କେନ୍ଦୁଝର ସଦର,୧୦/୧୦(ଆପ୍ର): ବିଶିଷ୍ଟ ଆନିମେସନ ଓ ଶିଶୁ ମନରଞ୍ଜନ ଧାରାବାହିକ ପ୍ରସ୍ତୁତକାରୀ ଅନୁ ସିକ୍କାଙ୍କ ପରିକଳ୍ପନାରେ ପ୍ରସ୍ତୁତ ହୋଇଛି ମହାଭାରତର ଆନିମେଟେଡ଼ ରୂପ। ନାମ ରଖା ଯାଇଛି କୁରୁକ୍ଷେତ୍ର। ୨ ଗୋଟି ଭାଗ ତଥା ୧୮ଟି ଅଧ୍ୟାୟରେ ନିର୍ମିତ ହେଉଥିବା ଏହି ୱେବ୍ ସିରିଜର ପ୍ରଥମ ଭାଗଟି ଆଜି ନେଟଫ୍ଲିକ୍ସରେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲୟାଲମ, ସ୍ପାନିସ, ପର୍ତ୍ତୁଗୀଜ, ଥାଇ ଓ ଇଣ୍ଡୋନେସିୟାନ ସମେତ ୧୦ଟି ଭାଷାରେ ରିଲିଜ ହେଉଛି।
ଟିପିଙ୍ଗ ପଏଣ୍ଟ ପ୍ରଯୋଜନା ସଂସ୍ଥା ଦ୍ୱାରା ପ୍ରଯୋଜିତ ଏବଂ ହାଇଟେକ ଆନିମେସନ ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହି ୱେବ୍ସ ସିରିଜକୁ ଅନୁ ସିକ୍କା, ଆଲୋକ ଜୈନ ଏବଂ ଅଜିତ ଅନ୍ଧାରେ ମିଳିତ ଭାବରେ ପ୍ରସ୍ତୁତ କରୁଥିବା ବେଳେ, ଖ୍ୟାତନାମା ବଙ୍ଗଳା ସିନେ ଜଗତର ଫିଲ୍ମ ନିର୍ମାତା କୌଶିକ ଗାଙ୍ଗୁଲି ଓ ଅଭିନେତ୍ରୀ ଚୁର୍ଣ୍ଣି ଗାଙ୍ଗୁଲିଙ୍କ ପୁତ୍ର ଉଜ୍ଜାନ ଗାଙ୍ଗୁଲି ନିର୍ଦ୍ଦେଶନା ଦେଇଛନ୍ତି। ଉଜ୍ଜାନଙ୍କ ସହଯୋଗୀ ଟିମରେ ରହିଛନ୍ତି କେନ୍ଦୁଝର ଜିଲ୍ଲାର ଘଟଗାଁ ଅଞ୍ଚଳର ଦୁର୍ଗାପ୍ରସାଦ ମଲ୍ଲିକ। ଧାରାବାହିକଟିକୁ ସଫଳ ଭାବରେ ସମ୍ପାଦିତ କରିବା ପାଇଁ ଓଡ଼ିଆ କାହାଣୀକାର ଦୁର୍ଗାପ୍ରସାଦଙ୍କ ସମେତ ୮ଜଣ ଯୁବ ଫିଲ୍ମ ଲେଖକ ଉଜ୍ଜାନଙ୍କ ଦଳରେ ଥିଲେ। କ୍ରିଏଟିଭ ମୁଖ୍ୟ ଅନୁପ ଗୁଲାଟି, ସମୀର ଯାଦବ ଓ ଗାୟତ୍ରୀ ଗୁଲାଟିଙ୍କ ତତ୍ତ୍ୱାବଧାନ ରହି ଦୁର୍ଗାପ୍ରସାଦ ଧାରାବାହିକଟିରେ କାର୍ଯ୍ୟ କରିଛନ୍ତି।
