଏନ୍‌ଫୋର୍ସମେଣ୍ଟ୍‌  ଦଳ ଦ୍ୱାରା ଉକ୍ତ ସାମଗ୍ରୀ ଜବତ କରାଯିବ । ଆଇନ ଅନୁଯାୟୀ  ଦଣ୍ଡ ବିଧାନ ମଧ୍ୟ କରାଯିବ । ତେଣୁ ନିର୍ଦ୍ଦିଷ୍ଟ ଅଞ୍ଚଳ ଏବଂ  ପରିଧି ମଧ୍ୟରେ ଏପରି କୌଣସି ଉପକରଣ ପରିଚାଳନା  କରିବା ପୂର୍ବରୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନ୍ୟାୟିକ  ବିଭାଗରୁ ଆବଶ୍ୟକ ଅନୁମତି ନେବାକୁ କୁହାଯାଇଛି ।