ଓସ୍କାର ବିଜେତା ଗୁଲଜାରଙ୍କ ଗୀତ ଓ ଉପସ୍ଥାପନା ଧାରାବାହିକଟିକୁ ଆକର୍ଷଣୀୟ କରିଛି, ଯାହା ଟ୍ରେଲର ଦେଖି ଜାଣି ହେଉଛି। କୁରୁକ୍ଷେତ୍ରର ବିଭିନ୍ନ ଚରିତ୍ର ପାଇଁ ସ୍ୱର ଦେଇଛନ୍ତି ବିନୋଦ ଶର୍ମା, ସାହିଲ ବୈଦ, ସୌମ୍ୟା ଦାନ, ଅନ୍ନାମୟା ବର୍ମା, ମନୋଜ ପାଣ୍ଡେ, ହିମାଂଶୁ ରାଣା, ନେହା ଗର୍ଗଭା, କୃତାର୍ଥ ତ୍ରିବେଦୀ, ନେଶମା ଚେମ୍ବୁକର ଏବଂ ପୱନ କାଲରା। ଚିତ୍ରତ୍ତୋଳନର ଦାୟିତ୍ୱରେ ଅଛନ୍ତି ମଧୁରା ପାଟିଲ। ପୋଷାକ ରୂପସଜ୍ଜା କରିଛନ୍ତି ସୁଚିସ୍ମିତା ଦାସ ଗୁପ୍ତା। ସଂଳାପ ଲେଖିଛନ୍ତି ବିନୀତ ଗର୍ଗ। ସୀମାବ ସେନ ସଙ୍ଗୀତ ଦେଇଥିବା ବେଳେ ଗ୍ରାଫିକ୍ସ ନିର୍ଦ୍ଦେଶନା ଦେଇଛନ୍ତି ମନୋଜ ବୋଷ।
ନିକଟରେ କୋଲକାତାରେ ତ୍ରିଧାରା ସମ୍ମିଳନୀ ଓ ବୈଷ୍ଣବ ସମାଜ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦଶହରା ଉପଲକ୍ଷେ କୁରୁକ୍ଷେତ୍ରର ନିର୍ମାତା ମାନଙ୍କୁ ବିଶେଷ ଭାବରେ ସମ୍ବର୍ଦ୍ଧିତ କରିଥିଲା। ଉତ୍ସବରେ ପ୍ରଯୋଜିକା ଅନୁ ସିକ୍କା ଓ ନିର୍ଦ୍ଦେଶକ ଉଜ୍ଜାନ ଗାଙ୍ଗୁଲି, ଯୋଗେଶ କୱାଲେ, ହାଇଟେକ ଗ୍ରୁପର ସୁବ୍ରତ ରାୟ, ଆଶିଷ ଥାପର, ଟିପିଙ୍ଗ ପଏଣ୍ଟର ମୋହନ ବଙ୍ଗେରା, ଅଭିଷେକ ଦତ୍ତଙ୍କ ସମେତ ଓଡ଼ିଆ ପୁଅ ଦୁର୍ଗାପ୍ରସାଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଯୁବ ସମାଜ ଓ ଶିଶୁ ମାନଙ୍କ ମନରେ ମହାଭାରତ ପରି ମହାକାବ୍ୟ ପରି ନିର୍ମାଣ କରିଥିବାରୁ ଦଳକୁ ଭୂୟସୀ ପ୍ରସଂଶା କରା ଯାଇଥିଲା। ବୈଷ୍ଣବ ସମାଜ ପକ୍ଷରୁ ଅନିନ୍ଦିତା ଘୋଷ, ବିଦିଶା ସରକାର ଓ ପାରୋମିତା ରାୟ କରୁକ୍ଷେତ୍ରର ଦଳକୁ ଉତ୍ତରୀୟ ଓ ସ୍ମାରକୀ ପ୍ରଦାନ କରିଥିଲା ବେଳେ ଅନୁ ସିକ୍କାଙ୍କ ଦଳ ପକ୍ଷରୁ ସମସ୍ତଙ୍କୁ କରୁକ୍ଷେତ୍ର ୱେବ ସିରିଜର ଫ୍ରେମ୍ ପ୍ରଦାନ କରାଯାଇଥିଲା।